ରାହୁଲଙ୍କ ଟିପ୍ପଣୀକୁ କଦର୍ଥ କରିଥିବା ଜି ଆଙ୍କର୍‌ ଅଟକ: ଆଙ୍କରଙ୍କୁ ଗିରଫ କରିବାକୁ ୨ ରାଜ୍ୟର ପୁଲିସ ମୁହାଁମୁହିଁ

ନୂଆଦିଲ୍ଲୀ: ରାହୁଲ ଗାନ୍ଧିଙ୍କ ଟିପ୍ପଣୀକୁ କଦର୍ଥ କରିଥିବାରୁ ଜି ଟିଭି ନ୍ୟୁଜ୍‌ ଆଙ୍କର ରୋହିତ ରଂଜନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ରାହୁଲଙ୍କ ଟିପ୍ପଣୀ କଦର୍ଥ କରିଥିବାରୁ ଜି ନ୍ୟୁଜ୍‌ ଆଙ୍କର ରୋହିତ ରଂଜନ ପୂର୍ବରୁ କ୍ଷମା ମାଗିଥିଲେ। କିନ୍ତୁ ଆଜି ତାଙ୍କୁ ଉତ୍ତରପ୍ରଦେଶ ପୁଲିସ ତାଙ୍କୁ ଘରୁ ନେଇ ଅଟକ ରଖିଛି। ରୋହିତ ରଂଜନଙ୍କୁ ହାଜତକୁ ନେବାପାଇଁ ଆଜି ୨ଟି ରାଜ୍ୟର ପୁଲିସଙ୍କ ମଧ୍ୟରେ ଛକାପଂଝା ଦେଖିବାକୁ ମିଳିଥିଲା। ଛତିଶଗଡ଼ ପୁଲିସ ଆଜି ସକାଳେ ରୋହିତଙ୍କୁ ଗିରଫ କରିବାପାଇଁ ଚେଷ୍ଟା କରିଥିଲା। କିନ୍ତୁ ଉତ୍ତରପ୍ରଦେଶର ଗାଜିଆବାଦ ପୁଲିସ ଛତିଶଗଡ଼ ପୁଲିସକୁ ଅଟକାଇଥି‌ଲା। ରୋହିତ ରଂଜନଙ୍କ ଘରେ ଆଜି ସକାଳ ୫.୩୦ରେ ଛତିଶଗଡ଼ ପୁଲିସ ଟିମ୍‌ ପହଞ୍ଚିଥିଲେ। ରୋହିତ ତୁରନ୍ତ ଉତ୍ତରପ୍ରଦେଶ ପୁଲିସ ନିକଟକୁ ଏକ ଏସଓଏସ୍‌ ପଠାଇଥିଲେ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟ୍ୟାଗ୍‌ କରି ସେ ଏହି ଏସଓଏସ୍‌ ପଠାଇଥିଲେ। ଛତିଶଗଡ଼ ପୁଲିସ ସ୍ଥାନୀୟ ପୁଲିସରେ ସୂଚନା ନଦେଇ ତାଙ୍କୁ ହାଜତକୁ ନେବାପାଇଁ ଆସିଛି ବୋଲି ସେ ଅଭିଯୋଗ କରିଥିଲେ। କିନ୍ତୁ ଛତିଶଗଡ଼ ପୁଲିସ କହିଥିଲା, ୱାରେଣ୍ଟ୍‌ ରହିଥିବାରୁ ଏଥିପାଇଁ କାହାକୁ କିଛି କହିବା ଆବଶ୍ୟକତା ନାହିଁ। କିନ୍ତୁ ତୁରନ୍ତ ଗାଜିଆବାଦ ପୁଲିସ ଘଟଣାସ୍ଥଳରେ ପହଞ୍ଚି ରୋହିତ ରଂଜନଙ୍କୁ ଏକ ଅଜଣା ସ୍ଥାନକୁ ନେଇଯାଇଥିଲେ। ରୋହିତ ରଂଜନ ଏବେ ଉତ୍ତରପ୍ରଦେଶ ପୁଲିସ ହାଜତରେ ଅଛନ୍ତି। ରୋହିତଙ୍କ ଗିରଫକୁ ନେଇ ଆଜି ଛତିଶଗଡ଼ ଏବଂ ଉତ୍ତରପ୍ରଦେଶ ପୁଲିସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ, ରାହୁଲଙ୍କ ୱାୟନାଡ଼ ଅଫିସ ଭଙ୍ଗାରୁଜା ସଂକ୍ରାନ୍ତରେ ରାହୁଲ ନିକଟରେ ୱାୟନାଡ଼ ଗସ୍ତରେ ଥିବା ସମୟରେ ଗଣମାଧ୍ୟମରେ ମତ ରଖିଥିଲେ। ଅଫିସ୍‌ ଭଙ୍ଗାରୁଜା କରିଥିବା ଲୋକଙ୍କୁ ସେ ଛୋଟ ପିଲା ବୋଲି କହିଥିଲେ ଏବଂ ‌ସେମାନଙ୍କୁ କ୍ଷମା କରିଦେବାକୁ କହିଥିଲେ। କିନ୍ତୁ ଜି ନ୍ୟୁଜ୍‌ ଆଙ୍କର ରାହୁଲଙ୍କ ଏହି ଟିପ୍ପଣୀକୁ ଉଦୟପୁର ହତ୍ୟା ସହ ଯୋଡ଼ିଥିଲେ। ଉଦୟପୁର ହତ୍ୟାକାରୀଙ୍କୁ କ୍ଷମା କରିଦେବାପାଇଁ ରାହୁଲ କହିଛନ୍ତି ବୋଲି ଟିଭି ଆଙ୍କର କହିଥିଲେ। କଂଗ୍ରେସ ଏହାର ଜୋରଦାର ବିରୋଧ କରିଥିଲା। ବିଭିନ୍ନ କଂଗ୍ରେସ ଶାସିତ ରାଜ୍ୟରେ ରୋହିତଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ ହୋଇଛି।

ସମ୍ବନ୍ଧିତ ଖବର