ନୂଆଦିଲ୍ଲୀ: ବିହାର ଗୋପାଳଗଞ୍ଜର ପୂର୍ବତନ ଜିଲ୍ଲାପାଳ ଜି କ୍ରିଷ୍ଣେୟାଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ବାହୁବଳୀ ତଥା ପୂର୍ବତନ ସାଂସଦ ଆନନ୍ଦ ମୋହନ ସିଂଙ୍କୁ ୧୬ବର୍ଷ ପରେ ଜେଲରୁ ମୁକ୍ତ କରାଯାଇଛି। ତାଙ୍କୁ ମୁକ୍ତ କରିବା ଲାଗି ଏପ୍ରିଲ୍‌ ୧୦ ତାରିଖ ଦିନ ନୀତୀଶ କୁମାର ସରକାର କାରାଗାର ନିୟମ ସଂଶୋଧନ କରିଥିଲେ। ୨୭ଜଣ କଏଦୀଙ୍କ ସମେତ ଆନନ୍ଦ ମୋହନଙ୍କୁ ମୁକ୍ତ କରିବା ଲାଗି ଏପ୍ରିଲ୍‌ ୨୪ ତାରିଖ ସନ୍ଧ୍ୟା ବେଳେ ବିହାର ସରକାର ଔପଚାରିକ ଭାବେ ବିଜ୍ଞପ୍ତି ଜାରି କରିଥିଲେ। ତେବେ ଏହି ଘଟଣାକୁ ନେଇ ଜି କ୍ରିଷ୍ଣେୟାଙ୍କ ଝିଅ ପଦ୍ମା କ୍ରିଷ୍ଣେୟା ଆଜି ଭାବପ୍ରବଣ ହୋଇ କହିଛନ୍ତି ଯେ, "ଆମେ ଭୟର ବାତାବରଣରେ ବଡ ହୋଇଛୁ । ବହୁତ ଦୁଃଖ ଦେଖିଛୁ | ଆନନ୍ଦ ମୋହନ ସିଂଙ୍କ ପରି ଲୋକମାନେ ସମାଜରେ ରହିବା ଉଚିତ୍ ନୁହେଁ।" ବିହାର ସରକାରଙ୍କ ଏହି ନିଷ୍ପତ୍ତି ଅତ୍ୟନ୍ତ ଦୁଃଖଦାୟକ। ମୋ ବାପାଙ୍କୁ ହତ୍ୟା କରିଥିବା ଦୋଷୀ ଆଜି ଜେଲରୁ ବାହାରିଛନ୍ତି। ଆମେ ଆଶା କରୁଥିଲୁ ତାଙ୍କୁ ଆଜୀବନ କାରାଦଣ୍ଡ ଦିଆଯିବ | କିନ୍ତୁ ତାହା ହୋଇନାହିଁ | ଆନନ୍ଦ ମୋହନ ସିଂଙ୍କୁ ଅନେକ ଲୋକ ସମର୍ଥନ କରନ୍ତି ନାହିଁ।

Advertisment

ଯେତେବେଳେ ନୀତୀଶ କୁମାର ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ, ସେତେବେଳେ ସେ କହିଥିଲେ ଯେ ଆନନ୍ଦ ମୋହନ ସିଂଙ୍କ ପରି ଲୋକଙ୍କୁ ସମର୍ଥନ ମିଳିବା ଉଚିତ ନୁହେଁ। ବର୍ତ୍ତମାନ ମୁଁ ବୁଝିପାରୁ ନାହିଁ ଯେ ନୀତୀଶ କୁମାର କାହିଁକି ନିଷ୍ପତ୍ତି ବଦଳାଇଲେ? କାହିଁକି ଆନନ୍ଦ ମୋହନ ସିଂଙ୍କୁ ମୁକ୍ତ କରାଗଲା? ଜଣେ ମୁଖ୍ୟମନ୍ତ୍ରୀଙ୍କଠାରୁ ଏଭଳି ପଦକ୍ଷେପ ଆଶା କରାଯାଇପାରିବ ନାହିଁ। " ପୂର୍ବରୁ ଜି କ୍ରିଷ୍ଣେୟାଙ୍କ ପତ୍ନୀ ଉମା କ୍ରିଷ୍ଣେୟା ନୀତୀଶ କୁମାରଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଥିଲେ। ଆନନ୍ଦ ମୋହନ ସିଂଙ୍କ ମୁକ୍ତି ପଛରେ ଭୋଟ୍ ବ୍ୟାଙ୍କ ରାଜନୀତି ଥାଇପାରେ ବୋଲି ସେ କହିଥିଲେ। ଉଲ୍ଲେଖ ଥାଉ କି ୧୯୯୪‌ରେ ଗୋପାଳଗଂଜ ଜିଲ୍ଳାପାଳ ଜି କ୍ରିଷ୍ଣେୟାଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା। ଏହି ହତ୍ୟା ମାମଲାରେ ଆନନ୍ଦ ମୋହନର ମୁଖ୍ୟ ଭୂମିକା ଥିଲା। ୨୦୦୭ରେ ଆନନ୍ଦ ମୋହନକୁ ଏହି ମାମଲାରେ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇଥିଲା।

୨୦୦୮ରେ ପାଟନା ହାଇକୋର୍ଟ ତା’ର ମୃତ୍ୟୁଦଣ୍ଡକୁ କୋହଳ କରି ଆଜୀବନ କାରାଦଣ୍ଡରେ ପରିଣତ କରିଥିଲେ। ୧୬ ବର୍ଷ ହେଲା ସେ ଜେଲରେ ଥିଲା। ତାଙ୍କୁ ମୁକ୍ତ କରିବା ଲାଗି ଏପ୍ରିଲ୍‌ ୧୦ ତାରିଖ ଦିନ ନୀତୀଶ କୁମାର ସରକାର କାରାଗାର ନିୟମ ସଂଶୋଧନ କରିଥିଲେ। ୨୭ଜଣ କଏଦୀଙ୍କ ସମେତ ଆନନ୍ଦ ମୋହନଙ୍କୁ ମୁକ୍ତ କରିବା ଲାଗି ଏପ୍ରିଲ୍‌ ୨୪ ତାରିଖ ସନ୍ଧ୍ୟା ବେଳେ ବିହାର ସରକାର ଔପଚାରିକ ଭାବେ ବିଜ୍ଞପ୍ତି ଜାରି କରିଥିଲେ। ଆଉ ଆଜି ଆନନ୍ଦ ମୋହନ ସିଂଙ୍କୁ ୧୬ବର୍ଷ ପରେ ଜେଲରୁ ମୁକ୍ତ କରାଯାଇଛି |