ୱାସିଂଟନ: ଆସନ୍ତା ସେପ୍ଟେମ୍ବର ମାସରେ ଭାରତ ଅଧ୍ୟକ୍ଷତାରେ ନୂଆଦିଲ୍ଲୀଠାରେ ଜି-୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏଥିରେ ଯୋଗଦେବା ପାଇଁ ସେପ୍ଟେମ୍ବର ୭ରେ ୱାସିଂଟନ ଛାଡ଼ିବେ ଏବଂ ୧୦ରେ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡ଼ିଛି। ଭାରତ ସେପ୍ଟେମ୍ବର ୯ ଓ ୧୦ରେ ନୂଆଦିଲ୍ଲୀଠାରେ ଜି-୨୦ ଶିଖର ସମ୍ମିଳନୀର ଆୟୋଜନ କରିବ। ୨୦୨୨ ଡିସେମ୍ବର ପହିଲାରୁ ୨୦୨୩ ନଭେମ୍ବର ୩୦ ଯାଏ ବର୍ଷକ ପାଇଁ ଭାରତ ହାତରେ ରହିଛି ଜି-୨୦ର ଅଧ୍ୟକ୍ଷ ଦାୟିତ୍ବ। ଦାୟିତ୍ବ ନେବା ପରଠାରୁ ଭାରତ ଦେଶ ଭିତରେ ଅନେକ ସମ୍ମଳନୀର ଆୟୋଜନ କରିସାରିଲାଣି।
ଗତ ଜୁନ୍ ମାସରେ ଆମେରିକାକୁ ପ୍ରଥମ ରାଷ୍ଟ୍ରୀୟ ଗସ୍ତରେ ଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବାଇଡେନ କହିଥିଲେ ଯେ ନୂଆଦିଲ୍ଲୀଠାରେ ସେପ୍ଟେମ୍ବରରେ ହେବାକୁ ଥିବା ଜି୨୦ ସମ୍ମିଳନୀକୁ ସେ ଆଗ୍ରହର ସହ ଅପେକ୍ଷା କରିଛନ୍ତି।
ଜଳବାୟୁ ପରିବର୍ତ୍ତନ ଓ ମହାମାରୀ ସମେତ ବିଭିନ୍ନ ବିଶ୍ବ ଆହ୍ବାନର ମୁକାବିଲା କରିବାରେ ଭାରତ ଅନ୍ତର୍ଜାତୀୟ ସହଯୋଗ ଉପରେ ଗୁରୁତ୍ବ ଦେଉଥିବାରୁ ଏବଂ ବିଭିନ୍ନ ବହୁପାକ୍ଷିକ ଅନୁଷ୍ଠାନକୁ ମଜଭୁତ କରିବାକୁ ଚେଷ୍ଟା କରୁଥିବାରୁ ଭାରତର ଜି୨୦ ଅଧ୍ୟକ୍ଷତାକୁ ବାଇଡେନ ପ୍ରଶଂସା କରିଥିଲେ। ପୂର୍ବରୁ ଦକ୍ଷିଣ ଓ କେନ୍ଦ୍ର ଏସିଆ ପାଇଁ ଆମେରିକାର ଉପବୈଦେଶିକ ମନ୍ତ୍ରୀ ଡୋନାଲ୍ଡ ଲୁ କହିଥିଲେ ଯେ, ବାଇଡେନ ଜି୨୦ ସମ୍ମିଳନୀରେ ଯୋଗ ଦେବାକୁ ସେପ୍ଟେମ୍ବରରେ ଭାରତ ଯିବେ। ସେ କହିଥିଲେ, ଏହା ଭାରତ-ଆମେରିକା ସମ୍ପର୍କ ପାଇଁ ଏକ ଗରୁତ୍ବପୂର୍ଣ୍ଣ ବର୍ଷ। ଗତ ମାର୍ଚ୍ଚ ମାସରେ ଜି୨୦ ବିଦେଶ ମନ୍ତ୍ରୀମାନଙ୍କ ବୈଠକରେ ଯୋଗ ଦେବା ପାଇଁ ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ଭାରତ ଆସିଥିଲେ। ଆମେରିକାର ଅର୍ଥମନ୍ତ୍ରୀ ଜାନେତ ୟେଲେନ ଓ ବାଣିଜ୍ୟ ମନ୍ତ୍ରୀ ଜିନା ରାଇମୋଣ୍ଡୋ ମଧ୍ୟ ଭାରତ ଆସି ନୂଆଦିଲ୍ଲୀଠାରେ ଭାରତ-ଆମେରିକା ଫୋରମ୍ରେ ଯୋଗ ଦେଇଥିଲେ।