ନୂଆ ଭୂତାଣୁ ଚିହ୍ନଟ ପରେ ଚୀନର ବୟାନ : ଜି୪ ସ୍ୱାଇନ୍ ଫ୍ଲୁ ନୂଆ ନୁହେଁ, ଏହା ସହଜରେ ମଣିଷକୁ ସଂକ୍ରମିତ କରେ ନାହିଁ

ନୂଆଦିଲ୍ଲୀ: ସାରା ବିଶ୍ୱ ଏବେ କରୋନାକୁ ହରାଇବା ପାଇଁ ବିଭିନ୍ନ ଟିକା ଉପରେ ଗବେଷଣା କରୁଥିବା ବେଳେ କିଛି ଦିନ ତଳେ ଚୀନରେ ଏକ ନୂତନ ଭୂତାଣୁ ଆବିଷ୍କାର ହେବା ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଜାଣିବାକୁ ପାଇଥିଲେ। ଚିହ୍ନଟ ହୋଇଥିବା ନୂଆ ଭୂତାଣୁ ମଧ୍ୟ ମହାମାରୀ ରୂପ ନେବାର ଆଶଙ୍କା ରହିଛି ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଆଶଙ୍କା କରିଥିଲେ | ଘୁଷୁରିମାନଙ୍କ ମଧ୍ୟରେ ଏହି ଭୂତାଣୁ ଦେଖାଯାଉଥିବା ବେଳେ ଏହି ଭୂତାଣୁ ମଣିଷକୁ ସଂକ୍ରମିତ କରିପାରେ ବୋଲି ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଥିଲେ । ଏହା କରୋନାଭାଇରସ୍ ମହାମାରୀ ଭଳି ମଣିଷଠାରୁ ମଣିଷକୁ ସଂକ୍ରମିତ ହେବାର ଆଶଙ୍କା ରହିଥିବା ନେଇ ଅନୁସନ୍ଧାନକାରୀମାନେ ଆକଳନ କରିଥିବା ବେଳେ ଏହା ଉପରେ ଏବେ ଚୀନର ବୟାନ ସାମ୍ନାକୁ ଆସିଛି |

ndtv

ଚୀନର କୃଷି ଏବଂ ଗ୍ରାମ୍ୟ ବ୍ୟାପାର ମନ୍ତ୍ରାଳୟ ଶନିବାର ଦିନ କହିଛି ଯେ, ସ୍ୱାଇନ୍ ଫ୍ଲୁ ଭୂତାଣୁର ତଥାକଥିତ “ଜି୪” ଶ୍ରେଣୀ ନୂଆ ନୁହେଁ ଏବଂ ଏହା ମଣିଷ ତଥା ପଶୁମାନଙ୍କୁ ସହଜରେ ସଂକ୍ରମିତ କରେ ନାହିଁ। ଏହି ଅଧ୍ୟୟନକୁ ଗଣମାଧ୍ୟମ ଦ୍ୱାରା “ଅତିରଞ୍ଜିତ କରି ଏବଂ ଅବାସ୍ତବ ଉପାୟରେ” ବ୍ୟାଖ୍ୟା କରାଯାଇଛି | ଆମେ ଏହା ଉପରେ ଏକ ସେମିନାରର ଆୟୋଜନ କରିବା ପରେ ସେମିନାରରେ ଅଂଶଗ୍ରହଣ କରିଥିବା ଚାଇନାର ପ୍ରାଣୀ ଚିକିତ୍ସକ ଏବଂ ଆଣ୍ଟି-ଭାଇରସ୍ ବିଶେଷଜ୍ଞମାନେ ଏକମତ ହୋଇଥିଲେ ଯେ, ଜି୪ ଭୂତାଣୁ ନୂଆ ନୁହେଁ ଏବଂ ଏହା ମଣିଷ ତଥା ପଶୁମାନଙ୍କୁ ସହଜରେ ସଂକ୍ରମିତ କରେ ନାହିଁ | ଏ ନେଇ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ |

ସମ୍ବନ୍ଧିତ ଖବର