ଏଲ୍ମାଉ କ୍ୟାସେଲ୍ (ଜର୍ମାନି): ରବିବାର ଜର୍ମାନିରେ ଆୟୋଜିତ ‘ଜି-୭’ ଶିଖର ସମ୍ମିଳନୀରେ ବିଶ୍ବ ନେତାମାନେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଫୁଙ୍ଗୁଳା ଦେହରେ ଉଠାଇଥିବା ଫଟୋକୁ ନେଇ ପରିହାସ କରିଥିବା ଦେଖିବାକୁ ମିଳିଥିଲା।
ବଭେରିଆର ଏଲ୍ମାଉ କ୍ୟସେଲ୍ରେ (ଦୁର୍ଗ) ଜର୍ମାନ୍ ଚାନ୍ସେଲର୍ ଓଲାଫ୍ ସୋଲ୍ଜ୍ଙ୍କଦ୍ବାରା ଆୟୋଜିତ ୭ଟି ଶକ୍ତିଶାଳୀ ଗଣତନ୍ତ୍ରର ଶିଖର ସମ୍ମିଳନୀରେ ନେତାଙ୍କର ଗ୍ରୁପ ଫଟୋ ଉଠିବା ପ୍ରସଙ୍ଗ ଆସିବାରୁ ବ୍ରିଟିସ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ ଥଟ୍ଟାରେ ପଚାରିଲେ, ଜ୍ୟାକେଟ୍ ପିନ୍ଧିଥିବି ନା, ଓହ୍ଲାଇ ପକାଇବି? ଆମେ କ’ଣ ଆମର କୋଟ୍ ଓହ୍ଲାଇ ପକାଇବା?
ଏଭଳି ପରିହାସମୂଳକ କଥା ଶୁଣି କାନଡା, ଫ୍ରାନ୍ସ୍, ଜର୍ମାନି, ଇଟାଲି, ଜାପାନ, ଯୁକ୍ତରାଷ୍ଟ୍ର ଆମେରିକା ଏବଂ ୟୁରୋପୀୟ ସଂଘରୁ ଆସିଥିବା ନେତାମାନେ କ’ଣ ଜବାବ ଦେବେ ତାହା ଘଡ଼ିଏ ଚିନ୍ତା କରିଥିଲେ।
/sambad/media/post_attachments/wp-content/uploads/2022/06/g7.jpg)
କାନଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡ୍ୟୁ ପ୍ରସ୍ତାବ ଦେଲେ କି, ଗ୍ରୁପ୍ ଫଟୋ ଉଠା ସରିଲେ ପୋଷାକପତ୍ର ଓହ୍ଲାଇବା। ସେତିକି ବେଳେ ବୋରିସ୍ ଜନ୍ସନ୍ ରହସ୍ୟ କରି କହିଲେ, ଆମେ ଯେ, ପୁଟିନ୍ଙ୍କ ଠାରୁ ଟାଣୁଆ, ତାହା ଆମକୁ ଦେଖାଇବାକୁ ପଡ଼ିବ।
୨୦୦୯ରେ ସାର୍ଟ ନ ପିନ୍ଧି ପୁଟିନ୍ ଘୋଡ଼ାରେ ବସି ଉଠାଇ ଥିବା ଚର୍ଚ୍ଚିତ ଫଟୋକୁ ଉଦ୍ଦେଶ୍ୟ କରି ଟ୍ରୁଡ୍ୟୁ କହିଲେ, ଆମେ ସାର୍ଟ ଓହ୍ଲାଇ ଘୋଡ଼ା ଚଢ଼ିବା।
ପୋଷାକପତ୍ର ପ୍ରସଙ୍ଗ ଉତ୍ଥାପନ ନ କରି ୟୁରୋପୀୟ କମିସନ୍ ଅଧ୍ୟକ୍ଷ ଉର୍ସୁଲା ଭନ୍ ଦର୍ ଲିୟେନ୍ କହିଲେ, ଘୋଡ଼ାଚଢ଼ା ସବୁଠୁ ଉତ୍ତମ।
ଚଟ୍କରି ବୋରିସ୍ ଜନ୍ସନ୍ କହିଲେ, ଆମେ ସେମାନଙ୍କୁ ଆମ ଶରୀରର ଟାଣୁଆ ମାଂସପେଶୀ ଦେଖାଇବା।
ଶେଷରେ ଥଟ୍ଟା ପରିହାସ ବନ୍ଦ କରି ନେତାମାନେ ଜ୍ୟାକେଟ୍ ପିନ୍ଧିଥିବା ଅବସ୍ଥାରେ ଫଟୋ ପାଇଁ ‘ପୋଜ୍’ ଦେଇଥିଲେ।