ଜି-୭ ସମ୍ମିଳନୀରେ ଫାଟ: ବୈଠକ ଛାଡ଼ି ପଳାଇଲେ ଟ୍ରମ୍ପ୍‌

ଓ୍ଵାସିଂଟନ: ବିଶ୍ୱର ଶକ୍ତିଶାଳୀ ଦେଶଙ୍କ ସମ୍ମିଳନୀ ଜି-୭କୁ ନେଇ ଏବେ ବିବାଦ ଉପୁଜିଛି। ଦୁଇ ବିଶ୍ୱ ଶକ୍ତି ଆମେରିକା ଓ ରୁଷ୍‌ ଏହି ସମ୍ମିଳନୀରେ ନିଜ ନିଜ ଉପରେ ଦୋଷାରୋପ କରିବାରେ ବ୍ୟସ୍ତ ରହିବାରୁ ସମ୍ମିଳନୀ ଏକ ପ୍ରକାର ବିଫଳ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ବୈଠକ ଶେଷ ହେବା ପୂର୍ବରୁ ବିରକ୍ତି ପ୍ରକାଶ କରି ପଳାଇଥିବା ବେଳେ ବୈଠକର ମିଳିତ ବିବୃତିରେ ମଧ୍ୟ ଦସ୍ତଖତ କରିବାକୁ ମନା କରିଦେଇଛନ୍ତି। ଅପରପକ୍ଷେ, କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ସହିତ ସହିତ ମଧ୍ୟ ଟ୍ରମ୍ପଙ୍କର ବଚସା ହୋଇଛି। ଆମେରିକାର ବ୍ୟବସାୟିକ ସ୍ୱାର୍ଥକୁ କ୍ଷତି ପହଞ୍ଚାଇବାକୁ ଟ୍ରୁଡୋ ଉଦ୍ୟମ କରୁଛନ୍ତି ଏବଂ ସେ ଜଣେ ଦୁର୍ବଳ ଓ ବେଇମାନ ବ୍ୟକ୍ତି ବୋଲି ଟ୍ରମ୍ପ୍‌ କହିଛନ୍ତି। ବ୍ରିଟେନର ପୂର୍ବତନ ଗୁଇନ୍ଦା ସର୍ଗେଇ ସ୍କ୍ରିପାଲଙ୍କୁ ରସାୟନିକ ଅସ୍ତ୍ର ଦ୍ୱାରା ହତ୍ୟା ଉଦ୍ୟମ କରାଯିବା ଘଟଣାରେ ବିଭିନ୍ନ ରାଷ୍ଟ୍ର ରୁଷ୍‌ ଉପରେ ଦୋଷ ଲଦିଛନ୍ତି। କାନାଡ଼ାରେ ଆୟୋଜିତ ଏହି ଶିଖର ସମ୍ମିଳନୀ ପରେ ଜାରି କରାଯାଇଥିବା ଏକ ମିଳିତ ବୟାନରେ ରୁଷକୁ କଡ଼ା ସମାଲୋଚନା କରାଯାଇଥିବା ବେଳେ ରୁଷ୍‌ ଏହାକୁ ଜୋର୍‌ଦାର ବିରୋଧ କରିଛି।

ମିଳିତ ବିବୃତିରେ ଦସ୍ତଖତ କଲେନାହିଁ
କାନାଡା ପ୍ରଧାନମନ୍ତ୍ରୀଙ୍କୁ ଦୁର୍ବଳ, ବେଇମାନ୍‌ କହିଲେ

ଆଜି ଏହି ପ୍ରସଙ୍ଗରେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ କହିଛନ୍ତି ଯେ ରୁଷ୍‌କୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି । ଏକ ମନଗଢ଼ା ଗପ ପଛରେ କିଛି ରାଷ୍ଟ୍ର ପଡ଼ିଛନ୍ତି ଏବଂ ଏହା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି। ଜି-୭ରେ ପ୍ରାସଙ୍ଗିକ ବିଷୟଗୁଡ଼ିକ ଉପରେ ଆଲୋଚନା କରିବା ଜରୁରୀ ଥିବା ବେଳେ ଅନାବଶ୍ୟକ ପ୍ରସଙ୍ଗକୁ ପ୍ରମୁଖ ସ୍ଥାନ ଦିଆଯାଉଥିବା ଅଭିଯୋଗ କରି ସେ ଏହାକୁ ସମାଲୋଚନା କରିଛନ୍ତି। ବ୍ରିଟେନର ପୂର୍ବତନ ଗୁଇନ୍ଦାଙ୍କୁ ହତ୍ୟା ଉଦ୍ୟମ ସମ୍ପର୍କରେ ଆସୁଥିବା ଅଭିଯୋଗର ପ୍ରମାଣ ଦେବାରେ ପୁଣିଥରେ ଜି-୭ ବିଫଳ ହୋଇଥିବା ପୁଟିନ କହିଛନ୍ତି। ଏହି ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କିଛି ନୀତିକୁ ନେଇ ମଧ୍ୟ କଠୋର ସମାଲୋଚନା କରାଯାଇଛି। ଆମେରିକା ନିଜର କାରବାର ବିସ୍ତାର ପାଇଁ ଅନ୍ୟ ରାଷ୍ଟ୍ର ଉପରେ ଅଯଥା ଚାପ ସୃଷ୍ଟି କରୁଛି ବୋଲି ସଦସ୍ୟ ରାଷ୍ଟ୍ରମାନେ କହିଛନ୍ତି।

ସମ୍ବନ୍ଧିତ ଖବର