ନୂଆଦିଲ୍ଲୀ:ୟୁକ୍ରେନ ସୀମାରେ ରୁଷିଆ ଗତ କିଛିଦିନ ହେଲା ଅସ୍ତ୍ରଶସ୍ତ୍ର ଠୁଳ କରିବା ଏବଂ ଯବାନମାନଙ୍କୁ ମୁତୟନ କରିବାରେ ଲାଗିଛି। ୟୁକ୍ରେନ ଉପରେ ଆକ୍ରମଣ କରିବା ଲାଗି ରୁଷ ଏଭଳି କାମ ଚଳାଇଥିବା ସନ୍ଦେହ କରାଯାଉଛି। ତେବେ ଜି-୭ ଦେଶଗୁଡ଼ିକ ଆଜି ରୁଷିଆକୁ ସିଧାସଳଖ ଧମକ ଦେଇଛନ୍ତି। ସେମାନେ କହିଛନ୍ତି ଯଦି ରୁଷିଆ ୟୁକ୍ରେନ ଆକ୍ରମଣ କରେ ତା’ହେଲେ ଏହାର ଭୟଙ୍କର ପରିଣାମ ଭୋଗିବ।
ରୁଷ ଅସ୍ତ୍ରଶସ୍ତ୍ର ଠୁଳ କରୁଥିବାରୁ ଆମେରିକାର ଗୁଇନ୍ଦା ବିଭାଗ ଏକ ପୂର୍ବାନୁମାନ କରିଛି। ୨୦୨୨ ଜାନୁଆରି ସୁଦ୍ଧା ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିପାରେ ବୋଲି ଆମେରିକାର ଗୁଇନ୍ଦା ଅଧିକାରୀମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ଏଭଳି ସ୍ଥିତିରେ ରୁଷିଆର ଅସ୍ତ୍ରଶସ୍ତ୍ର ଠୁଳ ମାମଲାକୁ ଜି-୭ ପ୍ରତିନିଧିମଣ୍ଡଳୀ ନିନ୍ଦା କରିଛନ୍ତି। ଉତ୍ତେଜନା ହ୍ରାସ ପାଇଁ ସେମାନେ କ୍ରେମଲିନ୍କୁ ନିବେଦନ କରିଛନ୍ତି। ଜି-୭ ଦେଶ ପକ୍ଷରୁ ଯେଉଁ ଚିଠା ବିବୃତି ପ୍ରସ୍ତୁତ ହୋଇଛି ସେଥିରେ କୁହାଯାଇଛି, ୟୁକ୍ରେନ ବିରୋଧରେ ରୁଷିଆ ଅଧିକ ସାମରିକ ଉତ୍ତେଜନା ସୃଷ୍ଟି କରିଲେ ଏହାର ଭୟଙ୍କର ପରିଣାମ ଭୋଗିବ ଏବଂ ଗୁରୁତର ମୂଲ୍ୟ ଏହି ଦେଶକୁ ଦେବାକୁ ପଡ଼ିବ। ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାରୁ ଗତ ମଙ୍ଗଳବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ତାଙ୍କ ରୁଷ ପ୍ରତିପକ୍ଷ ଭ୍ଲାଦିମିର ପୁଟିନ ଟେଲିଫୋନରେ କଥା ହୋଇଛନ୍ତି। କ୍ରେମଲିନ ପକ୍ଷରୁ ୟୁକ୍ରେନ ଉପରେ ଯଦି ସାମରିକ ଆକ୍ରମଣ କରାଯାଏ ତା’ହେଲେ ରୁଷ ଅର୍ଥନୀତି ପାଇଁ ଏହା ବିପର୍ଯ୍ୟୟ ଆଣିବ ବୋଲି ପୁଟିନଙ୍କୁ ବାଇଡେନ୍ ଚେତାଇ ଦେଇଛନ୍ତି।
ଅନ୍ୟପକ୍ଷରେ ୟୁକ୍ରେନ ଉପରେ ଆକ୍ରମଣର କୌଣସି ଯୋଜନା ନାହିଁ ବୋଲି ରୁଷ ପକ୍ଷରୁ କୁହାଯାଇଛି। ତେବେ ଆମେରିକା ଓ ୟୁକ୍ରେନ ପକ୍ଷରୁ କୌଣସି ପ୍ରକାର ଅସ୍ଥିରତା ସୃଷ୍ଟିକାରୀ ପଦକ୍ଷେପକୁ ପ୍ରତିହତ କରିବା ପାଇଁ ରୁଷ ଏହାର ସୈନ୍ୟମାନଙ୍କୁ ବିଭିନ୍ନ ସ୍ଥାନରେ ମୁତୟନ କରୁଛି। ଗ୍ରୀକ ଟିଭି ଚ୍ୟାନେଲ ଏଏନଟି୧କୁ ସାକ୍ଷାତକାର ଦେଇ କ୍ରେମଲିନର ପ୍ରବକ୍ତା ଦିମିତ୍ରି ପେସକୋଭ କହିଛନ୍ତି ରୁଷିଆ ଏହାର ସୀମା ଭିତରେ ଯେକୌଣସି ସ୍ଥାନକୁ ଚାହିବ ସେଠାକୁ ତାହାର ସୈନ୍ୟଙ୍କୁ ନେଇପାରିବ। ତେବେ ରୁଷିଆର ୟୁକ୍ରେନ ଆକ୍ରମଣ ଯୋଜନା ରହିଛି କି ବୋଲି ପ୍ରଶ୍ନ ହେବାରୁ ପେସକୋଭ ନା କହିଥିଲେ। ସେ କହିଥିଲେ ରୁଷିଆ ଏହାର ସୀମା ଭିତରେ ଯବାନମାନଙ୍କୁ ନେବାଆଣିବା କରୁଛି। ଆମେ ଯେଉଁଠିକୁ ଚାହିବୁ ସେଠାକୁ ଆମ ସେନାଙ୍କୁ ନେଇପାରିବୁ। ବର୍ତ୍ତମାନ ଯେଉଁସବୁ ଅଞ୍ଚଳରୁ ଅଧିକ ବିପଦ ରହିଛି ସେହି ପାଖାପାଖି ସ୍ଥାନରେ ଆମେ ଯବାନମାନଙ୍କୁ ମୁତୟନ କରୁଛୁ। ଆମେରିକାର ଯୁଦ୍ଧ ବିମାନ ୟୁକ୍ରେନରେ ଅବତରଣ କରିବା ଏବଂ ଆମେରିକାର ସାମରିକ ଉପକରଣ ଆମ ସୀମା ନିକଟକୁ ଆସୁଥିବା ଆମେ ଦେଖୁଛୁ ବୋଲି ସେ କହିଛନ୍ତି।