ନୂଆଦିଲ୍ଲୀ: ଗଣମାଧ୍ୟମ ସମ୍ମୁଖରେ ନିୟମିତ ଭାବେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିଆସୁଥିବା ବିଜେପି ନେତାମାନଙ୍କୁ ଆଜି ଦଳର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ନୀତୀନ୍ ଗଡକରୀ ସଂଯମୀ ହେବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ବିଜେପିରେ କିଛି ନେତା ଗଣମାଧ୍ୟମ ସାମ୍ନାରେ ଅଯଥା କଥା କହି ବିବାଦ ସୃଷ୍ଟି କରୁଛନ୍ତି। ଏହାଦ୍ବାରା ଦଳ ଉପରେ ଖରାପ ପ୍ରଭାବ ପଡୁଛି। ସେମାନଙ୍କୁ କମ୍ କହିବା ଦରକାର। ମୁମ୍ବାଇରେ ନ୍ୟୁଜ୍ ଚ୍ୟାନେଲ୍ ରିପବ୍ଲିକ୍ ପକ୍ଷରୁ ଆୟୋଜିତ ରପବ୍ଲିକ୍ ସମିଟ୍ରେ ଯୋଗଦେବା ଅବସରରେ ଗଡ଼କରୀ କହିଛନ୍ତି, ଗଣମାଧ୍ୟମ ସାମ୍ନାରେ ବିବୃତି ଦେବାକୁ ହେଲେ ଭାବିଚିନ୍ତି କହିବା ଆବଶ୍ୟକ। ବିଶେଷକରି ରାଜନେତାମାନେ ଯେତେ କମ୍ କହିବେ, ସେମାନଙ୍କ ପାଇଁ ସେତେ ଭଲ ହେବ। ବଲିଉଡ୍ ଚଳଚ୍ଚିତ୍ର ‘ବମ୍ବେ ଟୁ ଗୋଆ’ (୧୯୭୨)ର ଏକ ଦୃଶ୍ୟ (ଅତ୍ୟଧିକ ଖାଉଥିବା ନିଜ ପିଲାକୁ ଖାଇବାକୁ ନଦେବା ପାଇଁ ତା’ ପାଟିରେ ଅଭିଭାବକଙ୍କ ଦ୍ବାରା କପଡ଼ା ଭର୍ତ୍ତି କରାଯିବା ଦୃଶ୍ୟ)କୁ ଆଧାର କରି ଗଡ଼କରୀ କହିଛନ୍ତି, ଆମ ଦଳରେ ବେଳେବେଳେ କିଛି ନେତା ଆଗପଛ ବିଚାର ନକରି ଅନାବଶ୍ୟକ ଭାବେ ଅତ୍ୟଧିକ ଗପିଦେଇଥାନ୍ତି। ମୁହଁ ବନ୍ଦ କରିବା ପାଇଁ ସେମାନଙ୍କ ପାଟିରେ ମଧ୍ୟ କପଡ଼ା ଦେବା ଆବଶ୍ୟକ।
ଉଲ୍ଲେଖଯୋଗ୍ୟ, ବିଭିନ୍ନ ପ୍ରସଙ୍ଗରେ ବିଜେପି ନେତାମାନେ ଅଯଥା ବିବୃତି ଦେଇ ବିବାଦ ସୃଷ୍ଟି କରିବା ଅନେକ ନଜିର ରହିଛି। ନିକଟରେ ଅନୁଷ୍ଠିତ ଏକ ନିର୍ବାଚନୀ ପ୍ରଚାରରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହନୁମାନଙ୍କୁ ଦଳିତ ବୋଲି ବିବେଚନା କରିଥିଲେ। ଏହାକୁ ନେଇ ରାଜନୈତିକ ଝଡ଼ ସୃଷ୍ଟି ହୋଇଥିଲା। ଏମିତି କି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଗୋତ୍ର ବାବଦରେ ପ୍ରଶ୍ନ ଉଠାଇ ୟୁପି ବିଜେପି ମୁଖ୍ୟ ମହେନ୍ଦ୍ରନାଥ ପାଣ୍ଡେ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଥିଲେ। ରାଜ୍ୟ ବିଜେପି ବିଧାୟକ ସୁରେନ୍ଦ୍ର ସିଂହ ମଧ୍ୟ ଅନେକ ଥର ବିବାଦୀୟ ମନ୍ତବ୍ୟ ଦେଇଥିବା ଦୃଷ୍ଟାନ୍ତ ରହିଛି।
ବିଜେପି ନେତାଙ୍କୁ ଗଡ଼କରୀଙ୍କ ପରାମର୍ଶ, ଗଣମାଧ୍ୟମ ସାମ୍ନାରେ ସଂଯମୀ ହୁଅ
/sambad/media/post_attachments/wp-content/uploads/2018/10/nitin-gadkari-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)