ନୂଆଦିଲ୍ଲୀ: ଜଣେ ଟ୍ରକ୍ ଚାଳକ କେତେ ସମୟ ଟ୍ରକ୍ ଚଲାଇବା ଦରକାର? ଏହି ପ୍ରଶ୍ନର କୌଣସି ନିର୍ଦିଷ୍ଟ ଉତ୍ତର ବର୍ତ୍ତମାନ ନାହିଁ। ବାଣିଜ୍ୟିକ ଟ୍ରକ୍ ଚଲାଉଥିବା ଡ୍ରାଇଭରମାନେ ଅନେକ ସମୟରେ ରାତି ଅନିଦ୍ରା ହୋଇ ଦିନ ଦିନ ଧରି ଟ୍ରକ୍ ଚଲାଇ ଗନ୍ତବ୍ୟ ସ୍ଥଳରେ ମାଲ୍ ପହଞ୍ଚାଇଥାନ୍ତି। ଅଧିକ ସମୟ ଓ ଅନିଦ୍ରା ହୋଇ ଟ୍ରକ ଚଳାଉଥିବାରୁ ସେମାନେ କ୍ଳାନ୍ତ ହୋଇପଡ଼ନ୍ତି ଓ ଅନେକ ସମୟରେ ଦୁର୍ଘଟଣାର ସମ୍ମୁଖୀନ ମଧ୍ୟ ହୋଇଥାନ୍ତି। ସଡ଼କ ଦୁର୍ଘଟଣା କମ୍ କରିବା ଲାଗି ଟ୍ରକ୍ ଚାଳକମାନଙ୍କ କାର୍ଯ୍ୟ କରିବା ସମୟ ନିର୍ଘଣ୍ଟ କରିବା ସପକ୍ଷରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ ଗଡ଼କରୀ ଯୁକ୍ତି ବାଢ଼ିଛନ୍ତି। ସେ କହିଛନ୍ତି ଯେ ବିମାନର ପାଇଲଟ୍ଙ୍କ ଭଳି ଟ୍ରକ୍ ଚାଳକଙ୍କ ମଧ୍ୟ ଗାଡ଼ି ଚଲାଇବାର ଏକ ନିର୍ଦିଷ୍ଟ ସମୟ ନିଘଣ୍ଟ ହେବା ଉଚିତ। ଗୋଟିଏ ଦିନରେ ସେମାନେ କେତେ ସମୟ ଟ୍ରକ୍ ଚଲାଇବେ ତାହା ନିର୍ଧାରଣ କରାଯିବା ଦରକାର। ଏହା ସହିତ ବାଣିଜ୍ୟିକ ଟ୍ରକ୍ଗୁଡ଼ିକରେ ନିଦ୍ରା ଚିହ୍ନଟ କରୁଥିବା ସେନ୍ସର୍ ବ୍ୟବହାର କରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି। ଏହି ବ୍ୟବସ୍ଥା ଥିଲେ ଡ୍ରାଇଭରଙ୍କୁ ନିଦ ଲାଗୁଥିଲେ ସେନ୍ସର୍ ଆଗୁଆ ସୂଚନା ଦେଇପାରିବ। ଫଳରେ ସେ ଗାଡ଼ିକୁ ବନ୍ଦ କରି ବିଶ୍ରାମ ନେଇପାରିବେ।
ଡ୍ରାଇଭରଙ୍କ ନିଦ୍ରା ଚିହ୍ନଟ କରିବା ଲାଗି ୟୁରୋପୀୟ ଦେଶଗୁଡ଼ିକରେ ଚାଲୁଥିବା ଟ୍ରକ୍ରେ ବ୍ୟବସ୍ଥା ରହିଛି। ସେହି ଢାଞ୍ଚାରେ ଭାରତୀୟ ଗାଡ଼ିଗୁଡ଼ିକ ଲାଗି ବ୍ୟବସ୍ଥା ବିକଶିତ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି ବୋଲି ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ନିୟମିତ ବ୍ୟବଧାନରେ ଜିଲ୍ଲା ସଡ଼କ କମିଟି ବୈଠକ ଆୟୋଜନକୁ ନିଶ୍ଚିତ କରିବା ଲାଗି ସେ ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିବେ ବୋଲି କହିଛନ୍ତି। ଆଜି ସେ ଜାତୀୟ ସଡ଼କ ସୁରକ୍ଷା ପରିଷଦ (ଏନ୍ଆର୍ଏସ୍ସି) ପାଇଁ ମନୋନୀତ ସଦସ୍ୟଙ୍କ ପ୍ରାରମ୍ଭିକ ବୈଠକକୁ ସମ୍ବୋଧିତ କରିଛନ୍ତି। ପ୍ରତି ଦୁଇ ମାସରେ ବୈଠକ ଆୟୋଜନ କରି ବିଭିନ୍ନ କାର୍ଯ୍ୟର ଅଗ୍ରଗତି ବିଷୟରେ ସୂଚନା ଦେବାକୁ ମନ୍ତ୍ରୀ ଗଡ଼କାରୀ ନିର୍ଦେଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/trucks.jpg)