‘ଓଜନ କମାଅ, ପ୍ରତି କିଲୋ ପିଛା ୧୦୦୦ କୋଟି ଟଙ୍କା ପାଇବ’ ସାଂସଦଙ୍କୁ ଏଭଳି ଅଫର ଦେଲେ ଗଡ଼କରୀ

ନୂଆଦିଲ୍ଲୀ: ବିଜେପି ସାଂସଦଙ୍କୁ ଅଫର ଦେଲେ କେନ୍ଦ୍ର ମନ୍ତ୍ରୀ | ନିଜ ଓଜନ କମାଅ ଓ କମିଥିବା ଓଜନରେ ହଜାରେ ଗୁଣନ କରି ଅର୍ଥ ରାଶି ନିଅ | ବାସ୍ତବରେ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ମଧ୍ୟପ୍ରଦେଶର ଉଜ୍ଜୟିନୀରୁ ସାଂସଦ ଥିବା ଅନୀଲ ଫିରୋଜିଆଙ୍କୁ କିଛି ଏଭଳି ଅଫର ଦେଇଥିଲେ | ଆଉ ସାଂସଦ ମଧ୍ୟ ଗଡକରୀଙ୍କ ଏଭଳି ଅଫରକୁ ସ୍ୱୀକାର କରି ନିଜ ଓଜନ କମାଇଛନ୍ତି | ସୂଚନା ମୁତାବକ ସାଂସଦ ଅନୀଲ ଫିରୋଜିଆଙ୍କ ଓଜନ ୧୨୭ କିଲୋଗ୍ରାମ ଥିଲା | ଆଉ ଗଡ଼କରୀ ବାରମ୍ବାର ତାଙ୍କୁ ମେଦବହୁଳତା କମାଇବାକୁ ପରାମର୍ଶ ଦେଇଥିଲେ | ଖାଦ୍ୟପେୟରେ ନିୟନ୍ତ୍ରଣ କରି ମେଦବହୁଳତା କମାଇବାକୁ ଗଡ଼କରୀ ତାଙ୍କୁ କହିଥିଲେ ବି ସେ ଅଣଦେଖା କରିଥିଲେ | ତେବେ ଫେବୃୟାରୀ ୨୪ରେ ଗଡ଼କରୀ ସାଂସଦଙ୍କୁ ଏକ ଅଫର ଦେଇଥିଲେ |

ଗଡ଼କରୀ ତାଙ୍କୁ କହିଥିଲେ ଯେ ସେ ଓଜନ କମାନ୍ତୁ | ଯେତିକି ଓଜନ କମେଇବେ ପ୍ରତି କିଲୋ ପିଛା ୧ ହଜାର କୋଟି ଟଙ୍କା ଦିଆଯିବ | ଆଶ୍ଚର୍ଯ୍ୟ ହୋଇଗଲେ କି? ୧ କିଲୋ ପିଛା ୧ ହଜାର କୋଟି ଟଙ୍କା | ତେବେ ଆପଣଙ୍କ ଭଳି ସାଂସଦ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ | ସେ କିନ୍ତୁ ଏହି ଅଫର ଶୁଣି ଓଜନ କମାଇବାକୁ ଲାଗିପଡ଼ିଥିଲେ | ସନ୍ତୁଳିତ ଖାଦ୍ୟ ସହ ଯୋଗ କରି ସେ ନିଜ ଓଜନ ୧୫ କିଲୋ କମାଇଛନ୍ତି | ଆଉ ଏବାବଦରେ ସେ ଗଡକରୀଙ୍କୁ ଜଣାଇଥିଲେ |

ଗଡ଼କରୀ ମଧ୍ୟ ତାଙ୍କୁ ଦିଲ୍ଲୀ ଆସି ୧୫ ହଜାର କୋଟି ଟଙ୍କା ନେବାକୁ ନିମନ୍ତ୍ରଣ କରିଛନ୍ତି | ତେବେ ବର୍ତ୍ତମାନ ସତକଥା ଜଣାପଡିଛି | ବାସ୍ତବରେ ଗଡ଼କରୀ ଘୋଷଣା କରିଥିଲେ ଯେ ସାଂସଦ ଜଣକ ଯେତିକି କିଲୋ କମାଇବେ ସେତିକି ହଜାର କୋଟି ଟଙ୍କାର ପାଣ୍ଠି ବିକାଶମୂଳକ କାର୍ଯ୍ୟ ପାଇଁ ଦିଆଯିବ | ଆଉ ଅଫର ମୁତାବକ ଏବେ ୧୫ ହଜାର କୋଟି ଟଙ୍କା ଉଜ୍ଜୟିନୀର ବିକାଶ ପାଇଁ ଦେବାକୁ ନିଷ୍ପତ୍ତି ନିଆଯାଇଛି |

ସମ୍ବନ୍ଧିତ ଖବର