ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଦେଶରେ ଅଧିକରୁ ଅଧିକ ଫାର୍ମା କମ୍ପାନିକୁ ଟିକା ଉତ୍ପାଦନ କରିବାକୁ ଅନୁମତି ଦିଆଯିବା ଆବଶ୍ୟକ ବୋଲି କହିଥିଲେ। କେନ୍ଦ୍ରମନ୍ତ୍ରୀଙ୍କ ଏହି ମନ୍ତବ୍ୟ ପରେ କଂଗ୍ରେସ ଦଳ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରାଯାଇଛି। କଂଗ୍ରେସ ନେତା ଜୟରାମ ରମେଶ ମନେ ପକାଇ ଦେଇଛନ୍ତି ଯେ ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗତ ଏପ୍ରିଲରେ ଏକ ଚିଠି ଲେଖି ଭାରତର ଟିକା ଅଭାବ ଦୂର ପାଇଁ କେତେକ ପରାମର୍ଶ ଦେଇଥିଲେ। ଏଥିରେ ଟିକା ଉତ୍ପାଦନ ବୃଦ୍ଧି ପାଇଁ ମଧ୍ୟ କୁହାଯାଇଥିଲା। କିନ୍ତୁ ତାଙ୍କ ବସ୍ ଶୁଣୁଛନ୍ତି କି? ବାଲି ଜୟରାମ ରମେଶ ଟ୍ବିଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଇଙ୍ଗିତ କରିଛନ୍ତି।

Advertisment

ମଙ୍ଗଳବାର ଦେଶର ବିଶ୍ବବିଦ୍ୟାଳୟଗୁଡ଼ିକର କୁଳପତିମାନଙ୍କ ସମ୍ମିଳନୀକୁ ଡିଜିଟାଲ ମୋଡ୍‌ରେ ଉଦବୋଧନ ଦେଇ ଗଡ଼କରୀ କହିଥିଲେ, ଯୋଗାଣ ତୁଳନାରେ ଟିକାର ଚାହିଦା ଅଧିକ ରହିଲେ ସମସ୍ୟା ଦେଖାଦେବ। ତେଣୁ ଗୋଟିଏ କମ୍ପାନି ପରିବର୍ତ୍ତେ ୧୦ଟି କମ୍ପାନିକୁ ଟିକା ଉତ୍ପାଦନ କରିବାକୁ ଅନୁମତି ଦିଆଯିବା ଉଚିତ। ମୂଳ କମ୍ପାନିକୁ ୧୦ ପ୍ରତିଶତ ରୟାଲଟି ଦେଇ ଅନ୍ୟ କମ୍ପାନିକୁ ଟିକା ଅନମୁତି ଦିଆଯିବା ଆବଶ୍ୟକ ବୋଲି ଗଡ଼କରୀ ମତ ଦେଇଥିଲେ। ତେବେ ସରକାରଙ୍କ ପକ୍ଷରୁ ଅଧିକ କମ୍ପାନିକୁ ଟିକା ଉତ୍ପାଦନ ପାଇଁ ଅନୁମତି ଦିଆଯାଇଛି। ୧୨ଟି କାରଖାନା/କମ୍ପାନିରେ ଟିକା ଉତ୍ପାଦନ ଉଦ୍ୟମ ଚାଲିଛି। ଏ ସଂପର୍କରେ ସେ ଅବଗତ ନଥିଲେ ବୋଲି ଗଡ଼କରୀ ପରେ ସ୍ପଷ୍ଟୀକରଣ ଦେଇଛନ୍ତି।