ନୂଆଦିଲ୍ଲୀ: ୨୦୨୨ରେ ମାନବଯୁକ୍ତ ମହାକାଶ ଅଭିଯାନ ପାଇଁ ଏବେ ଭାରତର ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) କାର୍ଯ୍ୟକ୍ରମ ତ୍ୱରାନ୍ଵିତ କରିଛି। ୧୫ ଅଗଷ୍ଟରେ ଲାଲକିଲ୍ଲାରୁ ଉଦ୍୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଗନୟାନ ଅଭିଯାନ ସଂପର୍କରେ ଘୋଷଣା କରିବା ପରେ ଏହାକୁ ସାକାର କରିବା ପାଇଁ ଇସ୍ରୋ ତତ୍ପରତା ଦେଖାଇଛି। ପ୍ରଧାନମନ୍ତ୍ରୀ ତାଙ୍କ ଉଦ୍୍ବୋଧନରେ କହିଥିଲେ ଯେ ଭାରତ ୨୦୨୨ରେ ନିଜସ୍ୱ ମାନବଯୁକ୍ତ ମହାକାଶ ଅଭିଯାନକୁ ସାକାର କରିବ। ଇସ୍ରୋ ଅଧ୍ୟକ୍ଷ କେ ଶିବନ ଏହାପରେ ଘୋଷଣା କରିଥିଲେ ଯେ ଏହି ଅଭିଯାନ ଏକ ଜାତୀୟ ଅଭିଯାନ ହେବ, ଯେଉଁଥିରେ ଦେଶର ବିଭିନ୍ନ ସଂସ୍ଥା ସହଯୋଗ କରିବେ। ଏଥିରେ ବାୟୁସେନା ଅନ୍ତର୍ଗତ ଏରୋସ୍ପେସ୍ ମେଡିସିନ (ଆଇଏଏମ୍) ମଧ୍ୟ ସାମିଲ ହେବ। ଆଇଏଏମ୍ ଯେଉଁ ମହାକାଶଚାରୀମାନଙ୍କୁ ଚୟନ କରିବ ସେମାନଙ୍କୁ ୨୦୨୨ରେ ମହାକାଶକୁ ପଠାଯିବ। ଭାରତର ପ୍ରଥମ ମହାକାଶଚାରୀ ରାକେଶ ଶର୍ମାଙ୍କୁ ମଧ୍ୟ ଆଇଏଏମ୍ ତାଲିମ ଦେଇଥିଲା। ଆଇଏଏମ୍ ମୁଖ୍ୟ ଅନୁପମ ଅଗ୍ରଓ୍ଵାଲ କହିଛନ୍ତି ଯେ ଆମେ ଏବେ ୩୦ ମହାକାଶଯାତ୍ରୀଙ୍କୁ ଆବଶ୍ୟକ କରୁଛୁ ଏବଂ ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କୁ ଚୟନ କରାଯିବ। ସେମାନଙ୍କୁ ବିଭିନ୍ନ ପର୍ଯ୍ୟାୟରେ ତାଲିମ ପ୍ରଦାନ କରାଯିବ। ଯଦି ୩ ଜଣ ଯାତ୍ରୀଙ୍କୁ ପଠାଇବା ପାଇଁ ଯୋଜନା ହେବ ତା’ହେଲେ ଆମେ ୩ ଜଣ ଲେଖାଏଁ ମହାକାଶଯାତ୍ରୀଙ୍କୁ ନେଇ ୩ଟି ଟିମ୍ ଗଠନ କରିବୁ ଏବଂ ସେଥରୁ କୌଣସି ଗୋଟିଏ ଟିମ୍କୁ ଉଡ଼ାଣ ପୂର୍ବରୁ ୩ ମାସ ଧରି ଅନ୍ୟ ଜରୁରୀ ତାଲିମ ପ୍ରଦାନ କରାଯିବ। ସୂଚନାଯୋଗ୍ୟ, ମହାକାଶଯାତ୍ରୀଙ୍କୁ ଚୟନ ପ୍ରକ୍ରିୟା ଅତ୍ୟନ୍ତ ଜଟିଳ ଏବଂ ଏଥିରେ ପ୍ରାୟ ୧୨ରୁ ୧୪ ମାସ ସମୟ ଲାଗିଥାଏ।
ଗଗନୟାନ ଅଭିଯାନ: ୩୦ ମହାକାଶଚାରୀ ଆବଶ୍ୟକ କରୁଛି ଭାରତ
/sambad/media/post_attachments/wp-content/uploads/2018/09/7e519f35bca407e33c0c1951905a08f9.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)