ତିରୁପତି: ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଉତ୍କ୍ଷେପଣର ମାତ୍ର ୫ ସେକେଣ୍ଡ୍ ପୂର୍ବରୁ ‘ଇସ୍ରୋ’ ତା’ର ଆକାଙ୍କ୍ଷିତ ଗଗନଯାନ ମାନବବାହୀ ମହାକାଶଯାନ ଯୋଜନା ଲାଗି ଉଦ୍ଦିଷ୍ଟ ତରଳ ଇନ୍ଧନ ଚାଳିତ ରକେଟ୍ ‘ଟେଷ୍ଟ୍ ଭେଇକ୍ଲ୍’ର (ଟିଭି-ଡି୧) ପରୀକ୍ଷଣ ବାତିଲ କରିଛି।
‘ଇସ୍ରୋ’ ଅଧ୍ୟକ୍ଷ ଏସ୍. ସୋମନାଥ କହିଛନ୍ତି, ଇଞ୍ଜିନ୍ ଷ୍ଟାର୍ଟ ନ ହେବା କାରଣରୁ ଉତ୍କ୍ଷେପଣ ସ୍ଥଗିତ ରଖାଯାଇଛି। ତ୍ରୁଟିବିଚ୍ୟୁତି ଅନୁଧ୍ୟାନ କରି ସୁଧାରିବା ପରେ ପୁଣି ଏହାକୁ ଉତ୍କ୍ଷେପଣ କରାଯିବ।
ଆନ୍ଧ୍ରପ୍ରଦେଶ ଅନ୍ତର୍ଗତ ତିରୁପତି ଜିଲ୍ଲାରେ ଥିବା ଶ୍ରୀହରୀକୋଟାସ୍ଥିତ ସତୀଶ ଧୱନ୍ ମହାକାଶ କେନ୍ଦ୍ରରୁ ଆଜି ସକାଳ ୮ ରେ ‘ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ’ ବା ‘ଇସ୍ରୋ’ ତା’ର ଆକାଙ୍କ୍ଷିତ ଗଗନଯାନ ମାନବବାହୀ ମହାକାଶଯାନ ଯୋଜନା ଲାଗି ଉଦ୍ଦିଷ୍ଟ ତରଳ ଇନ୍ଧନ ଚାଳିତ ରକେଟ୍ ‘ଟେଷ୍ଟ୍ ଭେଇକ୍ଲ୍’ର (ଟିଭି-ଡି୧) ପରୀକ୍ଷଣ କରିବ ବୋଲି ସମୟ ଧାର୍ଯ୍ୟ କରାଯାଇଥିଲା।
ପୁଣି ସମୟ ପରିବର୍ତ୍ତନ କରାଯାଇ ସକାଳ ୮.୩୦ରେ ଏହାର ପରୀକ୍ଷଣ କରାଯିବ ବୋଲି ‘ଇସ୍ରୋ’ ଘୋଷଣା କଲା। ତା’ପରେ ଉତ୍କ୍ଷେପଣ ସମୟ ୮.୪୫ ବୋଲି ପୁଣି ଘୋଷଣା କରାଗଲା, ଏବଂ ଶେଷ ମୁହୂର୍ତ୍ତରେ ଯାନ୍ତ୍ରିକ ତ୍ରୁଟି ଦର୍ଶାଇ ଉତ୍କ୍ଷେପଣ ସମ୍ପୂର୍ଣ୍ଣ ସ୍ଥଗିତ ରଖାଯାଇଛି ବୋଲି ଘୋଷଣା କରାଗଲା।
‘ଟିଭି-ଡି୧’ର ପରୀକ୍ଷାମୂଳକ ଉଡ଼ାଣ ହେଉଛି ‘ଗଗନଯାନ ଅଭିଯାନ’ର ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ମହାକାଶରେ ୪୦୦ କିଲୋମିଟର୍ବିଶିଷ୍ଟ କକ୍ଷପଥରେ ୩ ଦିନ ଲାଗି ପରିକ୍ରମା କରିବା ଲାଗି ୩ଜଣ ମଣିଷଙ୍କୁ ନେଇପାରିବା ଭଳି ମହାକାଶଯାନ ପ୍ରେରଣ କରିବାରେ ଏହି ପରୀକ୍ଷଣ ଭାରତର ସାମର୍ଥ୍ୟ ପ୍ରତିପାଦନ କରିବ। କେବଳ ସେତିକି ନୁହେଁ ପରିକ୍ରମା ପରେ ଉକ୍ତ ମହାକାଶଯାନ ଯେମିତି ନିରାପଦରେ ଭାରତ ମହାସାଗର ଜଳରାଶିରେ ଅବତରଣ କରିବ, ତାହା ଉପରେ ମଧ୍ୟ ଏହି ଅଭିଯାନର ସଫଳତା ନିର୍ଭର କରୁଛି।
ଏହି ବ୍ୟବହାରିକ ପରୀକ୍ଷଣରେ ପ୍ରାରମ୍ଭିକ ‘ଗଗନଯାନ କ୍ରୁ’ ମଡେଲ୍’ ଉଡ଼ାଣ କରୁଥିବା ବେଳେ ରକେଟ୍ରୁ ପୃଥକ୍ ହେବାରେ ସଫଳ ହେଉଛି ତାହା ଲକ୍ଷ୍ୟ କରାଯିବ।
‘ଟିଭି-ଡି୧’ ରକେଟ୍ରେ ଆଂଶିକ ପରିବର୍ତ୍ତିତ ‘ବିକାଶ’ ଇଞ୍ଜିନ୍ ଲାଗିଛି। ଏହାର ସମ୍ମୁଖରେ ଖଞ୍ଜାଯାଇଛି ‘କ୍ରୁ ମୋଡ୍ୟୁଲ୍’ ଓ ‘କ୍ରୁ ଏସ୍କେପ୍ ସିଷ୍ଟମ୍’। ୩୪.୯ ମିଟର୍ବିଶିଷ୍ଟ ଏହି ରକେଟ୍ ୪୪ ଟନ୍ ଓଜନ ଉଠାଇବାକୁ ସମର୍ଥ।