ଡିସେମ୍ବର ୨୦୨୦ ପାଇଁ ଯୋଜନା କରାଯାଇଥିବା ମାନବରହିତ ମହାକାଶ ଅଭିଯାନ ‘ଗଗନଯାନ’ ଉତ୍‌କ୍ଷେପଣ ବିଳମ୍ବ ହୋଇପାରେ

ନୂଆଦିଲ୍ଲୀ: ଡିସେମ୍ବର ୨୦୨୦ରେ ଶୁଭାରମ୍ଭ ହେବାକୁ ଯୋଜନା କରାଯାଇଥିବା ଭାରତର ମାନବରହିତ ମହାକାଶ ଅଭିଯାନ ‘ଗଗନଯାନ’ର ପ୍ରଥମ ଚରଣ କରୋନାଭାଇରସ୍ ମହାମାରୀଜନିତ ବାଧା କାରଣରୁ ବିଳମ୍ବ ହେବାର ସମ୍ଭାବନା ଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି।

୨୦୨୧ ଡିସେମ୍ବରରେ ଭାରତର ପ୍ରଥମ ମାନବବାହୀ ମହାକାଶଯାନ ‘ଗଗନଯାନ’ର ଉତ୍‌କ୍ଷେପଣ ପୂର୍ବରୁ ‘ଇସ୍ରୋ’ ଦୁଇଟି ମାନବରହିତ ମହାକାଶ ଅଭିଯାନ ପାଇଁ ବ୍ୟବସ୍ଥା କରିଥିଲା। ପ୍ରଥମ ମାନବରହିତ ଅଭିଯାନ ବିଳମ୍ବ ହୋଇପାରେ ବୋଲି ସ୍ପେସ୍ କମିସନ୍ କହିଛନ୍ତି। ସ୍ପେସ୍‌ କମିସନ୍‌ର ମୁଖ୍ୟ ହେଉଛନ୍ତି ‘ଇସ୍ରୋ’ ଅଧ୍ୟକ୍ଷ ଏବଂ ମହାକାଶ ବିଭାଗର ସଚିବ କେ ସିବନ।

ଦୁଇ ବର୍ଷ ତଳେ ସ୍ବାଧୀନତା ଦିବସ ଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ ମାନବ ମହାକାଶ ଅଭିଯାନ ପ୍ରସଙ୍ଗ ଘୋଷଣା କରିଥିଲେ। ୨୦୨୨ ମସିହାରେ ଭାରତର ୭୫ତମ ସ୍ବାଧୀନତା ଦିବସ ପୂର୍ତ୍ତି ଅବସରରେ ଗଗନଯାନ ଉତ୍‌‌କ୍ଷେପଣ ଯୋଜନା କରାଯାଇଥିଲା। ଏହି ମହାକାଶଯାନରେ ତିନିଜଣ କ୍ରୁ’ ପାଞ୍ଚରୁ ସାତ ଦିନ ସକାଶ ମହାକାଶରେ ପରିକ୍ରମଣ କରି‌ବେ।

Image Courtesy of Yahoo News India

‘ଇସ୍ରୋ’ ତଦନୁଯାୟୀ ଯୋଜନା କରିଥିଲା। ପ୍ରଥମ ମାନବରହିତ ଅଭିଯାନ ଡିସେମ୍ବର ୨୦୨୦ରେ ଏବଂ ଦ୍ବିତୀୟ ମାନବରହିତ ଅଭିଯାନ ଜୁନ୍ ୨୦୨୧ରେ ଲଞ୍ଚ୍ କରାଯିବାକୁ ଯୋଜନା କରାଯାଇଥିଲା। ଏବଂ ଚୂଡ଼ାନ୍ତ ମାନବବାହୀ ‘ଗଗନଯାନ’ ଅଭିଯାନ ୨୦୨୨ ଶେଷ ତାରିଖର ବହୁ ପୂର୍ବରୁ ଅର୍ଥାତ୍ ଡିସେମ୍ବର ୨୦୨୧ରେ କରାଯିବାକୁ ସମୟ ଧାର୍ଯ୍ୟ କରାଯାଇଥିଲା।

କରୋନାଭାଇରସ୍ ମହାମାରୀ କାରଣରୁ ‘ଇସ୍ରୋ’ର ଅନେକ କାର୍ଯ୍ୟରେ ବାଧା ସୃଷ୍ଟି ହେବାରୁ କେତେଗୁଡ଼ିଏ ଅଭିଯାନରେ ବିଳମ୍ବ ହେବ। ସେଗୁଡ଼ିକ ମଧ୍ୟରୁ ଉଲ୍ଲେଖଯୋଗ୍ୟ ହେଉଛି ଚନ୍ଦ୍ରଯାନ-୩ ଓ ଗଗନଯାନ। ଚନ୍ଦ୍ରକୁ ତୃତୀୟ ଅଭିଯାନ ଚନ୍ଦ୍ରଯାନ-୩ ଏ ବର୍ଷର ଶେଷ ଆଡ଼କୁ ସ୍ଥିର କରାଯାଇଥିଲା। କିନ୍ତୁ, ୨୦୨୨ ସୁଦ୍ଧା ମାବନ ମହାକାଶ ଅଭିଯାନ ଆରମ୍ଭ କରିବାକୁ ସାଧ୍ୟମତେ ଉଦ୍ୟମ ଚାଲିଥିବା କଥା କୁହାଯାଉଛି। ଗଗନଯାନ ଲାଗି ରୁଷ୍‌ରେ ଚାରିଜଣ ଭାରତୀୟ ମହାକାଶଚାରୀଙ୍କ ତାଲିମ ମଧ୍ୟ କରୋନାଭାଇରସ୍ ମହାମାରୀ କାରଣରୁ ବନ୍ଦ ଥିଲା। ଏବେ ତାହା ପୁଣି ଚାଲିଲାଣି।

 

ସମ୍ବନ୍ଧିତ ଖବର