ନୂଆଦିଲ୍ଲୀ: ଆସନ୍ତା ୧୫ ତାରିଖରେ ପାଳିତ ହେବାକୁ ଥିବା ଦେଶର ୭୧ ତମ ସ୍ୱାଧୀନତା ଦିବସ କାହା ପାଇଁ କ’ଣ ଅର୍ଥ ରଖୁ ବା ନରଖୁ; କିନ୍ତୁ, ରାଜସ୍ଥାନ ଜୟପୁରର ୬୮ ବର୍ଷ ବୟସ୍କ ଗଜାନନ୍ଦ ଶର୍ମାଙ୍କ ପାଇଁ ପ୍ରକୃତ ଅର୍ଥରେ ସ୍ୱାଧୀନତା ଆଣି ଦେଇଛି। ଦୀର୍ଘ ୩୬ ବର୍ଷର ଦୀର୍ଘ ଓ ଶେଷହୀନ ପ୍ରତୀକ୍ଷା ପରେ ଏବେ ସ୍ୱାଧୀନତା ପାଇ ଗଜାନନ୍ଦ ଫେରୁଛନ୍ତି ନିଜ ଘର, ପରିବାର ବର୍ଗ ତଥା ଆତ୍ମୀୟ ସ୍ୱଜନଙ୍କ ନିକଟକୁ। ବିଗତ ୩୬ ବର୍ଷ କାଳ ପାକିସ୍ତାନ ଲାହୋରର କେନ୍ଦ୍ରୀୟ ଜେଲରେ ବନ୍ଦୀ ଜୀବନ ବିତାଇବା ପରେ ଅବଶେଷରେ ୭୧ ତମ ସ୍ୱାଧୀନତାର ଦିନକ ପୂର୍ବରୁ ସେ ଆଜି (ସୋମବାର) ପାକିସ୍ତାନରୁ ଓ୍ଵାଘା ବର୍ଡର ବାଟେ ଆସି ପାଦ ରଖିଛନ୍ତି ଭାରତ ମାଟିରେ।
ତେବେ, ଗଜାନନ୍ଦଙ୍କ କାହାଣୀ କୌଣସି ଚଳଚ୍ଚିତ୍ରର କାହାଣୀ ଠାରୁ କୌଣସି ଗୁଣରେ କମ୍ ନୁହେଁ। ଆଜକୁ ୩୬ ବର୍ଷ ତଳେ ଗଜାନନ୍ଦଙ୍କୁ ଯେତେବେଳେ ବୟସ ୩୨ ବର୍ଷ ହୋଇଥିଲା ସେତେବେଳେ ସେ ହଠାତ୍ ଦିନେ ଜୟପୁରରୁ ରହସ୍ୟମୟ ଭାବେ ନିଖୋଜ ହୋଇ ଯାଇଥିଲେ। ଗଜାନନ୍ଦ ନିଖୋଜ ହେବା ପରେ ତାଙ୍କ ପରିବାର ବର୍ଗ ତାଙ୍କ ନିଖୋଜ ସଂପର୍କରେ ଥାନାରେ ରିପୋର୍ଟ ଲେଖାଇବା ସହ ପାଖ ଦୂର ସବୁ ସ୍ଥାନରେ ଖୋଜିଥିଲେ ତାଙ୍କୁ। ହେଲେ, ସମସ୍ତଙ୍କର ସବୁ ଉଦ୍ୟମ ବ୍ୟର୍ଥ ଯାଇଥିଲା। ଗଜାନନ୍ଦଙ୍କ ସଂପର୍କରେ କୌଣସି ପ୍ରକାରର ସାମାନ୍ୟତମ ସୂଚନା ବା ସୁରାକ୍ କହାରିକୁ ହେଲେ ମିଳପାରି ନଥିଲା। ଏମିତି ଅବସ୍ଥାରେ ଦୁଇ ତିନି ବର୍ଷ ବିତିଯିବା ପରେ ତାଙ୍କ ପରିବାର ଲୋକେ ଭାବିନେଲେ ଯେ କୌଣସି ଏକ ଅଜ୍ଞାତ ସ୍ଥାନରେ ଗଜାନନ୍ଦ ମରିହଜି ଯାଇଛନ୍ତି। ତେଣୁ, ପରିବାର ଲୋକେ ନିଜ ମନକୁ ପ୍ରବୋଧନା ଦେଇ ଗଜାନନ୍ଦଙ୍କ ନିଖୋଜ ଘଟଣାକୁ ମନରୁ ପାସୋରି ଦେଇଥିଲେ।
ହେଲେ, ଚଳିତ ବର୍ଷ ଆରମ୍ଭରେ ଗଜାନନ୍ଦଙ୍କ ପରିବାରକୁ ଏକ ବଡ଼ ଝଟକା ଲାଗିଲା, ଯେତେବେଳେ ଜୟପୁରର ଏସପି ଗଜାନନ୍ଦଙ୍କ ଘରକୁ ଆସି ତାଙ୍କ ପରିବାର ଲୋକଙ୍କ ଠାରୁ ତାଙ୍କ ସଂପର୍କରେ ତଥ୍ୟ ସଂଗ୍ରହ କଲେ। କାରଣ, ପାକିସ୍ତାନ ସରକାର ବିଦେଶ ମନ୍ତ୍ରାଳୟ ମାଧ୍ୟମରେ ଗଜାନନ୍ଦଙ୍କର ଏକ ଫଟୋ ସହ ସେ ଦେଇଥିବା ଠିକଣାକୁ ଦେଇ ତାଙ୍କର ନାଗରିକତ୍ୱ ଓ ସେ ଦେଇଥିବା ତଥ୍ୟ ସବୁ ଠିକ୍ ନା ନୁହେଁ ତାହା ପରୀକ୍ଷା କରି ଦେଖିବାକୁ ଜୟପୁର ଏସ୍ପିଙ୍କ ନିକଟକୁ ପଠାଇଥିଲେ। ଚଳିତ ବର୍ଷ ପାକିସ୍ତାନ ଅଗଷ୍ଟ ୧୪ ତାରିଖରେ ନିଜର ସ୍ୱାଧୀନତା ଦିବସ ପାଳନ କରିବା ଅବସରରେ ଗଜାନନ୍ଦଙ୍କୁ ଲାହୋର ଜେଲ୍ରୁ ମୁକ୍ତ କରିଦେବାକୁ ନିଷ୍ପତ୍ତି ନେଇଥିଲେ।
ଗଜାନନ୍ଦଙ୍କ ଫଟୋକୁ ଦେଖି ତାଙ୍କୁ ଚିହ୍ନଟ କଲେ, ତାଙ୍କ ସାନ ପୁଅ ମୁକେଶ ଶର୍ମା। ତହୁଁ, ଜୟପୁର ଏସପି ପରିବାର ଲୋକଙ୍କୁ ଖୋଲି କହିଥିଲେ ସବୁକଥା। ନିଖୋଜ ହେବାପରେ ଗଜାନନ୍ଦ ନିଜ ଅଜଣାତରେ ପଶି ଯାଇଥିଲେ ପାକିସ୍ତାନ ସୀମା ଭିତରକୁ ଆଉ ଗିରଫ ହୋଇଥିଲେ ପାକିସ୍ତାନର ସୁରକ୍ଷା କର୍ମୀଙ୍କ ହାତରେ। ପରେ ତାଙ୍କୁ ବନ୍ଦୀ କରି ରଖା ଯାଇଥିଲା ପାକିସ୍ତାନ ଲାହୋରର କେନ୍ଦ୍ରୀୟ କାରାଗାରରେ। ସେବେଠୁ ଗଜାନନ୍ଦ ଥିଲେ ସେଠାରେ। ନିଖୋଜ ହେବା ବେଳକୁ ଗଜାନନ୍ଦଙ୍କ ବୟସ ଥିଲା ୩୨ ଏବେ ତାଙ୍କର ବୟସ ହେଉଛି ୬୮। ଗଜାନନ୍ଦ ଭାରତର ନାଗରିକ ଥିବା ସହ ସେ ପ୍ରଦାନ କରିଥିବା ସମସ୍ତ ତଥ୍ୟ ଓ ଠିକଣା ଠିକ ଥିବା ଜୟପୁର ଏସ୍ପି ବିଦେଶ ମନ୍ତ୍ରାଳୟ ମାଧ୍ୟମରେ ଜଣାଇବା ପରେ ନିଜ ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ପାକିସ୍ତାନ କର୍ତ୍ତୃପକ୍ଷ ଆଜି ଅପରାହ୍ଣରେ ଗଜାନନ୍ଦଙ୍କୁ ଭାରତୀୟ କର୍ତ୍ତୃପକ୍ଷଙ୍କ ହାତରେ ହସ୍ତାନ୍ତର କରିଛନ୍ତି। ଏବେ ଗଜାନନ୍ଦ ଫେରୁଛନ୍ତି ସ୍ୱ ଗୃହକୁ ନିଜ ପରିବାର ବର୍ଗଙ୍କ ପାଖକୁ। ତେବେ, ଗଜାନନ୍ଦ ଜୀବିତ ଥିବା ସଶରୀରରେ ଘରକୁ ଫେରୁଥିବା ଜାଣିବା ପରେ ତାଙ୍କ ପତ୍ନୀ ଭୋକ ଶୋଷ ସବୁ କିଛି ଭୁଲି କାତର ନୟନରେ ଚାହିଁ ରହିଛନ୍ତି ସ୍ୱାମୀ ଗଜାନନ୍ଦଙ୍କର ଗୋଟିଏ ଝଲକ ପାଇବାକୁ। ଗଜାନନ୍ଦଙ୍କୁ ସ୍ୱାଗତ କରିବା ପାଇଁ କେବଳ ତାଙ୍କ ପତ୍ନୀ ବା ପରିବାରର ଲୋକେ ଅପେକ୍ଷା କରି ରହି ନାହାନ୍ତି, ସାରା ଜୟପୁର ସହର ବାସୀ ଗଜାନନ୍ଦଙ୍କୁ ସ୍ୱାଗତ କରିବା ପାଇଁ ହାତରେ ଜଳନ୍ତା ମହମବତୀ ଧରି ଅପେକ୍ଷାରେ ଅଛନ୍ତି।
ତେବେ, ସବୁଠାରୁ ବଡ଼ ପ୍ରଶ୍ନ ଯାହା ସମସ୍ତଙ୍କୁ ଆନ୍ଦୋଳିତ କରୁଛି- ଗଜାନନ୍ଦ ପାକିସ୍ତାନ ଗଲେ କାହିଁକି ଏବଂ ସେଠାରେ ବନ୍ଦୀ କିପରି, ତାହାର ଉତ୍ତର କେବଳ ମାତ୍ର ଗଜାନନ୍ଦ ହିଁ ଦେଇ ପାରିବେ ନିଜ ଘରେ ପହଞ୍ଚିବା ପରେ।