ନୂଆଦିଲ୍ଲୀ : ପୂର୍ବ ଲଦାଖର ଗଲଓ୍ୱାନ ଉପତ୍ୟକାରେ ଭାରତ ଓ ଚୀନ୍ ସେନା ଦୀର୍ଘ ୬୧ ଦିନ କାଳ ମୁହାଁମୁହିଁ ପରିସ୍ଥିତିରେ ରହିବା ପରେ ବିଭିନ୍ନ ପର୍ଯ୍ୟାୟ ଆଲୋଚନାକ୍ରମେ ଉଭୟ ପକ୍ଷ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ଉତ୍ତେଜନା ହ୍ରାସ ପାଇଁ ସକାରାତ୍ମକ ପଦକ୍ଷେପ ନେବା ପାଇଁ ସହମତ ହୋଇଛନ୍ତି। ତେବେ ଏ ପରିପ୍ରେକ୍ଷୀରେ ୧୯୬୨ ଚୀନ୍ ଯୁଦ୍ଧର ତିନି ମାସ ଆଗରୁ ଏକ ପୁରୁଣା ଖବରକାଗଜର ୧୯୬୨ ଜୁଲାଇ ୧୫ ତାରିଖ ସଂସ୍କରଣରେ ସ୍ଥାନୀତ 'ଚୀନୀ ସେନା ଗଲଵାନ୍ ଘାଟିରୁ ହଟିଲେ' ଶୀର୍ଷକ ସମ୍ବାଦର ଉଦ୍ଧୃତାଂଶ ଏବେ ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହେବାରେ ଲାଗିଛି। ଉକ୍ତ ଖବରର ସାମ୍ପ୍ରତିକ ପ୍ରାସଙ୍ଗିକତା ରହିଛି।
ଗଲଓ୍ୱାନ୍ ଉପତ୍ୟକାରେ ଚଳିତ ମାସ ପ୍ରାରମ୍ଭରୁ ଆରମ୍ଭ ହୋଇଥିବା ଉତ୍ତେଜନା ହ୍ରାସ ପ୍ରକ୍ରିୟା ହେଉଛି ଉଭୟ ଦେଶର ଦ୍ବିତୀୟ ଉଦ୍ୟମ। ଗତମାସରେ ଆରମ୍ଭ ହୋଇଥିବା ପ୍ରଥମ ଉଦ୍ୟମର ପରିଣାମ ଜୁନ୍ ୧୫ ତାରିଖ ରାତିରେ ରକ୍ତାକ୍ତ ସଂଘର୍ଷର ରୂପ ନେଇଥିଲା, ଯେଉଁଥିରେ ଜଣେ ଭାରତୀୟ ମେଜରଙ୍କ ସମେତ ୨୦ ଜଣ ଯବାନ ସହିଦ ହୋଇଥିଲେ। ଚୀନୀ ସେନା ମଧ୍ୟ ଅଘୋଷିତ ମୃତାହତ ଓ କ୍ଷୟକ୍ଷତି ସହିଥିଲା। ବର୍ତ୍ତମାନର ସୀମା ସ୍ଥିତି ସହ ୧୯୬୨ ଘଟଣାର ଏକ ସମାନ୍ତରାଳ ସାମଞ୍ଜସ୍ୟ ଟାଣିବାକୁ ସାମାଜିକ ଗଣମାଧ୍ୟମରେ ଉକ୍ତ ପୁରୁଣା ଖବରର ଉଦ୍ଧୃତାଂଶ ଘୂରି ବୁଲୁଛି। ୧୯୬୨ ଅକ୍ଟୋବର ଚୀନ୍ ଯୁଦ୍ଧର କେଇ ମାସ ଆଗରୁ ଗଲଵାନ୍ ଘାଟିରେ ଦୁର୍ଗମ ପାର୍ବତ୍ୟାଞ୍ଚଳ ଓ ପ୍ରତିକୂଳ ପାଗ ସତ୍ତ୍ବେ ଏକ ଭାରତୀୟ ସୈନିକ ଦଳର ଦେଖାଇଥିବା ଅଦମ୍ୟ ସାହସ ଓ ଉତ୍ସାହ ଯୁଗେ ଯୁଗେ ସ୍ମରଣୀୟ ହୋଇ ରହିଥିବ।
ତିବ୍ଦତକୁ ଚୀନ୍ ଦଖଲ କରି ଅକ୍ଷୟ ଚୀନ୍ରେ ଏକ ରାସ୍ତା ନିର୍ମାଣ ଅବସରରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଅଗ୍ରଗାମୀ ଯୋଜନାର ଅଂଶବିଶେଷ ୧୯୬୨ ଗ୍ରୀଷ୍ମ ପୂର୍ବରୁ ଭାରତୀୟ ସେନା ଗଲଵାନ ଉପତ୍ୟକାରେ ପହଞ୍ଚି ସାରିଥିଲା ଏବଂ ଜୁଲାଇ ୫ରେ ସେଠାରେ ଏକ ଘାଟି ନିର୍ମାଣ କରିଥିଲା। ପରେ ଲଦାଖର ଉତ୍ତରରେ ଦୌଲତବେଗ ଓଲ୍ଡି ଠାରୁ ଦକ୍ଷିଣରେ ଡେମଚୋକ୍ ଯାଏ ୪୮୦ କିମି ସୀମା ଜଗିବା ପାଇଁ ମାତ୍ର ୧୦ରୁ ୨୦ ଯବାନ ବିଶିଷ୍ଟ ୩୬ଟି ଘାଟି ନିର୍ମାଣ କରାଯାଇଥିଲା। ଯୋଗାଯୋଗ ସୁବିଧା ନଥିବାରୁ ଉଷ୍ମପ୍ରସ୍ରବଣ ଠାରୁ ଦୀର୍ଘ ୮୦ କିମି ଚାଲି ଚାଲି ସେମାନେ ଗଲଵାନ ଉପତ୍ୟକାରେ ପହଞ୍ଚୁଥିଲେ। ତେବେ ଗଲଵାନ ଘାଟିରେ ପଇଁତରା ମାରୁଥିବା ଗୋର୍ଖା ଯବାନଙ୍କୁ ଜୁଲାଇ ୬ରେ ଚୀନୀ ସେନା ଦେଖିପାରି ଏ ସମ୍ପର୍କରେ ଉଚ୍ଚ ସାମରିକ ଅଧିକାରୀଙ୍କୁ ଜଣାଇଥିଲା। ଏହାର ୪ ଦିନ ପରେ ଭାରତୀୟ ଘାଟିରେ ଥିବା ୩୦ ଜଣ ଯବାନଙ୍କୁ ୩୫୦ ଜଣ ଚୀନୀ ସୈନିକ ମାଡ଼ି ଆସି ୪୫ ମିଟର ଦୂରରୁ ଘେରିଗଲେ। ସଂଖ୍ୟାରେ ଦୁର୍ବଳ ଥାଇ ସୁଦ୍ଧା ନାଏକ ସୁବେଦାର ଜଙ୍ଗ ବାହାଦୂର ଗୁରଙ୍ଗଙ୍କ ନେତୃତ୍ବରେ ଗୋର୍ଖା ଯବାନମାନେ ଅସୀମ ସାହସ ପ୍ରଦର୍ଶନ କରିଥିଲେ। ତେବେ ଏହା ପରେ ଚୀନ୍ ସେନା ୨୦୦ ମିଟର ପଛକୁ ହଟିଥିଲା। ଉଦ୍ଦେଶ୍ୟ ଥିଲା ଭାରତୀୟ ଯବାନମାନଙ୍କୁ ମଧ୍ୟ ଅନୁରୂପ ଭାବେ ପଛକୁ ହଟାଇବା। ତେବେ ପରେ ଭାରତୀୟ ଯବାନମାନେ ପଛକୁ ଫେରି ଆସିବା ପରେ ଚୀନ୍ ଯେଭଳି ବିଶାଳ ସଂଖ୍ୟା ସହ ଅତର୍କିତ ଆକ୍ରମଣ କରି ୧୯୬୨ ଯୁଦ୍ଧ ଭିଆଇଥିଲା, ତାହା ସମସ୍ତଙ୍କୁ ଜଣା। ବର୍ତ୍ତମାନ ସ୍ଥିତିରେ ପୂର୍ବର ସେଭଳି ମନୋଭାବ ରଖି ଚୀନୀ ସେନା ପଛକୁ ହଟିନାହିଁ ତ ବୋଲି ମନରେ ପ୍ରଶ୍ନ ଉଠେ। ତେବେ ଅତୀତ ଅନୁଭୂତିରୁ ଭାରତ ଢେର୍ କିଛି ଶିଖିଛି ଏବଂ ତଦନୁସାରେ ନିଜର ଶକ୍ତି ସାମର୍ଥ୍ୟକୁ ଗଲଵାନରେ ବଢ଼ାଇଚାଲିଛି।