ଜୁଆ ଖେଳୁଥିବାବେଳେ ପହଞ୍ଚିଗଲେ ପୁଲିସ, ଭୟରେ ନଦୀ ଭିତରକୁ ଡେଇଁପଡିଲେ ଜୁଆଡ଼ି

 

ଭୋପାଳ: ରାତାରାତି କୋଟିପତି ହେବା ନିଶାରେ ସାଙ୍ଗମାନଙ୍କ ସହ ମିଶି ଜୁଆ ଖେଳୁଥିଲେ | ହେଲେ ଠିକ ଏହି ସମୟରେ ପହଞ୍ଚିଗଲା ପୁଲିସ | ଆଉ ପୁଲିସ ଭୟରେ ନଦୀକୁ ଡେଇଁପଡିଲେ ଜୁଆଡ଼ି | ଆଉ ପାଖାପାଖି ଗୋଟିଏ ଦିନ ଧରି ଖୋଜିବା ପରେ ଶେଷରେ ମୃତଦେହ ଉଦ୍ଧାର କରାଯାଇଛି | ମଧ୍ୟପ୍ରଦେଶର ଭିଣ୍ଡ ଅଂଚଳରେ ଏଭଳି ଏକ ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ଭିଣ୍ଡ ଜିଲ୍ଲାର ରୋହନ୍ଦା ଗ୍ରାମରେ ଜୁଆ ଖେଳ ଚାଲିଥିବାବେଳେ ପୁଲିସ କର୍ମଚାରୀମାନେ ଚଢ଼ାଉ କରିଥିଲେ | ତେବେ ପୁଲିସ କର୍ମଚାରୀଙ୍କୁ ଦେଖି ଜୁଆଡ଼ିମାନେ ଛତ୍ରଭଙ୍ଗ ଦେଇଥିଲେ |

ଏହି ସମୟରେ ପ୍ରୟାଗ ସିଂହ ନାମକ ଜଣେ ଜୁଆଡ଼ି ନଦୀକୁ ଡେଇଁପଡ଼ିଥିଲେ | ଏନେଇ ଜଣାପଡିବା ପରେ ଦମକଳ ବାହିନୀ ଓ ଏସଡିଆରଏଫ ପକ୍ଷରୁ ନଦୀରେ ଖୋଜାଖୋଜି କରାଯାଇଥିଲା | ଶେଷରେ, ପାଖାପାଖି ଦେଢଦିନର ଖୋଜାଖୋଜି ପରେ ତାଙ୍କ ମୃତଦେହ ମୋଣ୍ଡାନା ଗ୍ରାମ ନିକଟରେ ଥିବା ଡ୍ୟାମରୁ ଉଦ୍ଧାର କରାଯାଇଥିଲା | ମୃତଦେହ ଉଦ୍ଧାର କରି ପୁଲିସ ଶବ ବ୍ୟବଛେଦ ପାଇଁ ପଠାଇଦେଇଥିଲା | ଅନ୍ୟପଟେ ଏହି ଘଟଣା ପରେ ମୃତକଙ୍କ ପୁଅ ରବି ସିଂ ତୋମାର ଅଭିଯୋଗ କରିଛନ୍ତି ଯେ ଜୁଆ ଖେଳ ଚାଲିଥିବାବେଳେ ପୁଲିସ ପହଞ୍ଚି ଫାଙ୍କା ଗୁଳିଚାଳନା କରିଥିଲା |

ଏହା ସହ ପୁଲିସ ତାଙ୍କ ବାପାଙ୍କ ସହ ଅନ୍ୟମାନଙ୍କଠାରୁ ଟଙ୍କା ମଧ୍ୟ ଛଡାଇ ନେଇଥିଲେ | ଅନ୍ୟମାନେ ସେଠାରୁ ପଳାଇଥିବାବେଳେ ତାଙ୍କ ବାପାଙ୍କୁ ପୁଲିସ କର୍ମଚାରୀମାନେ ନଦୀ ଭିତରକୁ ଠେଲି ଦେଇଥିଲେ | ଅନ୍ୟପକ୍ଷରେ ଡେପୁଟି ପୁଲିସ୍ କମିଶନର କମଲେଶ କୁମାର କହିଛନ୍ତି ଯେ ଉଭୟ ଅଭିଯୁକ୍ତ କନଷ୍ଟେବଳଙ୍କୁ ନିଲମ୍ବିତ କରାଯାଇଛି ଏବଂ ଘଟଣାର ତଦନ୍ତ କରାଯାଉଛି।

ସମ୍ବନ୍ଧିତ ଖବର