‘ଗେମ୍‌ ଚେଂଜର୍‌’ ଏସ୍‌-୪୦୦: କ୍ଷେପଣାସ୍ତ୍ର ବ୍ୟବସ୍ଥା ହସ୍ତାନ୍ତର ଆରମ୍ଭ

ଆମେରିକାର ପ୍ରବଳ ବିରୋଧ ସତ୍ତ୍ବେ ଭାରତ ସୁରକ୍ଷା ନୀତିରେ କାଏମ

ନୂଆଦିଲ୍ଲୀ: ବିଶ୍ବର ଅନ୍ୟତମ ଅତ୍ୟାଧୁନିକ ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ବ୍ୟବସ୍ଥା ଏସ୍‌-୪୦୦ ଟ୍ରାୟମ୍ଫ୍‌ ଭାରତକୁ ହସ୍ତାନ୍ତର କରିବା ପାଇଁ ରୁଷ୍‌ ପ୍ରକ୍ରିୟା ଆରମ୍ଭ କରିଦେଇଛି। ଆସନ୍ତା ମାସ ଶେଷ ସୁଦ୍ଧା ଏହି ପ୍ରକ୍ରିୟା ସରିବ ଏବଂ ଭାରତ ଏହି ମହାଶକ୍ତିଶାଳୀ କ୍ଷେପଣାସ୍ତ୍ର ବ୍ୟବସ୍ଥା ହାସଲ କରିବ। ଆମେରିକାର ପ୍ରବଳ ବିରୋଧ ସତ୍ତ୍ବେ ଭାରତ ନିଜର ସୁରକ୍ଷା ରଣନୀତିରେ କାଏମ ରହିଥିବା ବେଳେ ରୁଷ୍‌ ମଧ୍ୟ ପୂର୍ବ ଚୁକ୍ତି ମୁତାବକ ନିଷ୍ଠାର ସହ ହସ୍ତାନ୍ତର ପ୍ରକ୍ରିୟା ଶେଷ କରିବାକୁ ଘୋଷଣା କରିଛି। ଭାରତ ଏସ୍‌-୪୦୦ ହାସଲ କରିବା ପରେ ପ୍ରତିରକ୍ଷା ବ୍ୟବସ୍ଥା ଏକ ଭିନ୍ନ ପର୍ଯ୍ୟାୟରେ ପହଞ୍ଚିବ ଏବଂ ଚୀନ୍‌ ଓ ପାକିସ୍ତାନ ପାଇଁ ଏହା ଏକ ବହୁତ ବଡ଼ ଚେତାବନୀ ବୋଲି ସୁରକ୍ଷା ବିଶେଷଜ୍ଞମାନେ ମତ ରଖିଛନ୍ତି। ରୁଷ୍‌ର ସବୁଠାରୁ ଉନ୍ନତ ଓ ସଫଳ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଏସ୍‌-୪୦୦ ହାସଲ କରିବା ପାଇଁ ୪ ବର୍ଷ ଧରି ଜୋର୍‌ଦାର ପ୍ରୟାସ ଚାଲିଥିଲା ଏବଂ ରୁଷ୍‌ ମଧ୍ୟ ଏହାର ନିର୍ମାଣ ପାଇଁ ତତ୍ପରତା ଦେଖାଇଥିଲେ।

କ୍ଷେପଣାସ୍ତ୍ର ବ୍ୟବସ୍ଥାର ପ୍ରଥମ ପର୍ଯ୍ୟାୟ ଯୋଗାଣ ବ୍ୟବସ୍ଥା ଆରମ୍ଭ ହୋଇଯାଇଛି ବୋଲି ରୁଷ୍‌ ସାମରିକ ସହଯୋଗ ସଂସ୍ଥାର ମୁଖ୍ୟ ଡିମିଟ୍ରି ସୁଗାଇଭ୍‌ କହିଛନ୍ତି। ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟ ଭେଦ କରୁଥିବା ଏହି ଦୂରଗାମୀ ପ୍ରତିରକ୍ଷା ବ୍ୟବସ୍ଥାକୁ ଭାରତ ପଶ୍ଚିମ ଏବଂ ଉତ୍ତର ସୀମାରେ ମୁତୟନ କରିବ। ଉଭୟ ସୀମାରେ ଚୀନ୍‌ ଓ ପାକିସ୍ତାନ ପଟୁ ରହିଥିବା ବିପଦର ମୁକାବିଲା କରିବା ପାଇଁ ଭାରତ ଏହାକୁ ତତ୍କାଳ ମୁତୟନ କରିବ ବୋଲି ଜଣାପଡ଼ିଛି। ଏହି କ୍ଷେପଣାସ୍ତ୍ର ବ୍ୟବସ୍ଥାର ବିଭିନ୍ନ ଯନ୍ତ୍ରାଂଶ ସବୁ ଉଭୟ ସୁମଦ୍ରପଥ ଏବଂ ଆକାଶପଥ ଦେଇ ଭାରତ ଆସିବାରେ ଲାଗିଛି।

ସମ୍ବନ୍ଧିତ ଖବର