ତିରୁଅନନ୍ତପୁରମ : ମହାତ୍ମାଗାନ୍ଧିଙ୍କୁ ନେଇ କେରଳରେ ଏକ ବଡ଼ ଧରଣର ବିବାଦ ଆରମ୍ଭ ହୋଇଯାଇଛି । କେରଳ ସରକାରଙ୍କ ବଜେଟ ପୁସ୍ତିକାରେ ଗାନ୍ଧିଜୀଙ୍କ ହତ୍ୟା ସମୟର ଫଟୋଚିତ୍ର ରଖାଯାଇଥିବା ତାହାକୁ ବିରୋଧୀ ବିଜେପି ଓ କଂଗ୍ରେସ ବିରୋଧ କରୁଛନ୍ତି । ଏହାକୁ ନେଇ ଉଭୟ ଦଳ ବିଧାନସଭାରେ ପ୍ରବଳ ହଟ୍ଟଗୋଳ କରିଛନ୍ତି ।
ତେବେ ରାଜ୍ୟ ଅର୍ଥମନ୍ତ୍ରୀ ଥମାସ୍ ଆଇଜାକ୍ ଏହି ପଦକ୍ଷେପକୁ ସମର୍ଥନ କରିଛନ୍ତି । ସେ କହିଛନ୍ତି ଯେ ଏକ ରାଜନୈତିକ ବାର୍ତ୍ତା ଦେବା ପାଇଁ ଏହି ଚିତ୍ର ପ୍ରକାଶିତ ହୋଇଛି । ଦେଶ ବାପୁଙ୍କ ହତ୍ୟାକାରୀଙ୍କୁ ଭୁଲିବ ନାହିଁ । ଆମେ ମନେରଖିବା ଉଚିତ ଯେ ବାପୁଙ୍କୁ କେଉଁମାନେ ହତ୍ୟା କରିଥିଲେ । ହିନ୍ଦୁ କଠୋରପନ୍ଥୀମାନେ ତାଙ୍କୁ ହତ୍ୟା କରିଥିଲେ । ବର୍ତ୍ତମାନର କେନ୍ଦ୍ର ସରକାରରେ ଏହି ହତ୍ୟାକାରୀଙ୍କ କିଛି ସମର୍ଥକ ରହିଛନ୍ତି । ଏହି ଚିତ୍ରକୁ କେରଳର ଜଣେ ଚିତ୍ରକର ଅଙ୍କନ କରିଛନ୍ତି । ଏହି ଚିତ୍ରର ଏବେ ପ୍ରାସଙ୍ଗିକତା ବଢିଯାଇଛି । କାରଣ ସେହି ଗୋଷ୍ଠୀ ଏବେ ଇତିହାସକୁ ବଦଳେଇବାକୁ ଉଦ୍ୟମ କରୁଛନ୍ତି ।
ବର୍ତ୍ତମାନର କେନ୍ଦ୍ର ସରକାର ଏବେ ଏନଆରସି ଆଣି ଲୋକଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି । କିନ୍ତୁ ଏହା ବିରୁଦ୍ଧରେ କେରଳ ଏକଜୁଟ ରହିବ । ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କ ନାଗରିକତା ଆଇନ ବିରୁଦ୍ଧରେ କେରଳ ପ୍ରଥମ ରାଜ୍ୟଭାବେ ବିଧାନସଭାରେ ଏକ ସଂକଳ୍ପ ଗୃହୀତ କରିଥିଲା ।