‘ଗାନ୍ଧି କାହାକୁ କ୍ଷମା ମାଗେନି’

ମୁଁ ସବରକର ନୁହେଁଁ: ରାହୁଲ, ଅଯୋଗ୍ୟ କର କି ଜେଲ୍‌ରେ ପୂରାଅ, ପ୍ରଶ୍ନ ପଚାରିବା ଜାରି ରଖିବି

ନୂଆଦିଲ୍ଲୀ : ଲୋକସଭାରୁ ଅଯୋଗ୍ୟ ଘୋଷିତ ହେବାର ଦିନକ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଶନିବାର ଦିନ ଗଣମାଧ୍ୟମରେ ପ୍ରଥମ ଉଦ୍‌ବୋଧନ ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ରାହୁଲ କହିଛନ୍ତି, ‘ମୋ ନାମ ସବରକର ନୁହେଁ, ମୁଁ ଗାନ୍ଧି। ଗାନ୍ଧି କାହାକୁ କ୍ଷମା ମାଗେନାହିଁ। ସଂସଦରୁ ଅଯୋଗ୍ୟ ଘୋଷିତ କରି ମୋ ପାଟି ବନ୍ଦ କରିପାରିବନି। ଅଯୋଗ୍ୟ ହେବା କିମ୍ବା ଜେଲ୍‌ ଯିବାକୁ ନେଇ ମୁଁ ଆଦୌ ଭୟ କରୁନି। ମତେ ଆଜୀବନ ଅଯୋଗ୍ୟ କ‌ରିଦେଲେ କିମ୍ବା ଜେଲ୍‌ରେ ପୂରାଗଲେ ବି ମୁଁ ମୋ କାର୍ଯ୍ୟ ବନ୍ଦ କରିବି ନାହିଁ। ମୁଁ କାହାକୁ ଭୟ କରେନା। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଆଦାନିଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ମୁଁ ବାରମ୍ବାର ପ୍ରଶ୍ନ କରିବି। ସତ୍ୟ ପାଇଁ ଲଢ଼େଇ ଜାରି ରଖିବି। ମତେ ଗିରଫ କରାଗଲେ ବି ମୁଁ ପ୍ରଶ୍ନ କରିବା ଜାରି ରଖିବି। ଅନ୍ୟ କେଉଁଥିରେ ମୋର ଆଗ୍ରହ ନାହିଁ। ମୁଁ କେବଳ ସତ କହେ ଏବଂ ଏହା ମୋ କାମ। ଏହି ଦେଶ ମତେ ସବୁକିଛି ଦେଇଛି। ସେଥିପାଇଁ ମୁଁ ଏହି କାମ କରୁଛି। ମୁଁ ସଂସଦ ଭିତରେ ରହେ କି ବାହାରେ ରହେ, ଦେଶ ପାଇଁ ଲଢ଼େଇ ଜାରି ରଖିବି।’

ରାହୁଲ ଆହୁରି କହିଛନ୍ତି ଯେ ୨୦୧୯ ମସିହାର ଟିପ୍ପଣୀ ପାଇଁ ତାଙ୍କୁ ଅଯୋଗ୍ୟ କରାଯାଇନି, ବରଂ ଆଦାନି ପ୍ରସଙ୍ଗରେ ତାଙ୍କର ପରବର୍ତ୍ତୀ ଭାଷଣକୁ ନେଇ ପ୍ରଧାନମନ୍ତ୍ରୀ ଭୟଭୀତ ହୋଇଯିବ‌ାରୁ ତାଙ୍କ ସଦସ୍ୟତା ରଦ୍ଦ କରାଯାଇଛି। ମୁଁ ପ୍ରଧାନମନ୍ତ୍ରୀଙ୍କ ଆଖିରେ ଏହି ଭୟ ଦେଖିଛି। କେବଳ ଏହି କାରଣ ପାଇଁ ମତେ ଅଯୋଗ୍ୟ ଘୋଷଣା କରାଯାଇଛି। ଆଦାନି ପ୍ରସଙ୍ଗରେ କେବଳ ଗୋଟିଏ ପ୍ରଶ୍ନ କରିବା‌ରୁ ଏହି ସମ୍ପୂର୍ଣ୍ଣ ଡ୍ରାମା ଆରମ୍ଭ ହୋଇଛି। ଆଦାନିଙ୍କ କମ୍ପାନିରେ ସେ ୨୦ ହଜାର କୋଟି ଟଙ୍କା ବିନିଯୋଗ କରିଛନ୍ତି। ଏହି ଟଙ୍କା ତାଙ୍କୁ କିଏ ଦେଲା ବୋଲି କେବଳ ମୁଁ ପ୍ରଶ୍ନ କରିଥିଲି। ଆଗକୁ ମଧ୍ୟ ପ୍ରଶ୍ନ କରିବା ଜାରି ରଖିବି ଏବଂ ଦେଶରେ ଗଣତନ୍ତ୍ର ପାଇଁ ଲଢ଼େଇ କରିବି। ରାହୁଲ କହିଛନ୍ତି, ମୁଁ ଅନେକ ସମୟରେ କହିଛି ଯେ ଦେଶରେ ଗଣତନ୍ତ୍ର ଉପରେ ଆକ୍ରମଣ ହେଉଛି। ସଂସଦରେ ମୁଁ ମୋଦୀ ଓ ଆଦାନିଙ୍କ ମଧ୍ୟରେ ସମ୍ପର୍କକୁ ନେଇ ପ୍ରଶ୍ନ କଲି। କିନ୍ତୁ ସଂସଦରେ ମୋ ଭାଷଣକୁ କାଟି ଦିଆଗଲା। ବ୍ରିଟେନ୍‌ରେ ଦେଇଥିବା ଗଣତନ୍ତ୍ର ଟିପ୍ପଣୀ ପାଇଁ କ୍ଷମା ମାଗିବା ପ୍ରସଙ୍ଗରେ ରାହୁଲ କହିଛନ୍ତି, ମୁଁ ଜଣେ ଗାନ୍ଧି ଏବଂ ଗାନ୍ଧି କାହାକୁ କ୍ଷମା ମାଗେନାହିଁ।

ସମ୍ବନ୍ଧିତ ଖବର