ଗାନ୍ଧି ପରିବାର କଂଗ୍ରେସର ଆଧାର କାର୍ଡ: ସଞ୍ଜୟ ରାଉତ

ଗୌହାଟୀ: ସେ ସୋନିଆ ଗାନ୍ଧି ହୁଅନ୍ତୁ କି ରାହୁଲ୍‌ କି ପ୍ରିୟଙ୍କା ହୁଅନ୍ତୁ, ଗାନ୍ଧି ପରିବାର ହେଉଛି କଂଗ୍ରେସର ଆଧାର କାର୍ଡ। ଜଣେ ଅଣଗାନ୍ଧି ଦଳର ନେତୃତ୍ବ ନେବା ଲାଗି ହେଉଥିବା ଦାବି ଉପଯୁକ୍ତ ମନେ ହେଉନି। କଂଗ୍ରେସର ମଙ୍ଗ ଧରିବା ଲାଗି ଗାନ୍ଧି ପରିବାର ବାହାରେ ଆଉ କେହି ନେତା ଦେଖାଯାଉନାହାନ୍ତି ବୋଲି ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି। କଂଗ୍ରେସର ନେତୃତ୍ବ ପରିବର୍ତ୍ତନ ପାଇଁ ଉଠିଥିବା ଝଡ଼ ସୋମବାର ଅନୁଷ୍ଠିତ ଦଳର କାର୍ଯ୍ୟକାରିଣୀ ବୈଠକରେ ସାମୟିକ ଭାବେ ଥମିଯାଇଥିଲା ବେଳେ ଏହାର ଦିନକ ପରେ ଶ୍ରୀ ରାଉତ ଏପରି କଟାକ୍ଷ କରିବା ସହ ରାହୁଲ ଗାନ୍ଧି ହିଁ କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ ହେବେ ବୋଲି ଭବିଷ୍ୟବାଣୀ କରିଛନ୍ତି। ଦେଶରେ କଂଗ୍ରେସ ହେଉଛି ଏକ ପ୍ରମୁଖ ବିରୋଧୀ ଦଳ। ତେଣୁ ଦଳ ଭିତରେ ରହିଥିବା ଆଭ୍ୟନ୍ତରୀଣ ମତଭେଦକୁ ଦୂର କରି ଏହା ଏବେ ନିଜକୁ ଏକ ଶ୍ରେଷ୍ଠ ବିରୋଧୀ ଦଳ ବାବେ ଗଢ଼ିବା ଦରକାର ବୋଲି ଶ୍ରୀ ରାଉତ କହିଛନ୍ତି। ଅତୀତରେ ରାହୁଲ ଗାନ୍ଧିଙ୍କ ନେତୃତ୍ବରେ ଦଳ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ବିଧାନସଭା ନିର୍ବାଚନ ଜିତିପାରିଛି। ସୁତରାଂ ଦଳକୁ ନେତୃତ୍ବ ଦେବାର ଦକ୍ଷତା ତାଙ୍କଠାରେ ଏବେ ରହିଛି ବୋଲି ଶ୍ରୀ ରାଉତ କହିଛନ୍ତି।

ସମ୍ବନ୍ଧିତ ଖବର