ଗାନ୍ଧି ପରିବାର ବିଶ୍ବର ସବୁଠାରୁ ଦୁର୍ନୀତିଗ୍ରସ୍ତ ପରିବାର : ବିଜେପି

ନୂଆଦିଲ୍ଲୀ : ନ୍ୟାସନାଲ ହେରାଲଡ ମାମଲାରେ ଗାନ୍ଧି ପରିବାରକୁ ପଠାଯାଇଥିବା ସମନକୁ ନେଇ ଦେଶର ଦୁଇ ପ୍ରମୁଖ ଜାତୀୟ ଦଳ ବିଜେପି ଓ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି । ଗାନ୍ଧି ପରିବାରକୁ ବିଶ୍ବର ସବୁଠାରୁ ଦୁର୍ନୀତିଗ୍ରସ୍ତ ପରିବାର ବୋଲି ବିଜେପି କହିଛି ।

ନ୍ୟାସନାଲ ହେରାଲଡ ମାମଲାରେ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କୁ ପ୍ରତିଭୂତି ନିର୍ଦ୍ଦେଶାଳୟ ବା ଇଡି ସମନ କରିବାକୁ ନେଇ କଂଗ୍ରେସ ବିଜେପିକୁ ଟାର୍ଗେଟ କରିଥିଲା । ଏହା ବିଜେପିର ପ୍ରତିଶୋଧପରାୟଣ ରାଜନୀତି ବୋଲି କଂଗ୍ରେସ କହିଥିଲା । ଏହାର ଜବାବରେ ବିଜେପି କହିଛି ଯେ  ଏହା ଗାନ୍ଧି ପରିବାରର ଜନ୍ମଗତ ଅଧିକାର ନୁହେଁ ଯେ ଏହାର ସଦସ୍ୟମାନଙ୍କୁ ତଦନ୍ତକାରୀ ଏଜେନ୍ସିମାନେ ସମନ ପଠାଇପାରିବେ ନାହିଁ ।

ବିଜେପି ମୁଖପାତ୍ର ଗୌରବ ଭାଟିଆ କହିଛନ୍ତି ଯେ ଗାନ୍ଧି ପରିବାର ବିଶ୍ବର ସବୁଠାରୁ ଦୁର୍ନୀତିଗ୍ରସ୍ତ ପରିବାର । ଏହାକୁ ଆଇନ ଆଗରେ ନଇଁବାକୁ ପଡ଼ିବ । ସୋନିଆ ହୁଅନ୍ତୁ ବା ରାହୁଲ କେହି ଆଇନଠାରୁ ଉପରେ ନାହାନ୍ତି । ଏହା ସମସ୍ତଙ୍କ ପାଇଁ ସମାନ ଭାବେ ଲାଗୁ ହେବ ।

ରାଜନୈତିକ ପ୍ରତିଶୋଧ କାରଣରୁ ଏପର୍ଯ୍ୟନ୍ତ ସୁପ୍ରିମକୋର୍ଟ ବା ହାଇକୋର୍ଟ କୌଣସି ମାମଲାକୁ ରଦ୍ଦ କରିନାହାନ୍ତି ।

କଂଗ୍ରେସ ପକ୍ଷରୁ ଗତ କାଲି କୁହାଯାଇଥିଲା ଯେ ସୋନିଆ ଓ ରାହୁଲଙ୍କୁ ସମନ ପଠାଯିବା ନରେନ୍ଦ୍ର ମୋଦୀଙ୍କ ଏକ ଷଡ଼ଯନ୍ତ୍ର । ଏହା ବିଜେପିର ପ୍ରତିଶୋଧ ରାଜନୀତି ଓ ଏହା ବିରୋଧରେ କଂଗ୍ରେସ ଆଇନଗତ ଭାବେ, ରାଜନୈତିକ ଓ ସାମାଜିକ ଭାବ ଲଢିବ ।

 

ସମ୍ବନ୍ଧିତ ଖବର