ମନ୍ତ୍ର ଉଚ୍ଚାରଣ କରି ଚାଳକଙ୍କୁ ହେଲ୍‌ମେଟ୍ ପିନ୍ଧାଇଲେ ପୁଲିସବାବୁ; ତା’ପରେ ହାତଯୋଡ଼ି ସମ୍ମାନର ସହ ଦେଲେ ଧମକ

ନୂଆଦିଲ୍ଲୀ: ଦୁଇଚକିଆ ଯାନ ଚଲାଇବା ସମୟରେ ହେଲ୍‌ମେଟ୍ ପିନ୍ଧିବା ଏକ ଟ୍ରାଫିକ ନିୟମ, ଯାହାକୁ କେହି ବି ଭୁଲିବା ଉଚିତ ନୁହେଁ । ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏକ ମଜାଦାର ଭିଡିଓ । ବିନା ହେଲମେଟରେ ଯାତ୍ରା କରୁଥିବା ବ୍ୟକ୍ତିଙ୍କୁ  କିଭଳି ଭାବେ ଉଚିତ ଶିକ୍ଷା ଦେଇ ହେଲ୍‌ମେଟ୍ ପିନ୍ଧାଇଲେ ପୁଲିସବାବୁ, ତାହା ସେଥିରେ ଦେଖିବାକୁ ମିଳିଛି।

ଜ୍ୟାକି ଯାଦବ ନାମକ ଜଣେ ବ୍ୟକ୍ତି ଟ୍ୱିଟରରେ ପୋଷ୍ଟ କରିଛନ୍ତି ଏହି ଭିଡିଓ । ବିନା ହେଲ୍‌ମେଟରେ ବାଇକ୍ ଚଳାଉଥିବା ବ୍ୟକ୍ତିଙ୍କ ଉପରେ ପୁଲିସ ଅଧିକାରୀଙ୍କ ଭିନ୍ନ ଶୈଳୀର କାର୍ଯ୍ୟାନୁଷ୍ଠାନ ଏଥିରେ ଦେଖିବାକୁ ମିଳିଛି । ଏହି ପୋଷ୍ଟର କ୍ୟାପସନରେ ଲେଖା ହୋଇଛି ଯେ, “ଏହି ଭାଇ ନିଜ ବିବାହ ସମୟରେ ମଧ୍ୟ ଏପରି ସମ୍ମାନଜନକ ପୋଷାକ ପିନ୍ଧି ନଥିବେ।”

ଏହି ସର୍ଟ କ୍ଲିପ୍‌ରେ ଜଣେ ପୁଲିସ ଅଧିକାରୀ ବିନା ହେଲ୍‌ମେଟରେ ବାଇକ୍ ଚଳାଉଥିବା ଜଣେ ବ୍ୟକ୍ତିଙ୍କ ସହ ମୁହାଁମୁହିଁ ହୋଇଥିବା ଦେଖାଯାଇଛି । ପୁଲିସ ଚାଳକଙ୍କ ମୁଣ୍ଡରେ ହେଲ୍‌ମେଟ୍ ଲଗାଇ ଟ୍ରାଫିକ ନିୟମକୁ ବୁଝାଇବା ସହିତ କିଛି ମନ୍ତ୍ର ଜପ କରିବା ଆରମ୍ଭ କରିଛନ୍ତି । କେବଳ ଏତିକି ନୁହେଁ, ହାତଯୋଡ଼ି ସମ୍ମାନର ସହ ଧମକ ମଧ୍ୟ ଦେଉଛନ୍ତି।

ଏହି କ୍ଲିପ୍ ଟ୍ୱିଟରରେ ୯ ସେପ୍ଟେମ୍ବରରେ ସେୟାର କରାଯାଇଥିଲା । ସେବେଠାରୁ ଏହା ୧ ଲକ୍ଷରୁ ଅଧିକ ଥର ଦେଖାଯାଇଛି ଏବଂ ପ୍ରାୟ ୧୦ ହଜାରରୁ ଅଧିକ ଲାଇକ୍ ମଧ୍ୟ ମିଳିସାରିଛି । ସେହି ଭିଡିଓର କମେଣ୍ଟ ସେକ୍ସନରେ ଅନେକ ଇଣ୍ଟରନେଟ୍ ବ୍ୟବହାରକାରୀ ପୁଲିସବାବୁଙ୍କ ଆଧୁନିକ ପ୍ରୟାସକୁ ପ୍ରଶଂସା କରିଛନ୍ତି ।  ଜଣେ ଉପଭୋକ୍ତା କହିଛନ୍ତି ଯେ, ସେହି ପୁଲିସ ଅଧିକାରୀଙ୍କ ନାମ ହେଉଛି ଭଗବତ ପ୍ରସାଦ ପାଣ୍ଡେ ।

ଜଣେ ଉପଭୋକ୍ତା ଆହୁରି ମଧ୍ୟ ଲେଖିଛନ୍ତି, “ଲୋକଙ୍କୁ ନିୟମ ପାଳନ କରିବାକୁ ଶିଖାଇବା ପାଇଁ ଏହା ହେଉଛି ସଠିକ୍ ଉପାୟ।’’ ଅନ୍ୟ ଜଣେ ପ୍ରତିକ୍ରିୟାରେ କହିଛନ୍ତି, “ପ୍ରେରଣାଦାୟକ ଘଟଣା”। ତୃତୀୟ ଉପଭୋକ୍ତା ଲେଖିଛନ୍ତି, ” ଏହା ପୁଲିସର ଅତ୍ୟନ୍ତ ବନ୍ଧୁତ୍ୱପୂର୍ଣ୍ଣ ଆଚରଣ”। ଏହା ପ୍ରକୃତରେ ବିଶ୍ୱାସ ସୃଷ୍ଟି କରିବା ସହ ସମସ୍ତଙ୍କ ମଧ୍ୟରେ ଖୁସି ବିସ୍ତାର କରେ।” ଏହି ଘଟଣା କେଉଁଠାରେ ଘଟିଛି ତାହା ଏ ପର୍ଯ୍ୟନ୍ତ ଜଣା ପଡ଼ିନାହିଁ।

ସମ୍ବନ୍ଧିତ ଖବର