ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀଙ୍କ ଅଣନାତୁଣୀ ଆଶିଷ ଲତା ରାମଗୋବିନଙ୍କୁ ଦକ୍ଷିଣ ଆଫ୍ରିକରେ ୭ ବର୍ଷ ଜେଲଦଣ୍ଡ ହୋଇଛି। ୫୬ ବର୍ଷୀୟା ଲତା ରାମଗୋବିନଙ୍କୁ ୬ ନିୟୁତ ରୢାଣ୍ଡ (୩.୨୨ କୋଟି ଟଙ୍କା)ର ଠକେଇ ଏବଂ ଜାଲିଆତି ମାମଲାରେ ଡର୍ବାନ୍ କୋର୍ଟ ଏହି ଦଣ୍ଡାଦେଶ ଦେଇଛନ୍ତି। ଏସ୍ ଆର୍ ମହାରାଜ ନାମକ ଜଣେ ବ୍ୟବସାୟୀଙ୍କୁ ଠକିବା ଅଭିଯୋଗରେ ଅଦାଲତ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଭାରତରୁ ଆମଦାନି କରିଥିବା ସାମଗ୍ରୀର ଆମଦାନି ଓ ସୀମା ଶୁଳ୍କ ବାବଦ ଅର୍ଥ ପ୍ରଦାନ କରିବା ଲାଗି ସେ ଏସ ଆର ମହାରାଜ ନାମକ ଜଣେ ବ୍ୟବସାୟୀଙ୍କ ଠାରୁ ଉପରୋକ୍ତ ଅର୍ଥ ନେଇଥିଲେ। କିନ୍ତୁ ପ୍ରକୃତରେ ଭାରତରୁ କୌଣସି ଆମଦାନି ହୋଇ ନଥିଲା। ତେବେ ମହାରାଜଙ୍କୁ ଲାଭର ଅଂଶ ଦିଆଯିବ ବୋଲି ଲତା ରାମଗୋବିନ୍ ପ୍ରତିଶ୍ରୁତି ଦେଇଥିଲେ।
ମାମଲାର ବିଚାରବେଳେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନପିଏ)ର ବ୍ରିଗେଡିୟର ହାଙ୍ଗୱାନି ମୁଲାଉଦ୍ଜି କହିଥିଲେ ଲତା ଜାଲ୍ ଇନଭଏସ୍ ଏବଂ ଦସ୍ତାବିଜ୍ ନିବେଶକଙ୍କୁ ଦେଇଥିଲେ। ଭାରତରୁ ୩ଟି କଣ୍ଟେନରରେ ଲାଇନେନ୍ ଆମଦାନି ହେଉଛି ବୋଲି କହିଥିଲେ। ୨୦୧୫ ମସିହାରେ ନ୍ୟୁ ଆଫ୍ରିକା ଆଲାଏନ୍ସ ଫୁଟୱେର ଡିଷ୍ଟ୍ରିବ୍ୟୁଟର୍ସର ନିର୍ଦ୍ଦେଶକ ଏସ ଆର ମହାରାଜାଙ୍କୁ ଲତା ଭେଟିଥିଲେ। ମହାରାଜାଙ୍କ କମ୍ପାନି ପୋଷାକ, ଲାଇନେନ୍ ଏବଂ ଜୋତା ବିକ୍ରି କରିଥାଏ ଏବଂ ଲାଭ ଆବଣ୍ଟନ ଭିତ୍ତିରେ ଅନ୍ୟ କମ୍ପାନିକୁ ଅର୍ଥ ଯୋଗାଇ ଥାଏ। ଦକ୍ଷିଣ ଆଫ୍ରିକାର ହସ୍ପିଟାଲ ଗ୍ରୁପ୍ ନେଟକେୟାର ପାଇଁ ୩ଟି କଣ୍ଟେନରରେ ଲାଇନେନ୍ ଆମଦାନି କରାଯାଉଛି ବୋଲି ଲତା ତାଙ୍କୁ କହିଥିଲେ। ତାଙ୍କ ଠାରେ ବିଶ୍ବାସ ସୃଷ୍ଟି କରିବା ପାଇଁ ଲତା ତାଙ୍କୁ ଜାଲ୍ ଏନଭଏସ ଦେଖାଇଥିଲେ। ଏପରିକି ନେଟକେୟାରର ବ୍ୟାଙ୍କ ଆକାଉଣ୍ଟରୁ ପେମେଣ୍ଟ୍ ହୋଇଥିବା ସଂପର୍କିତ ଜାଲ୍ କାଗଜ ମଧ୍ୟ କିଛିଦିନ ପରେ ଲତା ତାଙ୍କୁ ଦେଖାଇଥିଲେ। ଲତାଙ୍କ ପରିବାରର ଖ୍ୟାତି ଏବଂ ନେଟକେୟାରର ଦସ୍ତାବିଜ୍ ଦେଖି ମହାରାଜ ତାଙ୍କୁ ଅର୍ଥ ଦେବାକୁ ରାଜି ହୋଇଯାଇଥିଲେ। ତେବେ ପରେ କାଗଜପତ୍ର ଜାଲ୍ ବୋଲି ଜାଣିବା ପରେ ସେ ଲତାଙ୍କ ନାମରେ ଅଭିଯୋଗ କରିଥିଲେ। ଲତା ଗାନ୍ଧୀଙ୍କ ନାତୁଣୀ ଇଲା ଗାନ୍ଧୀ ଏବଂ ନାତୁଣୀ ଜ୍ବାଇଁ ସ୍ବର୍ଗତ ମେୱା ରାମଗୋବିନ୍ଙ୍କ ଝିଅ।