ପାଟନା: ବିହାରର ସୁପାଲ ଜିଲ୍ଲାର କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ସ୍ଥାନୀୟ ଦୁର୍ବୃତ୍ତମାନେ ଅଭାବନୀୟ କାଣ୍ଡ ଘଟାଇଛନ୍ତି। ପ୍ରାୟ ୧୭ ଜଣ ଯୁବକ ସଂଘବଦ୍ଧ ଭାବେ ବିଦ୍ୟାଳୟରେ ଧସେଇ ପଶି ଛାତ୍ରୀମାନଙ୍କୁ ଅସଦାଚରଣ କରିଥିଲେ। ଆବାସିକ ବିଦ୍ୟାଳୟର ଛାତ୍ରୀମାନେ ଏହାର ଜୋର୍‌ଦାର ବିରୋଧ କରି ସେମାନଙ୍କୁ ଘଉଡ଼ାଇବାରୁ ଯୁବକମାନେ ଛାତ୍ରୀମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ହଷ୍ଟେଲରେ ପଶି କେତେକ ଛାତ୍ରୀଙ୍କୁ ଟାଣି ଆଣି ଦୁର୍ବୃତ୍ତମାନେ ଆକ୍ରମଣ କରିଥିବା ଜଣାପଡ଼ିଛି। ଆଦିବାସୀ, ହରିଜନ, ପଛୁଆବର୍ଗ ଏବଂ ସଂଖ୍ୟାଲଘୁ ଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ବିଦ୍ୟାଳୟରେ ଏଭଳି ବର୍ବର କାଣ୍ଡ ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ଅସାମାଜିକଙ୍କ ଆକ୍ରମଣରେ ୩୪ ଜଣ ଛାତ୍ରୀ ଆହତ ହୋଇ ତ୍ରିବେଣୀଗଂଜ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ୨ ଜଣ ଛାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

Advertisment

ଗତକାଲି ସନ୍ଧ୍ୟାରେ ଏହି ଘଟଣା ଘଟିଥିବା ବେଳେ ଆଜି ପୁଲିସ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଛାତ୍ରୀମାନେ ସାମୂହିକ ଅସଦାଚରଣକୁ ବିରୋଧ କରିବାରୁ ସେମାନଙ୍କ ଉପରେ ଏଭଳି ଆକ୍ରମଣ ହୋଇଥିବା ହଷ୍ଟେଲ ୱାର୍ଡେନ ଗଣମାଧ୍ୟମକୁ କହିଛନ୍ତି । ଛାତ୍ରୀମାନେ ଗତକାଲି କ୍ଲାସ୍‌ ସରିବା ପରେ ଖେଳ ପଡ଼ିଆକୁ ଯାଇଥିଲେ ଏବଂ ସେଠାରେ ସେମାନଙ୍କୁ ଅସାମାଜିକମାନେ ଟାର୍ଗେଟ୍‌ କରିଥିଲେ। କେତେକ ଛାତ୍ରୀଙ୍କୁ ହଷ୍ଟେଲ ଭିତରେ ପଶି ମଧ୍ୟ ଆକ୍ରମଣ କରାଯାଇଥିବାରୁ ରାଜ୍ୟର ପୁଣିଥରେ ଜଂଗଲରାଜ ଆରମ୍ଭ ହୋଇଥିବା ଅଭିଭାବକମାନେ କହିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ସେମାନେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।