ଗୟା: ବିହାରର ଗୟା ଜିଲ୍ଲାରେ ଅତି ଅମାନୁଷିକ ଘଟଣା ଘଟିଛି। ଜଣେ ନାବାଳିକାକୁ ଗଣଦୁଷ୍କର୍ମ ପରେ ତାକୁ ଲଣ୍ଡା କରି ଗାଁ ସାରା ବୁଲାଇବା ବିଷୟ ଏବେ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଛି। ପୁଲିସ ସୂତ୍ରରୁ ଜଣାପଡ଼ିଛି ‌ଯେ ଗତ ୧୪ ତାରିଖ ସନ୍ଧ୍ୟାରେ ପୀଡ଼ିତା ନାବାଳିକାଙ୍କୁ କିଛି ଲୋକ ତାଙ୍କ ଘର ନିକଟରୁ ଅପହରଣ କରିନେଇଥିଲେ। ତାଙ୍କୁ ବଳପୂର୍ବକ ଏକ ସ୍ଥାନୀୟ ପଞ୍ଚାୟତ କୋଠାକୁ ନିଆଯାଇ ଲଗାତାର ଗଣଦୁଷ୍କର୍ମ କରାଯାଇଥିଲା। ସେ ବେହୋସ ହୋଇଯିବାପରେ ତାଙ୍କୁ ଅଭିଯୁକ୍ତମାନେ ଛାଡ଼ି ପଳାଇଥିଲେ। ପରେ ଜଣେ ସ୍ଥାନୀୟ ବ୍ୟକ୍ତି ପୀଡ଼ିତା ନାବାଳିକାଙ୍କୁ ଚିହ୍ନଟ କରିବାପରେ ତାଙ୍କ ପରିବାର ସଦସ୍ୟଙ୍କୁ ଖବର ଦେଇଥିଲେ। ପୀଡ଼ିତାଙ୍କ ପରିବାର ସଦସ୍ୟ ତାଙ୍କୁ ଉଦ୍ଧାର କରିବା ସହ ପ୍ରଥମେ ଗ୍ରାମ ପଞ୍ଚାୟତରେ ଅଭିଯୋଗ କରିଥିଲେ। କିନ୍ତୁ ଗ୍ରାମ ପଞ୍ଚାୟତ ଅଭିଯୁକ୍ତମାନଙ୍କ ପ୍ରଭାବରେ ପିଡ଼ିତାଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ଓଲଟା ପୀଡ଼ିତାଙ୍କୁ ଦଣ୍ଡ ଦେଇଥିଲେ। ପୀଡ଼ିତାଙ୍କୁ ଲଣ୍ଡା କରି ତାଙ୍କୁ ଗାଁ ସାରା ବୁଲାଯାଇଥିଲା। ଘଟଣା ଘଟିବାର ୧୧ ଦିନ ପରେ ଏନେଇ ଥାନାରେ ଏଫ୍ଆଇଆର ରୁଜୁ କରାଯାଇଛି। ପୀଡ଼ିତା ଏବଂ ତାଙ୍କ ମା’ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିବାପରେ ଉକ୍ତ ଘଟଣାରେ ତଦନ୍ତ ଆରମ୍ଭ ହୋଇଛି। ପୁଲିସ ଉକ୍ତ ମାମଲାରେ ୬ ଜଣଙ୍କୁ ଅଟକ ରଖିଛି।