ୟୁପିରେ ଥମୁନି ମହିଳା ବିରୋଧୀ ବର୍ବରତା, ବଳରାମପୁରରେ ଦଳିତ ମହିଳାଙ୍କୁ ଗଣଦୁଷ୍କର୍ମ

ନାବାଳିକାକୁ ଦୁଷ୍କର୍ମ ପରେ ନୃଶଂସ ହତ୍ୟା, ଦୁଇ ଦିନ ପରେ ପୀଡ଼ିତାଙ୍କ ମୃତ୍ୟୁ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ହାଥରାସ୍‌ ଗଣଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁ ଘଟଣା ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଆଉ ଜଣେ ଦଳିତ ମହିଳା ଗଣ ଦୁଷ୍କର୍ମର ଶିକାର ହୋଇ ଆଖି ବୁଜିବା ଘଟଣା ରାଜ୍ୟ ସରକାରଙ୍କ ଅଡ଼ୁଆ ବଢ଼ାଇ ଦେଇଛି। ଉତ୍ତରପ୍ରଦେଶର ବଳରାମପୁର ଗ୍ରାମରେ ଏହି ବର୍ବର କାଣ୍ଡ ଘଟିଛି। ଗତ ମଙ୍ଗଳବାର ଦିନ ଏହି ଘଟଣା ଘଟିଥିଲା। ୨୨ ବର୍ଷୀୟା ପୀଡ଼ିତା ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ। ମହିଳା ଜଣକ ମଙ୍ଗଳବାର ଦିନ କାମକୁ ଯାଇ ଆଉ ଫେରିନଥିଲେ। ଘରଲୋକ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇନଥିଲେ। ପରଦିନ ସକାଳେ ମହିଳା ଜଣଙ୍କ ଏକ ରିକ୍ସାରେ ମୁମୂର୍ଷୁ ଅବସ୍ଥାରେ ଘରକୁ ଆସିଥିଲେ। ତାଙ୍କ ହାତରେ ଏକ ଗ୍ଲୁକୋଜ୍‌ ଡ୍ରିପ୍‌ ଲାଗିଥିଲା। ତାଙ୍କୁ କୌଣସି ଇଂଜେକସନ୍‌ ଦିଆଯାଇଥିଲା। ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଜାଣି ପରିବାର ସଦସ୍ୟ ତୁରନ୍ତ ହସ୍ପିଟାଲ୍‌କୁ ନେଇଯାଇଥିଲେ। ପ୍ରଥମେ ସେ ନିକଟସ୍ଥ ଏକ ହସ୍ପିଟାଲ୍‌କୁ ଯାଇଥିବାବେଳେ ପରେ ତାଙ୍କୁ ବଳରାମପୁର ଜିଲ୍ଲା ହସ୍ପିଟାଲ୍‌ ସ୍ଥାନାନ୍ତର କରାଯାଇଥିଲା ଆଜି ପୀଡ଼ିତାଙ୍କର ମୃତ୍ୟୁ ହୋଇଯାଇଛି। ପୀଡ଼ିତା ମହିଳାଙ୍କ ହାତ ଏବଂ ଗୋଡ଼ ଭାଙ୍ଗି ଯାଇଥିଲା ବୋଲି ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି। ପୁଲିସ କହିଛି, ପୀଡ଼ିତାଙ୍କ ଶରୀରରେ କୌଣସି ପ୍ରକାର କ୍ଷତ ନାହିଁ। ପୀଡ଼ିତାଙ୍କ ଭାଇଙ୍କ ଅଭିଯୋଗ ଦାଖଲ ପରେ ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଆଇପିସିର ଧାରା ୩୭୬-ଡି ଏବଂ ୩୦୨ ଅଧୀନରେ ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏସ୍‌ପି କହିଛନ୍ତି ଏହି ମାମଲା ଫାଷ୍ଟ ଟ୍ରାକ୍‌ କୋର୍ଟକୁ ଯିବ ଏବଂ ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ। ତେବେ ଉକ୍ତ ଘଟଣାରେ ବିରୋଧୀ ଦଳମାନେମାନେ ସରକାରଙ୍କୁ ଘେରିଛନ୍ତି ଏବଂ ବିକ୍ଷୋଭ ପ୍ରତିବାଦ ଜାରି ରଖିଛନ୍ତି।

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ମହିଳାଙ୍କ ବିରୋଧରେ ହେଉଥିବା ଅପରାଧ ଏବେ ଥମିବାର ନାମ ନେଉନାହିଁ। ହାଥରାସ ଏବଂ ବଳରାମପୁରରେ ଦୁଇ ଜଣ ଦଳିତ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ଆଜି ଭଦୋହି ଜିଲ୍ଲାରେ ଆଉ ଜଣେ ୧୪ ବର୍ଷୀୟ ନାବାଳିକାଙ୍କ ସହିତ ହୋଇଥିବା ବର୍ବରତା ସାମ୍ନାକୁ ଆସିଛି। ନାବାଳିକାକୁ ଗଣଦୁଷ୍କର୍ମ ପରେ ଅତ୍ୟନ୍ତ ଅମାନୁଷିକ ଭାବେ ମୁଣ୍ଡକୁ ଛେଚି ହତ୍ୟା କରାଯାଇଛି ଗୋପୀଗଂଜ ଅଂଚଳର ତିୱାରିପୁର ଗ୍ରାମରେ ଏହି କାଣ୍ଡ ଘଟିଛି। କ୍ଷେତକୁ ଯାଇଥିବା ନାବାଳିକା ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ ଏବଂ କ୍ଷେତଠାରୁ କିଛି ଦୂରରେ କ୍ଷତ ବିକ୍ଷତ ଶବ ପଡ଼ିଥିବା ଦେଖିବାକୁ ପାଇଥିଲେ। ପୁଲିସ ଏବଂ ଫରେନ୍ସିକ ଟିମ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଜଣେ ପରେ ଜଣେ ଦଳିତ ମହିଳା ଏବଂ ନାବାଳିକା ଦୁଷ୍କର୍ମ ଏବଂ ହତ୍ୟାର ଶିକାର ହେଉଥିବାରୁ ବିଭିନ୍ନ ସ୍ଥାନରେ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର