ଉତ୍ତରପ୍ରଦେଶରେ ଲଜ୍ଜା: ସ୍ବାମୀ ସାମ୍ନାରେ ପତ୍ନୀଙ୍କୁ ଗଣଦୁଷ୍କର୍ମ, ଦୁଇ ଅଟକ

ବିଜ୍‌ନୋର (ଉତ୍ତର ପ୍ରଦେଶ): ଉତ୍ତର ପ୍ରଦେଶରେ ଦିନକୁ ଦିନ ଆଇନ ଶୃଙ୍ଖଳା ସ୍ଥିତି ବିଗିଡ଼ିବାରେ ଲାଗିଛି। ଏକ ଲଜ୍ଜାଜନକ ଘଟଣା କ୍ରମରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ଆଗରେ ଦୁର୍ବୃତ୍ତମାନେ ଗଣଦୁଷ୍କର୍ମ କରିଛନ୍ତି। ଆମରୋହା ଜିଲ୍ଲାରେ ଶନିବାର ଏହି ଘଟଣା ଘଟିଛି। ଦମ୍ପତି ଏକ ଇ-ରିକ୍ସାରେ ଡାକ୍ତରଙ୍କ ନିକଟରୁ ଘରକୁ ଫେରିବା ବେଳେ ଏହି ଘଟଣା ଘଟିଛି। ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଦୁର୍ବୃତ୍ତମାନେ ମହିଳା ଜଣଙ୍କୁ ଏକ କ୍ଷେତକୁ ଟାଣି ନେଇ ଏହି କାଣ୍ଡ ଭିଆଇଛନ୍ତି। ଏପରିକି ମହିଳାଙ୍କ ସ୍ବାମୀ ଏହାର ପ୍ରତିବାଦ କରିବାରୁ ସେମାନେ ତାଙ୍କ ଉପରକୁ ଗୁଳି ଚଳାଇବା ସହିତ ଛୁରିରେ ଆଘାତ କରିଛନ୍ତି ବୋଲି ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ ଏକ ଏଫଆଇଆର ରୁଜୁ କରି ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଛି।

ମହିଳାଙ୍କ କହିବାନୁଯାୟୀ, ବିଜନୋରର ଚାନ୍ଦପୁର ଅଞ୍ଚଳରେ ଏକ ଡାକ୍ତରଙ୍କୁ ଦେଖା କରିବା ପରେ ସେମାନେ ଆମରୋହାସ୍ଥିତ ତାଙ୍କ ବାପାଙ୍କ ଘରକୁ ଶନିବାର ସଂଧ୍ୟାରେ ଏକ ଇ-ରିକ୍ସାରେ ଫେରୁଥିଲେ। ମହିଳାଙ୍କ ବାପାମାଆ ରହୁଥିବା ସ୍ଥାନ କୁଆଖେରା ନିକଟରେ ସେମାନେ ପହଞ୍ଚିବା ସମୟରେ ସେହି ଗ୍ରାମର ୪ ଜଣ ଦୁର୍ବୃତ୍ତ ତାଙ୍କ ଇ-ରିକ୍ସାକୁ ସେଠାରେ ଅଟକାଇଥିଲେ। ଏହାପରେ ଡ୍ରାଇଭରଠାରୁ ଦୁର୍ବୃତ୍ତମାନେ ଲୁଟ୍ କରି ତାକୁ ଧମକ ଚମକ ଦେଇଥିଲେ। ମହିଳାଜଣକ ଏହା ମଧ୍ୟ କହିଛନ୍ତି ଯେ, ଦୁର୍ବୃତ୍ତମାନେ ସ୍ବାମୀଙ୍କ ସହିତ ତାଙ୍କୁ ବନ୍ଧୁକ ମୁନରେ ନିକଟସ୍ଥ କ୍ଷେତକୁ ନେଇ ସେଠାରେ ସ୍ବାମୀଙ୍କ ସାମ୍ନାରେ ଗଣଦୁଷ୍କର୍ମ କରିଥିଲେ। ସ୍ବାମୀ ଏହାକୁ ବିରୋଧ କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ଗୁଳି ଏବଂ ଛୁରା ମାଡ଼ କରିଥିଲେ।

ସାହାଯ୍ୟ ପାଇଁ ସେମାନଙ୍କ ପାଟି ଶୁଣି କିଛି ଗ୍ରାମବାସୀ ଆସି ପହଞ୍ଚିଯିବାରୁ ଦୁର୍ବୃତ୍ତମାନେ ଭୟରେ ସ୍ଥାନ ଛାଡ଼ି ପଳାଇଥିଲେ। ଏହାପରେ ଦମ୍ପତି ଥାନାକୁ ଯାଇ ମାମଲା ରୁଜୁ କରିଥିଲେ। ମହିଳାଙ୍କ ଅଭିଯୋଗ ଆଧାରରେ ଆମେ ଏକ ମାମଲା ରୁଜୁ କରିଛୁ। ସଂପୃକ୍ତ ମହିଳାଙ୍କୁ ଡାକ୍ତରୀ ଯାଞ୍ଚ ପାଇଁ ପଠାଇଛୁ। ପୁଲିସ ଏହି ମାମଲାର ତଦନ୍ତ କରୁଛି ବୋଲି ଆମରୋହା ଏସପି ଭି. ଟାଡା କହିଛନ୍ତି। ଏହି ମାମଲାରେ ପୁଲିସ ଦୁଇ ଜଣଙ୍କୁ ଅଟକ ରଖି ସେମାନଙ୍କୁ ପଚରାଉଚୁରା ଚଳାଇଛି। ତେବେ ଅଭିଯୋଗ ଅନୁଯାୟୀ ସେମାନେ ମହିଳାଙ୍କ ସ୍ବାମୀଙ୍କ ଦେହରେ କୌଣସି ଗୁଳି ଚିହ୍ନ ନଥିବା କୁହାଯାଇଛି। ଉଲ୍ଲେଖଯୋଗ୍ୟ, ୨୦୧୭ ଅକ୍ଟୋବରରେ ଉତ୍ତର ପ୍ରଦେଶର ମୁଜାଫରନଗରରେ ଏଭଳି ଏକ କାଣ୍ଡ ‌ହୋଇଥିଲା। ସ୍ବାମୀ ଏବଂ ଶିଶୁ ପୁଅ ସାମ୍ନାରେ ଜଣେ ୩୦ ବର୍ଷର ମହିଳାଙ୍କୁ ୪ ଜଣ ଦୁର୍ବୃତ୍ତ ଦୁଷ୍କର୍ମ କରିଥିଲେ। ବାଇକ ଯୋଗେ ସେହି ଦମ୍ପତି ଓ ତାଙ୍କ ପୁଅ ଡାକ୍ତରଙ୍କ ପାଖରୁ ଫେରିବା ବେଳେ ନିଛାଟିଆ ସ୍ଥାନ ଦେଖି ଦୁର୍ବୃତ୍ତମାନେ ମହିଳାଙ୍କୁ ଏକ ଆଖୁ କିଆରିକୁ ନେଇ ଯାଇଥିଲେ। ସେଠାରେ ତାଙ୍କ ସ୍ବାମୀଙ୍କୁ ଏକ ଗଛରେ ବାନ୍ଧି ଦେଇ ମହିଳାଙ୍କୁ ଗଣଦୁର୍ଷ୍କମ କରିଥିଲେ।

ସମ୍ବନ୍ଧିତ ଖବର