ହାଇଦ୍ରାବାଦରେ ଜଘନ୍ୟ କାଣ୍ଡ: କାର୍‌ରେ ନାବାଳିକାଙ୍କୁ ଗଣଦୁଷ୍କର୍ମ

ବିଧାୟକଙ୍କ ପୁଅ ସମେତ ୫ ଅଭିଯୁକ୍ତ ଚିହ୍ନଟ

ହାଇଦ୍ରାବାଦ : ହାଇଦ୍ରାବାଦରେ ଜଣେ ୧୭ ବର୍ଷୀୟ‌ା ନାବାଳିକାଙ୍କୁ କାର୍‌ରେ ଗଣଦୁଷ୍କର୍ମ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଏହି ଦୁଷ୍କର୍ମ କାଣ୍ଡରେ ଜଣେ ବିଧାୟକଙ୍କ ପୁଅଙ୍କ ସମେତ ମୋଟ୍‌ ୫ ଜଣ ସମ୍ପୃ୍କ୍ତ ଅଛନ୍ତି। ସମସ୍ତେ ନାବାଳକ। ଗତ ଶନିବାର ତଥା ମେ’ ୨୮ ତାରିଖରେ ଏହି ଘଟଣା ଘଟିଛି। ଏନେଇ ଜୁବିଲି ହିଲ୍ସ ପୁଲିସ ଷ୍ଟେସନ୍‌ରେ ଏକ ମାମଲା ରୁଜୁ ହୋଇଛି। ଉକ୍ତ ଘଟଣାରେ ଆଇପିସିର ଧାରା ୩୫୪ ଏବଂ ପୋକ୍ସ ଆଇନ ଅଧୀନରେ ମାମଲା ରୁଜୁ ହୋଇଛି। ପୁଲିସ ଏହି ମାମଲାରେ ଜଣେ ବିଧା‌ୟକଙ୍କ ପୁଅ ଏବଂ ଅନ୍ୟ ଜଣେ ରାଜନେତାଙ୍କ ପୁଅର ଭୂମିକା ଥିବା ସଂକ୍ରାନ୍ତରେ ତଦନ୍ତ ଆରମ୍ଭ କରିଛି। ପୁଲିସ ବିଧାୟକଙ୍କୁ ଫୋନ୍‌ କରି ମେ’ ୨୮ ତାରିଖରେ ତାଙ୍କ ପୁଅ କେଉଁଠି ଥିଲେ ତାହା ଜାଣିବାକୁ ଚାହିଥିଲା। କିନ୍ତୁ ବିଧାୟକ ତାଙ୍କ ପୁଅର ଏହି ଘଟଣାରେ କୌଣସି ଭୂମିକା ନଥିବା କହିବା ସହ ଅଧିକ ସୂଚନା ଦେବାରେ ସହଯୋଗ କରିନଥିଲେ। ଏନେଇ ପୁଲିସ ତଦନ୍ତ ଜାରି ରଖିଛି।

ପୀଡ଼ିତା ନାବାଳିକାଙ୍କ ବାପାଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ଝିଅ ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କ ନିମନ୍ତ୍ରଣକ୍ରମେ ଏକ ପାର୍ଟିରେ ଯୋଗ ଦେବାକୁ ଯାଇଥିଲେ। ପାର୍ଟି ଜୁବିଲି ହିଲ୍ସ ସ୍ଥିତ ଏକ ପବ୍‌ରେ ହେଉଥିଲା। ସେଠାରେ କୌଣସି ଆଲକୋହଲ୍‌ ନିଆଯାଉନଥିଲା। କାରଣ ଏହି କାର୍ଯ୍ୟକ୍ରମ ଅପରାହ୍ନ ୧ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଥିଲା। ତେଣୁ ପୀଡ଼ିତାଙ୍କ ପରିବାର ସଦସ୍ୟ ତାଙ୍କୁ ଏଥିପାଇଁ ଅନୁମତି ଦେଇଥିଲେ। ପାର୍ଟି ପରେ ପୀଡ଼ିତା ଜଣଙ୍କ ତାଙ୍କ ପୁରୁଷ ବନ୍ଧୁ ଏବଂ ତାଙ୍କର ଅନ୍ୟ ସାଙ୍ଗମାନଙ୍କ ସହ ପବ୍‌ ଛାଡ଼ିଥିଲେ। ସେମାନେ ତାଙ୍କୁ ତାଙ୍କ ଘରେ ଛାଡ଼ିଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ‌ସେମାନେ ସମସ୍ତେ କାର୍‌ରେ ଆସିଥିଲେ। ରାସ୍ତାରେ ଏକ ପେଷ୍ଟ୍ରି ସପ୍‌ ଯାଇଥିଲେ। ଏହାପରେ ସେମାନେ ଜୁବିଲି ହିଲ୍ସ ପାଖରେ ଗାଡ଼ି ପାର୍କ‌୍ କରି ପୀଡ଼ିତାଙ୍କୁ ଗଣଦୁଷ୍କର୍ମ କରିଥିଲେ। ପୀଡ଼ିତାଙ୍କ ବାପାଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ଝିଅକୁ ଯୌନ ଉତ୍ପୀଡ଼ନ ଦିଆଯାଇଛି ଏବଂ ତାଙ୍କ ବେକରେ କ୍ଷତ ଚିହ୍ନ ଅଛି। ପୀଡ଼ିତାଙ୍କୁ ଶକ୍ତ ଆଘାତ ଲାଗିଥିବାରୁ ସେ କିଛି କହିପାରିନଥିଲେ। ପରେ ମହିଳା ଅଧିକାରୀଙ୍କ ନିକଟରେ ତାଙ୍କ ସହ କ’ଣ ସବୁ ଘଟିଥିଲା ତାହା କହିଛନ୍ତି। ପୁଲିସ ପୀଡ଼ିତାଙ୍କ ବୟାନ ଆଧାରରେ ତଦନ୍ତ ଚଳାଇଛି।

ଅପରାଧରେ ସମ୍ପୃକ୍ତ ଥିବା ୫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଏମ୍‌ଆଇଏମ୍‌ (ମଜଲିସ ଏ ଇତ୍ତେହାଦୁଲ) ବିଧାୟକଙ୍କ ପୁଅ ଏବଂ ଅନ୍ୟ ଜଣେ ମଧ୍ୟ ଏକ ମୁସ୍‌ଲିମ ଧାର୍ମିକ ସଂଗଠନର ନେତାଙ୍କ ପୁଅ ବୋଲି ତେଲେଙ୍ଗାନା ବିଜେପି ପକ୍ଷରୁ କୁହାଯାଇଛି। ବିଜେପି ଉକ୍ତ ଘଟଣାରେ ତତ୍କାଳ ଅଭିଯୁକ୍ତମାନଙ୍କ ଗିରଫ ଦାବି କରିବା ସହ କଠୋର କାର୍ଯ୍ୟାନୁ‌ଷ୍ଠାନ ଦାବି କରିଛି।

ସମ୍ବନ୍ଧିତ ଖବର