ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହାଯ୍ୟ ଲୋଡ଼ିଲେ ପାକ୍‌-ଅଧିକୃତ କଶ୍ମୀରର ଗଣଦୁଷ୍କର୍ମ ପୀଡ଼ିତା

ମୁଜାଫରବାଦ୍‌: ଗତ ୭ ବର୍ଷ ହେବ ବିଚାର ପାଇଁ ସଂଗ୍ରାମ ଚଳାଇଥିବା ପାକିସ୍ତାନ ଅଧିକୃତ କଶ୍ମୀରର ଜଣେ ଗଣଦୁଷ୍କର୍ମ ପୀଡ଼ିତା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାହାଯ୍ୟ ଲୋଡୁଛନ୍ତି। ପିଡ଼ୀତା ଓ ତାଙ୍କ ପିଲାମାନଙ୍କ ଜୀବନ ପ୍ରତି ବିପଦ ଥିବାରୁ ସେ ଭାରତରେ ଆଶ୍ରୟ ଏବଂ ସୁରକ୍ଷା ନିମନ୍ତେ ନିବେଦନ କରିଛନ୍ତି।

ଆବେଗଭରା ଭିଡିଓ ବାର୍ତ୍ତାରେ ମାରିଆ ତାହିର୍‌ ନାମକ ସେ ପୀଡ଼ିତାଜଣକ କହିଛନ୍ତି, ମୁଁ ହେଉଛି ୭ ବର୍ଷ ହେଲା ବିଚାର ପାଇଁ ସଂଗ୍ରାମ ଚଳାଇଥିବା ଜଣେ ଗଣଦୁଷ୍କର୍ମ ପୀଡ଼ିତା। ପାକ୍‌-ଅଧିକୃତ ଜମ୍ମୁ ଓ କଶ୍ମୀର ପୁଲିସ, ସରକାର ଏବଂ ବିଚାର ବିଭାଗ ମୋତେ ବିଚାର ଦେବାରେ ଅସମର୍ଥ ହୋଇଛନ୍ତି।

Image Courtesy of NDTV

ସେ ଆହୁରି ମଧ୍ୟ କହିଛନ୍ତି, ମତେ ଭାରତ ଯିବା ଲାଗି ଅନୁମତି ଦେବାକୁ ଏହି ଭିଡିଓ ଜରିଆରେ ମୁଁ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗୁହାରି କରୁଛି। ମୋ ପିଲାମ‌ାନଙ୍କୁ ହତ୍ୟା ଧମକ ଦିଆଯାଉଛି। ଯେକୌଣସି ସମୟରେ ସ୍ଥାନୀୟ ପୁଲିସ ଏବଂ ବରିଷ୍ଠ ରାଜନେତା ଚୌଧୁରୀ ତାରିକ୍‌ ଫାରୂକ୍‌ ମୋତେ ଓ ମୋ ପିଲାମାନଙ୍କୁ ହତ୍ୟା କରିପାରନ୍ତି। ଆମକୁ ଆଶ୍ରୟ ଏବଂ ସୁରକ୍ଷା ଦେବା ପାଇଁ ପ୍ରଧାନମନ୍ତ୍ରୀ ମ‌ୋଦୀଙ୍କୁ ଅନୁରୋଧ କରିବାକୁ ଚାହୁଁଛି।

Image Courtesy of News NCR

୨୦୧୫ରେ ଏଭଳି ଘୃଣ୍ୟ ଅପରାଧ ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନଙ୍କୁ କଠୋର ଶାସ୍ତି ଦିଆଇବା ପାଇଁ ମାରିଆ ଏଠାରୁ ସେଠାକୁ ଯାଇ ବୃଥା ଚେଷ୍ଟା କରୁଛନ୍ତି।

ଏହା ପୂର୍ବରୁ ମଧ୍ୟ ଏକ ଭିଡିଓରେ ଘଟଣା ବିଷୟରେ ବର୍ଣ୍ଣନା କରି ସେ କହିଥିଲେ, ହାରୂନ୍‌ ରଶିଦ୍‌, ମାମୂନ୍‌ ରଶିଦ୍‌, ଜମୀଲ୍‌ ଶାଫି, ୱାକସ୍‌ ଆଶ୍‌ରଫ୍, ସନମ୍‌ ହାରୂନ୍‌ ଏବଂ ଆହୁରି ୩ଜଣ ମୋ ସହିତ ହୋଇଥିବା ଗଣଦୁଷ୍କର୍ମରେ ସମ୍ପୃକ୍ତ ଅଟନ୍ତି।

ପୁଲିସ ଏବଂ ସ୍ଥାନୀୟ ରାଜନେତାଙ୍କୁ ନିବେଦନ କରି ମଧ୍ୟ ମାରିଆ ବିଚାର ପାଇବାରେ ବିଫଳ ହୋଇଛନ୍ତି। ପାକିସ୍ତାନ ଅଧିକୃତ କଶ୍ମୀରର ପ୍ରଧାନ ବିଚାରପତିଙ୍କ ସମେତ ସ୍ଥାନୀୟ ସରକାରୀ କର୍ତ୍ତୃପକ୍ଷମାନଙ୍କୁ ଅନେକ ଥର ପତ୍ର ଲେଖିଥିଲେ। କିନ୍ତୁ, ସେ ଜଣେ ବିବାହିତ ମହିଳା ବୋଲି କୁହାଯାଇ ଅପମାନଜନକ ଉତ୍ତର ଆସିଥିଲା।

ସମ୍ବନ୍ଧିତ ଖବର