ଜେଲ ଭିତରେ ଗ୍ୟାଙ୍ଗୱାର, ଅପରାଧୀର ଗୁଳିମାଡରେ ଟଳିପଡିଲେ ଦୁଇ ମୋଷ୍ଟୱାଣ୍ଟେଡ ଅପରାଧୀ

ଚିତ୍ରକୂଟ: ଗୁଳି ମାଡ଼ରେ କମ୍ପି ଉଠିଲା ଜେଲ ପରିସର | ଅପରାଧୀର ଗୁଳିମାଡରେ ଦୁଇ ମୋଷ୍ଟୱାଣ୍ଟେଡ ଅପରାଧୀ ଟଳିପଡିଥିବାବେଳେ ପୁଲିସର ଏନକାଉଣ୍ଟରରେ ଉକ୍ତ ଅପରାଧୀ ବି ନିହତ ହୋଇଛି | ଶୁକ୍ରବାର ଦିନ ଉତ୍ତରପ୍ରଦେଶର ଚିତ୍ରକୁଟରେ ଏଭଳି ଘଟଣା ଘଟିଛି | ସୂଚନା ମୁତାବକ ସୀତାପୁରର ଶାର୍ପସୁଟର ଅନସୁଲ ଦୀକ୍ଷିତର ଗୁଳିମାଡରେ ଦୁଇଜଣ ମୋଷ୍ଟୱାଣ୍ଟେଡ ଅପରାଧୀ ୱାସିମ କାଲା ଏବଂ ମିରାଜୁଦ୍ଦିନ ପ୍ରାଣ ହରାଇଥିବାବେଳେ ପୁଲିସ ଏନକାଉଣ୍ଟରରେ ଅନସୁଲର ମଧ୍ୟ ଜୀବନ ଯାଇଛି |

ଜେଲରୁ ମିଳିଥିବା ଖବର ଅନୁଯାୟୀ, ଦୁର୍ଦ୍ଦାନ୍ତ ଅପରାଧୀ ଅନସୁଲ ଅନେକ ମାସ ଧରି ଜେଲରେ ଥିବାବେଳେ ଗ୍ୟାଙ୍ଗଷ୍ଟର ୱାସିମ କାଲା ଏବଂ ମିରାଜୁଦ୍ଦିନଙ୍କୁ ମଧ୍ୟ କିଛି ଦିନ ପୂର୍ବରୁ ଚିତ୍ରକୁଟ ଜେଲକୁ ଅଣାଯାଇଥିଲା। ଶୁକ୍ରବାର ସକାଳେ ଅନସୁଲ ପିସ୍ତଲ ସାହାଯ୍ୟରେ ଉଭୟଙ୍କ ଉପରକୁ ଗୁଳି ଚଳାଇଥିଲେ। ସୁରକ୍ଷାକର୍ମୀମାନେ କିଛି ବୁଝିବା ପୂର୍ବରୁ ୱାସିମ ଏବଂ ମିରାଜୁଦ୍ଦିନଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା |

photo-india today

ଏହା ପରେ ସୁରକ୍ଷାକର୍ମୀ ଅନସୁଲଙ୍କୁ ଆତ୍ମସମର୍ପଣ କରିବାକୁ କହିଥିଲେ କିନ୍ତୁ ସେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲା | ଆଉ ପୁଲିସ ଏହାର ଜବାବ ଦେବାକୁ ଏନକାଉଣ୍ଟର କରିଥିଲା | ଶେଷରେ ପୁଲିସ ଗୁଳିରେ ତା’ର ମୃତ୍ୟୁ ଘଟିଛି | କୁହାଯାଉଛି ଯେ କିଛି ଦିନ ଧରି ଅନସୁଲ ଓ ୱାସିମ ଏବଂ ମିରାଜୁଦ୍ଦିନ ମଧ୍ୟରେ ଶୀତଳ ଯୁଦ୍ଧ ଲାଗିଥିଲା | ଆଉ ଏହାର ପ୍ରତିଶୋଧ ନେବାକୁ ଯାଇ ଅନସୁଲ ଉଭୟଙ୍କ ଉପରେ ଗୁଳି ଚଳାଇଥିଲା | ତେବେ ଅନସୁଲ ବନ୍ଧୁକ କିଭଳି ପାଇଲା ସେ ନେଇ ଏବେ ତଦନ୍ତ ଜାରି ରହିଛି |

ସମ୍ବନ୍ଧିତ ଖବର