ଦୁର୍ଘଟଣାରେ ପୁଅର ମୃତ୍ୟୁ ପରେ ୩୨ ବର୍ଷ ହେବ ବିନା ଦରମାରେ ରାସ୍ତାରେ ଟ୍ରାଫିକ ନିୟନ୍ତ୍ରଣ କରୁଛନ୍ତି ଏହି ବ୍ୟକ୍ତି

ଦିଲ୍ଲୀ: କେବେ ଶୁଣିଛନ୍ତି କି ବିନା ଦରମାରେ ୩୨ ବର୍ଷ ଧରି କେହି କାମ କରୁଛନ୍ତି | ନା ଖରା ନା ବର୍ଷା ଟ୍ରାଫିକ ଲାଇଟ ସାମ୍ନାରେ ଏହି ବ୍ୟକ୍ତି ଜଣକ ଛିଡା ହୋଇ ବ୍ୟବସ୍ଥିତ ଢଙ୍ଗରେ ଗାଡ଼ିଗୁଡ଼ିକୁ ଛାଡ଼ନ୍ତି ଓ ଟ୍ରାଫିକ ନିୟନ୍ତ୍ରଣ କରନ୍ତି | ଦିଲ୍ଲୀ ସିଲମପୁର ଟ୍ରାଫିକ ଛକରେ ପ୍ରତିଦିନ ଛିଡା ହୋଇ ଟ୍ରାଫିକ ନିୟନ୍ତ୍ରଣ କରୁଥିବା ଏହି ବ୍ୟକ୍ତିଙ୍କ ନାମ ହେଉଛି ଗଙ୍ଗାରାମ, ବୟସ ପ୍ରାୟ ୭୨ ହେବ | ଟ୍ରାଫିକ ପୁଲିସଙ୍କ ଭଳି କପଡା ପିନ୍ଧୁଥିବା ଗଙ୍ଗାରାମଙ୍କୁ ଯିଏ ବି ଦେଖନ୍ତି ପ୍ରଥମେ ଟ୍ରାଫିକ କର୍ମଚାରୀ ବୋଲି ଭାବନ୍ତି |

କାହିଁକି ବିନା ଦରମାରେ ଟ୍ରାଫିକ ନିୟନ୍ତ୍ରଣ କରନ୍ତି ଏହି ବ୍ୟକ୍ତି
ପ୍ରତିଦିନ ସକାଳ ୯ଟାରୁ ରାତି ୧୦ଟା ଯାଏଁ ଛକ ଉପରେ ସେ ଛିଡା ହୁଅନ୍ତି | ପୂର୍ବରୁ ସେ ଟିଭି ମେକାନିକ ଭାବେ କାମ କରୁଥିବାବେଳେ ୩୨ ବର୍ଷ ତଳେ ତାଙ୍କର ଏକମାତ୍ର ପୁଅ ଏହି ଛକରେ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ | ଏହା ପରେ ପୁଅକୁ ଝୁରି ଝୁରି ପତ୍ନୀଙ୍କର ବି ଜୀବନ ଚାଲିଯାଇଥିଲା | ଜୀବନର ଦୋଛକିରେ ଏ ସବୁ ସମସ୍ୟା ସାମ୍ନା କରିବା ପରେ ଗଙ୍ଗାରାମ ନିଷ୍ପତ୍ତି ନେଇଥିଲେ ଯେ ଗହଳି ରାସ୍ତାରେ ଛିଡା ହୋଇ ଟ୍ରାଫିକ ନିୟନ୍ତ୍ରଣ କରିବେ | ତାଙ୍କ ପୁଅ ଭଳି ଆଉ କାହାର ପୁଅ ଯେମିତି ରାସ୍ତା ଦୁର୍ଘଟଣାରେ ମୃତ୍ୟୁ ମୁଖରେ ନ ପଡନ୍ତୁ ସେଥିପାଇଁ ଟ୍ରାଫିକ ନିୟନ୍ତ୍ରଣରେ ଲାଗିପଡିଛନ୍ତି | ଛକରେ ଟ୍ରାଫିକ ଲାଇଟ ନାଲି ହେବା ମାତ୍ରେ ଯେଭଳି ସମସ୍ତେ ଅଟକିବେ ସେଥିପ୍ରତି ଗଙ୍ଗାରାମ ଦୃଷ୍ଟି ଦେଇଥାନ୍ତି |

ସମ୍ବନ୍ଧିତ ଖବର