ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ଅବସରରେ ୨୬ ଜାନୁଆରୀରେ ଦିଲ୍ଲୀ ରାସ୍ତାରେ ହୋଇଥିବା ହିଂସାକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି | ଟ୍ରାକ୍ଟର ରାଲିରେ ବିଶୃଙ୍ଖଳା ଓ ପୁଲିସ କର୍ମୀଙ୍କୁ ଆକ୍ରମଣ ଘଟଣାରେ ଦିଲ୍ଲୀ ପୁଲିସ ଏବେ ଆକ୍ସନ ମୁଡ଼କୁ ଆସିଯାଇଛି | ଏହି ହିଂସାକାଣ୍ଡ ପଛରେ ଗ୍ୟାଙ୍ଗଷ୍ଟରଙ୍କ ଭୂମିକା ଥିବାର ଜଣାପଡିଛି | ଦିଲ୍ଲୀ ପୁଲିସର ସୂଚନା ମୁତାବକ କେନ୍ଦ୍ରୀୟ ଦିଲ୍ଲୀରେ ହୋଇଥିବା ହିଂସା ଘଟଣାରେ ଗ୍ୟାଙ୍ଗଷ୍ଟର ଲଖ ସଦାନର ସମ୍ପୃକ୍ତି ଥିବାର ଜଣାପଡିଛି |
ସୂଚନାନୁସାରେ, ଲଖ ସଦାନ ଏବଂ ତାହାର ସହଯୋଗୀମାନେ ଦିଲ୍ଲୀର କିଛି ପୁଲିସ କର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ | କେନ୍ଦ୍ରୀୟ ଦିଲ୍ଲୀରେ ଲଖ ସଦାନ ଓ ସହଯୋଗୀମାନେ କୃଷକ ଆନ୍ଦୋଳନର ଫାଇଦା ନେଇ ପୁଲିସ କର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ | ସୂଚନା ମୁତାବକ ପଞ୍ଜାବରେ ଲଖ ସଦାନ ନାମରେ ୨୦ରୁ ଅଧିକ ମାମଲା ଥିବାବେଳେ କିଛି ଦିନ ହେଲା କୃଷକ ଆନ୍ଦୋଳନରେ ନିଜକୁ ସାମିଲ କରିଥିଲା |
ଆଉ ଏବେ ଲଖ ସଦାନର ଭୂମିକା ଉପରେ ପୁଲିସ ତଦନ୍ତ କରୁଛି। ପୂର୍ବ ଦିଲ୍ଲୀ, ଦ୍ୱାରକା ଏବଂ ପଶ୍ଚିମ ଦିଲ୍ଲୀରେ ପୁଲିସ ଉପରେ ହୋଇଥିବା ଆକ୍ରମଣରେ ଦିଲ୍ଲୀ ପୁଲିସ ଏପର୍ଯ୍ୟନ୍ତ ୧୩ ଟି ମାମଲା ପଞ୍ଜୀକୃତ କରିଛି | ସରକାରୀ ସମ୍ପତ୍ତି ନଷ୍ଟ, ପୁଲିସ ଉପରେ ଆକ୍ରମଣ ଓ ଅସ୍ତ୍ରଶସ୍ତ୍ର ଲୁଟ୍ ଭଳି ସଂଗୀନ ଦଫାରେ ମାମଲା ରୁଜୁ କରାଯାଇଛି |