କୋଲକାତା: ପଶ୍ଚିମବଙ୍ଗରେ ଆଉ ଏକ ବର୍ବର ଅପରାଧ ଆଲୋଡ଼ନ ସୃଷ୍ଟି କରିଛି।  ଗତ ମଙ୍ଗଳବାର ନିଖୋଜ ହୋଇଯାଇଥିବା ଜଣେ ୧୮ ବର୍ଷୀୟା ମହିଳାଙ୍କ ମୃତଦେହ ମିଳିଛି। ଶବର ମୁହଁକୁ ଏସିଡ୍‌ ଢାଳି ଜାଳି ଦିଆଯାଇଥିବା ପୁଲିସ କହିଛି।  ପୀଡ଼ିତାଙ୍କ ବାପା ମା’ଙ୍କ ଅଭିଯୋଗ ଆଧାରରେ ପୁଲିସ ପୀଡ଼ିତାଙ୍କର ପୁରୁଷ ବନ୍ଧୁଙ୍କୁ ଗିରଫ କରିଛି।  ପୀଡ଼ିତାଙ୍କ ବାପା ମା'ଙ୍କ ଅଭିଯୋଗ ଅନୁଯାୟୀ ପୀଡ଼ିତା ମଙ୍ଗଳବାର ଦିନ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ପିଜା ଖାଇବାକୁ ଯାଇଥିଲେ। କିନ୍ତୁ ସେ ଆଉ ଫେରିନଥିଲେ। ବହୁ ଖୋଜାଖୋଜି କରିବାପରେ ଶେଷରେ ବୁଧବାର ସକାଳେ ତାଙ୍କ ମୃତଦେହ ମିଳିଛି। ତେବେ ତାଙ୍କ ମୃତଦେହ ମିଳିବାର କିଛି ଘଣ୍ଟା ପୂର୍ବରୁ ପୀଡ଼ିତାଙ୍କ ଫେସବୁକ୍‌ ଆକାଉଣ୍ଟ୍‌ରେ ଏକ ପୋଷ୍ଟ୍‌ କରାଯାଇଛି। ଏଥିରେ ଲେଖାଯାଇଛି ଯେ ମୋ ମୃତ୍ୟୁପାଇଁ କେହି ଦାୟୀ ନୁହନ୍ତି।  ତଦନ୍ତ ପ୍ରକ୍ରିୟାକୁ ବିଭ୍ରାନ୍ତ କରିବା ପାଇଁ ଏଭଳି ଷଡ଼୍‌ଯନ୍ତ୍ର କରାଯାଇଥିବା ସନ୍ଦେହ କରାଯାଉଛି।  କୃଷ୍ଣନଗର ଏସ୍‌ପି ଅମରନାଥ  କହିଛନ୍ତି, ପ୍ରାଥମିକ ତଦନ୍ତରୁ ଜଣାପଡ଼ୁଛି ଯେ ପୀଡ଼ିତାଙ୍କ ମୃତଦେହ ଯେଉଁଠାରୁ ମିଳିଛି ସେଠାରେ ଅପରାଧ ହୋଇନାହିଁ।  ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗ ଅନୁଯାୟୀ ତାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଛି ଏବଂ ତାଙ୍କ ମୁହଁରେ ଏସିଡ୍‌ ଢାଳି ଜାଳି ଦିଆଯାଇଛି।  ଉକ୍ତ ଘଟଣା ‌ପାଇଁ ସେମାନେ ପୀଡ଼ିତାଙ୍କ ପୁରୁଷ ବନ୍ଧୁ ଏବଂ ତାଙ୍କ ସାଙ୍ଗମାନଙ୍କୁ ଦାୟୀ କରିଛନ୍ତି।  

Advertisment

ପୀଡ଼ିତାଙ୍କ ମା’ଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ଝିଅ ପୁଲିସ ଅଫିସର ହେବାକୁ ଲକ୍ଷ୍ୟ ରଖିଥିଲା। ପୀଡ଼ିତା ଏବଂ ତାଙ୍କ ପୁରୁଷ ବନ୍ଧୁଙ୍କ ମଧ୍ୟରେ ପୂର୍ବରୁ ଗଣ୍ଡଗୋଳ ହୋଇ ସଂପର୍କ ତୁଟିଯାଇଥିଲା। କିନ୍ତୁ ପୁଣିଥରେ ସଂପର୍କ ସ୍ଥାପନ ହେବାପରେ ପୀଡ଼ିତା ତାଙ୍କୁ ବିବାହ କରିବାକୁ ଚାହିଥିଲେ।  ଏଥିପାଇଁ ତାଙ୍କ ଝିଅକୁ ମାରି ଦିଆଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ପୀଡ଼ିତାଙ୍କ ପରିବାର ସଦସ୍ୟ ଏମ୍‌ସ ଡାକ୍ତରଙ୍କ ଦ୍ବାରା ଝିଅର ଶବ ବ୍ୟବଚ୍ଛେଦ ପାଇଁ ଦାବି କରିଛନ୍ତି।  ସମଗ୍ର ବ୍ୟବଚ୍ଛେଦ ପ୍ରକ୍ରିୟାକୁ ରେକର୍ଡ କରିବାପାଇଁ  ମଧ୍ୟ ସେମାନେ ଦାବି ରଖିଛନ୍ତି।  ଏହି ଭୟାନକ ଅପରାଧ  ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। କୋଟୱାଲି ଥାନା ନିକଟରେ ଆଜି ଏହି ଘଟଣାକୁ ବିରୋଧ କରି  ଆନ୍ଦୋଳନ ହୋଇଛି ଏବଂ ପୂର୍ବତନ ବିଜେପି ସାଂସଦ ଲକେଟ୍‌ ଚାଟାର୍ଜୀ ପୀଡ଼ିତାଙ୍କ ବାପା ମା’ଙ୍କୁ ଭେଟିଛନ୍ତି।  ରାଜ୍ୟ କଂଗ୍ରେସ ସଭାପତି ଶୁଭଙ୍କର ସରକାର ଏହି ଘଟଣାରେ ମନ୍ଥର ତଦନ୍ତ ପ୍ରକ୍ରିୟାକୁ କଡ଼ା ସମାଲୋଚନା କରିଛନ୍ତି।