ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇକୁ ନେଇ ପ୍ରତିଦିନ ନୂଆନୂଆ ତଥ୍ୟ ସାମ୍ନାକୁ ଆସିଥାଏ। ସମ୍ପ୍ରତି ଲରେନ୍ସ ବିଷ୍ଣୋଇ ଦାବି କରି କହିଛି କି ତା’ ବିରୋଧରେ ଷଡ଼ଯନ୍ତ୍ର କରାଯାଉଛି। ଏହି ଷଡ଼ଯନ୍ତ୍ରରେ ପୁଲିସ ସାମିଲ ଥିବା ସହିତ ତାକୁ ଓ ତାର ଭାଇକୁ ଫସା ଯାଉଥିବା ବି ଲରେନ୍ସ ଅଭିଯୋଗ କରିଛି।
ନିକଟରେ ଲରେନ୍ସ ମାଜିଷ୍ଟ୍ରେଟଙ୍କ ସାମ୍ନାରେ କହିଛି, ‘ ମୁଁ ଜେଲରେ ବନ୍ଦୀ ଅଛି। ମୁଁ କେମିତି କାହାକୁ ଧମକ ଦେଇ ପାରିବି। କେମିତି କାହାକୁ ହତ୍ୟା କରି ପାରିବି। ଏମାନେ ସମସ୍ତେ ମୋ ବିରୋଧରେ ଷଡ଼ଯନ୍ତ୍ର କରିଛନ୍ତି। କେବଳ ମୋତେ ନୁହେଁ ଏମାନେ ସମସ୍ତେ ମୋ ଭାଇ ଅନମୋଲକୁ ବି ଛାଡ଼ି ନାହାନ୍ତି। ଜେଲରେ ମୋବାଇଲ ନଥାଏ। କହୁଛନ୍ତି ମୋତେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖିଛନ୍ତି। ଏଭଳି କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମୁଁ କାହାକୁ କେମିତି ଫୋନ ଯୋଗେ ଧମକ ଦେଇ ପାରିବି। କିଛି ଲୋକ ମୋ ନାମର ବ୍ୟବହାର କରି ନିଜ କାମ କରାଇ ନେଉଛନ୍ତି। ପୁଲିସ ବି ଏହି ଷଡ଼ଯନ୍ତ୍ରରେ ପୁରା ସାମିଲ ରହିଛି। ଦୋଷ ସ୍ବୀକାର କରିବା ପାଇଁ ମୋ ଉପରେ ଚାପ ପକାଉଛି।’
କୋର୍ଟରେ ହାଜର ହେବା ପରେ ଜଜ ହର୍ଷିତ ହାଡା ଲରେନ୍ସ ବିଷ୍ଣୋଇର ବୟାନ ରେକର୍ଡ କରିଥିଲେ। କୋର୍ଟରେ ଲରେନ୍ସ ବିଷ୍ଣୋଇକୁ ୫୦ଟି ପ୍ରଶ୍ନ ପଚରାଯାଇଥିଲା। ଏହି ପ୍ରଶ୍ନର ଅଧିକାଂଶ ଉତ୍ତର ସେ ଜେଲରେ ଅଛି କେମିତି ଅପରାଧ ଘଟାଇ ପାରିବ ଏପରି ଭାବେ ଦେଇଥିଲା। ବାକି ପ୍ରଶ୍ନର ଉତ୍ତର ଲରେନ୍ସର ଓକିଲ ସଞ୍ଜୟ ବିଷ୍ଣୋଇ ଓ ସୁନୀଲ ଚରଣ ଦେଇଥିଲେ।
୨୦୧୭ ମାର୍ଚ୍ଚ ୪ ତାରିଖରେ ଯୋଦ୍ଧପୁରର ଜୈନ ଟ୍ରାଭେଲ୍ସ ମାଲିକ ମନୀଷ ଜୈନଙ୍କ କାର୍ଯ୍ୟାଳୟ ଓ ତାଙ୍କ ଉପରେ ଗୁଳି କରିବା ପାଇଁ ଲରେନ୍ସର ଗ୍ୟାଙ୍ଗ ସଦସ୍ୟ ଆସିଥିଲେ। କିନ୍ତୁ ଜୈନଙ୍କ ଭାଗ୍ୟ ଭଲ ଥିଲା ସୁଟରମାନେ ଗୁଳି ଚଲାଇବା ପୂର୍ବରୁ ବନ୍ଧୁକ ଲକ ହୋଇଯାଇଥିଲା ଆଉ ଗୁଳି ଫୁଟି ପାରି ନଥିଲା। ପୁଲିସ ଏହି ଘଟଣାରେ ଲରେନ୍ସ ବିଷ୍ଣୋଇ ବିରୋଧରେ ମାମଲା ରୁଜୁ ବି କରିଥିଲା।