ଗ୍ୟାଙ୍ଗଷ୍ଟର ସଂଜୀବ ଜୀବାକୁ ଲକ୍ଷ୍ନୌ କୋର୍ଟରେ ଗୁଳିକରି ହତ୍ୟା

ନୂଆଦିଲ୍ଲୀ : ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ମୁଖତାର ଅନ୍‌ସାରୀଙ୍କ ଘନିଷ୍ଠ ସହଯୋଗୀ ତଥା କୁଖ୍ୟାତ ଗ୍ୟାଙ୍ଗଷ୍ଟର ସଂଜୀବ ମାହେଶ୍ବରୀ ଜୀବାକୁ ଆଜି ଲକ୍ଷ୍ନୌ କୋର୍ଟ ପରିସରରେ ଗୁଳିକରି ହତ୍ୟା କରାଯାଇଛି। କୋର୍ଟ ରୁମ୍‌ ବାହାରେ ଆଜି ଏହି ଘଟଣା ଘଟିଛି। ବିଜେପି ବିଧାୟକ ବ୍ରହ୍ମା ଦତ୍ତ ଦ୍ବିବେଦୀଙ୍କ ହତ୍ୟା ମାମଲାରେ ସଂଜୀବ ଜୀବା ଜଣେ ଅଭିଯୁକ୍ତ। ଆଜି ଏହି ଅପରାଧିକ ମାମଲାରେ ସଂଜୀବକୁ କୋର୍ଟରେ ହାଜର କରାଯାଇଥିଲା। ତେବେ ଓକିଲ ବେଶରେ ଆସିଥିବା ଜଣେ ବ୍ୟକ୍ତି ସଂଜୀବ ଜୀବା ଉପରକୁ ଅତର୍କିତ ଗୁଳିମାଡ଼ କରିଥିଲା। ଘଟଣାସ୍ଥଳରେ ହିଁ ସଂଜୀବର ମୃତ୍ୟୁ ଘଟିଛି ଏବଂ ଏହି ମାମଲାରେ ଲକ୍ଷ୍ନୌ ପୁଲିସ ଅଭିଯୁକ୍ତକୁ ଚିହ୍ନଟ କରିଛି। ଅଭିଯୁକ୍ତର ନାଁ ବିଜୟ ଯାଦବ। ଉକ୍ତ ଘଟଣାରେ ଜଣେ ଜଣେ ପୁଲିସ କନେଷ୍ଟବଳ ସମେତ ୨ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଲକ୍ଷ୍ନୌ ସିଭିଲ୍‌ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଇତିମଧ୍ୟରେ ଲକ୍ଷ୍ନୌ କୋର୍ଟରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ସଂଜୀବ ୫୦ରୁ ଅଧିକ ସଂଗୀନ ଅପରାଧରେ ସଂପୃକ୍ତ। ଅଣ୍ଡରୱାର୍ଲ୍ଡରେ ବିଗତ ୫ ବର୍ଷ ମଧ୍ୟରେ ସଂଜୀବର ପ୍ରଭାବ ବଢ଼ିଚାଲିଥିଲା। ଅନ୍ୟତମ କୁଖ୍ୟାତ ଗ୍ୟାଙ୍ଗଷ୍ଟର ମୁନ୍ନା ବଜରଙ୍ଗୀର ମଧ୍ୟ ସେ ଘନିଷ୍ଠ ସହଯୋଗୀ ।

ସମ୍ବନ୍ଧିତ ଖବର