ଲକ୍ଷ୍ନୌରେ ଚାଞ୍ଚଲ୍ୟ: କୋର୍ଟ ଭିତରେ ଗ୍ୟାଙ୍ଗଷ୍ଟରକୁ ଗୁଳିକରି ହତ୍ୟା

ଲକ୍ଷ୍ନୌ : ପୁଣି ଉତ୍ତରପ୍ରଦେଶର ଆଇନଶୃଙ୍ଖଳାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମାଫିଆ ମୁଖତାର  ଅନସାରୀର ଘନିଷ୍ଠ ସହଯୋଗୀ ଗ୍ୟାଙ୍ଗଷ୍ଟର ସଞ୍ଜୀବ ଜୀବାକୁ ଲକ୍ଷ୍ନୌର ସିଭିଲ କୋର୍ଟରେ ଗୁଳି କରି ହତ୍ୟା କରାଯାଇଛି। ଜଣେ ବ୍ୟକ୍ତି ଓକିଲ ବେଶରେ ଆସି ଗୁଳିମାଡ଼ କରିଥିଲା । ଗୁଳିମାଡ଼ରେ ଜଣେ ନାବାଳିକା ଓ ଜଣେ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି।

ସଞ୍ଜୀବ ପଶ୍ଚିମ ୟୁପିର ଜଣେ କୁଖ୍ୟାତ ଅପରାଧୀ ଥିଲା । ବିଜେପି ନେତା ସ୍ୱର୍ଗତ ବ୍ରହ୍ମଦତ୍ତ ଦ୍ୱିବେଦୀଙ୍କ ହତ୍ୟା ମାମଲାରେ ମଧ୍ୟ ଜୀବା ଅଭିଯୁକ୍ତ ଥିଲା। କୃଷ୍ଣାନନ୍ଦ ରାୟ ହତ୍ୟା ମାମଲାରେ ତା ନାଁ ସାମ୍ନାକୁ ଆସିଥିଲା। ସଞ୍ଜୀବର ବିରୋଧରେ ଅନେକ ହତ୍ୟା, ହତ୍ୟା ଉଦ୍ୟମ ଓ ଦାଦାବଟି ମାମଲା ମଧ୍ୟ ରହିଛି । ସେ ପୂର୍ବରୁ ଜଣେ କମ୍ପାଉଣ୍ଡର ଭାବେ କାମ କରୁଥିଲା । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସେ କୁଖ୍ୟାତ ମାଫିଆ ଡନ୍ ମୁଖତାର ଅନସାରୀର ଡାହାଣ ହାତ ଓ ସାର୍ପ ସୁଟର ଥିଲା । ଏକ ଅପରାଧିକ ମାମଲାର ଶୁଣାଣି ପାଇଁ ତାକୁ କୋର୍ଟ ଅଣାଯାଇଥିଲା ।

ସଞ୍ଜୀବ ଜୀବାଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତିର ପରିଚୟ ମିଳିଛି। ତା ନାଁ ବିଜୟ ଯାଦବ। ସେ ଜୌନପୁରର ବାସିନ୍ଦା । ସେ ଜଣେ ଓକିଲ ଭାବେ କୋର୍ଟରେ ପହଞ୍ଚିଥିଲା ଓ ଗୁଳି ଚଳାଇ ଫେରାର ହୋଇଯାଇଥିଲା । ଗୁଳି ମାଡ଼ ଯୋଗୁଁ ଘଟଣାସ୍ଥଳରେ ହିଁ ସଂଜୀବର ମୃତ୍ୟୁ ହୋଇଥିଲା ।

ସମ୍ବନ୍ଧିତ ଖବର