ନୂଆଦିଲ୍ଲୀ: ଗତ ଏପ୍ରିଲ ମାସରେ ବଲିଉଡ ଅଭିନେତା ସଲମାନ ଖାନଙ୍କ ମୁମ୍ବାଇ ଘରେ ଏକାଧିକ ଗୁଳି ଚାଳନା ହେବା ପରେ ତାହାକୁ ନେଇ ନୂଆ ନୂଆ ତଥ୍ୟ ହସ୍ତଗତ ହୋଇଛି। ଗୁଳି ଚଳାଇଥିବା ସୁଟରମାନଙ୍କୁ ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇଙ୍କ ଭାଇ ଅନମୋଲ ବିଷ୍ନୋଇ ୯ ମିନିଟ୍‌ର ‘ପ୍ରେରଣା ଦାୟକ’ ଭାଷଣ ଦେଇଥିଲେ।

Advertisment

ମୁମ୍ବାଇ ପୁଲିସର କ୍ରାଇମ ବ୍ରାଞ୍ଚ ଦାଖଲ କରିଥିବା ଚାର୍ଜସିଟ ଅନୁଯାୟୀ,  ଅନମୋଲ ଦୁଇ ସୁଟର ଭିକି ଗୁପ୍ତା ଏବଂ ସାଗର ପାଲଙ୍କୁ କହିଥିଲେ ଯେ ଯେତେବେଳେ ସେମାନେ ଅଭିନେତାଙ୍କ ବାସଭବନରେ ଆକ୍ରମଣ କରିବେ ସେତେବେଳେ ସେମାନେ ଇତିହାସ କରିବେ।

ଦୁଇ ମୋଟରସାଇକେଲ ଚାଳିତ ବ୍ୟକ୍ତି ଗୁପ୍ତା ଏବଂ ପାଲ ଏପ୍ରିଲ ୧୪ ତାରିଖ ଦିନ ସକାଳେ ବାନ୍ଦ୍ରାସ୍ଥିତ ଗାଲାକ୍ସି ଆପାର୍ଟମେଣ୍ଟରେ ଖାନଙ୍କ ଘର ବାହାରେ ଏକାଧିକ ଗୁଳି ଚଳାଇଥିଲେ।
ଏକ ଅଡିଓ ନୋଟ୍ ମାଧ୍ୟମରେ ଦିଆଯାଇଥିବା ଅଭିଭାଷଣରେ ଅନମୋଲ ସୁଟରଙ୍କୁ ‘ପ୍ରେରଣା ଦାୟକ’ ଭାଷଣ ଦେଉଥିବା ଶୁଣିବାକୁ ମିଳିଛି। ବର୍ତ୍ତମାନ ଏହି ମାମଲାରେ ଲରେନ୍ସ ନ୍ୟାୟିକ ହେପାଜତରେ ଅଛନ୍ତି।

ମୁମ୍ବାଇର ଏକ ସ୍ୱତନ୍ତ୍ର ଅଦାଲତରେ ଦାଖଲ ହୋଇଥିବା ୧,୭୩୫ ପୃଷ୍ଠାର ଚାର୍ଜସିଟ୍ ଅନୁଯାୟୀ ସେ ସୁଟରମାନଙ୍କୁ କହୁଥିବାର ଶୁଣିବାକୁ ମିଳୁଛି, "ଏହା ଏକ ଭଲ କାମ।  କାମ ସରିବା ପରେ ତୁମେମାନେ ଇତିହାସ ରଚିବ।’’ ଅନମୋଲ ଗୁପ୍ତା ଏବଂ ପାଲଙ୍କୁ ଉତ୍ସାହିତ କରି କହିଥିଲେ ଯେ ସେମାନେ “ଧାର୍ମିକ କାର୍ଯ୍ୟ” କରିବେ। ସେ କହିଛନ୍ତି, "ଏହି କାମ କରିବା ସମୟରେ ଆଦୌ ଭୟ କର ନାହିଁ। ଏହି କାମ କରିବା ଅର୍ଥ ସମାଜରେ ପରିବର୍ତ୍ତନ ଆଣିବା।"