ଦିଲ୍ଲୀରେ ଗ୍ୟାଙ୍ଗ୍‌ଓ୍ଵାର୍‌:୩ ମୃତ, ୫ ଆହତ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପୁଣିଥରେ ଗ୍ୟାଙ୍ଗ୍‌ଓ୍ଵାର୍‌ ଆରମ୍ଭ ହୋଇଯାଇଛି। ଉତ୍ତର ଦିଲ୍ଲୀର ବୁରାରିର ସନ୍ତ ନଗରରେ ଫିଲ୍ମ ଷ୍ଟାଇଲରେ ଆଜି ସକାଳେ ଦୁଇ ସ୍ଥାନୀୟ ଗୋଗି ଓ ଟିଲ୍ଲ ଗ୍ୟାଙ୍ଗ୍‌ ମଧ୍ୟରେ ଗୁଳି ବିନିମୟ ହୋଇ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ନିରୀହ ମହିଳା ଥିବା ଜଣାପଡ଼ିଛି। ଗୁଳି ବିନିମୟ ବେଳେ ସେ ମଝିକୁ ଚାଲି ଆସିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ବିଚ୍‌ ରାସ୍ତା ଉପରେ ସାମ୍ନା ପଟରୁ ଆସୁଥିବା ଦୁଇ କାର ମଧ୍ୟରୁ ପରସ୍ପର ଉପରକୁ ଗୁଳିମାଡ଼ ହୋଇଥିଲା। ଏକ ଜିମ୍‌ ଗଣ୍ଡଗୋଳକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ହୋଇଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତେବେ ପୁଲିସ ଏଯାଏଁ ଏହି ଘଟଣାରେ କାହାକୁ ଗିରଫ କରିନଥିବା ବେଳେ ଉଭୟ ଗ୍ୟାଙ୍ଗ୍‌ର ଲୋକେ ଫେରାର ହୋଇ ଯାଇଥିବା ଜଣାପଡ଼ିଛି। ଏହି ଦୁଇ ଗ୍ୟାଙ୍ଗ୍‌ ମଧ୍ୟରେ ଅତୀତରେ ଅନେକଥର ଏଭଳି ସଂଘର୍ଷ ହୋଇଛି। ୨୦୧୦ ମସିହାରେ ଦିଲ୍ଲୀ ବିଶ୍ୱ ବିଦ୍ୟାଳୟର ନିର୍ବାଚନ ବେଳେ ଗଢି ଉଠିଥିବା ଦୁଇ ଛାତ୍ରଗୋଷ୍ଠୀ ପରେ ଦୁଇ କୁଖ୍ୟାତ ଗ୍ୟାଙ୍ଗ୍‌ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର