ବ୍ରହ୍ମପୁର: ସମୁଦ୍ର ଉପକୂଳବର୍ତ୍ତୀ ଜିଲ୍ଲା ଗଞ୍ଜାମର ବିଭିନ୍ନ ବ୍ଲକ୍‌ର ମାଟିରେ ଖାରି ଅଂଶ ରହୁଛି। ସମୁଦ୍ରକୂଳିଆ ଜଳବାୟୁ ପ୍ରଭାବ‌ ଯୋଗୁ ମାଟି ଖାରି ହୋଇଥାଏ। ‌ଏବେ ଜିଲ୍ଲାର ଅଧିକାଂଶ ବ୍ଲକ୍‌ର ମାଟିରେ ଅମ୍ଳ (ଏସିଡ୍‌) ଅଂଶ ବଢ଼ିବାରେ ଲାଗିଛି। ଏହାର ମୁଖ୍ୟ କାରଣ ହେଉଛି ମାତ୍ରାଧିକ ସାର ପ୍ରୟୋଗ। ମୃତ୍ତିକା ରସାୟନବିତ୍‌ଙ୍କ କାର୍ଯ୍ୟାଳୟ ତରଫରୁ ୨୦୨୪-୨୫ ଆର୍ଥିକ ବର୍ଷରେ ଜିଲ୍ଲାର ୨୨ଟି ବ୍ଲକ୍‌ରୁ ମୋଟ ୩୮ହଜାର ନମୁନା ସଂଗ୍ରହ କରି ପରୀକ୍ଷା କରାଯାଇଥିଲା। ତନ୍ମଧ୍ୟରୁ ୨୯ହଜାର ୮୮୨ ନମୁନାରେ ଅମ୍ଳ ଅଂଶ ରହିଛି। ସେହିପରି ୯୩୧ ନମୁନା ଖାରି ରହିଛି। ପ୍ରତିବର୍ଷ ଅମ୍ଳ ଓ ଖାରି ଅଂଶ ବୃଦ୍ଧି ପାଇବା ଯୋଗୁଁ ଜିଲ୍ଲାର ମାଟି ବିଷାକ୍ତ ହେବାରେ ଲାଗିଛି। ଏହାର ପ୍ରଭାବରେ ଦିନକୁ ଦିନ ମାଟିର ଉର୍ବରତା ହ୍ରାସ ପାଉଥିବା ବେଳେ ଉତ୍ପାଦନ ମଧ୍ୟ କମୁଥିବା ଲକ୍ଷ୍ୟ କରାଯାଉଛି।
ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ, ଛତ୍ରପୁର, ଗଞ୍ଜାମ, ରଂଗେଇଲୁଣ୍ଡା ଓ ଚିକିଟି ବ୍ଲକ୍‌ ସମୁଦ୍ରକୂଳରେ ରହିଛି। ଏଣୁ ଏହି ବ୍ଲକ୍‌ର ଅଧିକାଂଶ ଗାଁର ମାଟିରେ ଲବଣ ଅଂଶ ରହିଛି। ସେହିପରି ପାଣି ମଧ୍ୟ ଖାରି ରହୁଛି। ଏଣୁ ଏଭଳି ମାଟିରେ ଭଲ ଅମଳ ହୁଏ ନାହିଁ। କେଉଁ ଅଞ୍ଚଳର ମାଟି କିଭଳି ରହିଛି, ତାହା ଜାଣିବା ପାଇଁ ପ୍ରତିବର୍ଷ ନମୁନା ପରୀକ୍ଷା କରାଯାଇଥାଏ। ସାଧାରଣତଃ ଚାଷ କାମ ପାଇଁ ମାଟି ଅନୁକୂଳ ଅଛି କି ନାହିଁ, ସେ ଦିଗରେ ଗୁରୁତ୍ବ ଦିଆଯାଇଥାଏ। ମାଟିରେ ପିଏଚ୍‌ (ପୋଟେନ୍‌ସିଆଲ୍‌ ଅଫ୍‌ ହାଇଡ୍ରୋଜେନ୍‌) ସ୍ତର ୬.୫ରୁ ୭.୫ ରହିଲେ ତାହା ଚାଷ ଉପଯୋଗୀ ବୋଲି ଧରାଯାଇଥାଏ। ସେହିପରି ପିଏଚ୍‌ ସ୍ତର ୬.୫ରୁ କମ୍ ରହିଲେ ତାହା ଅମ୍ଳଯୁକ୍ତ ମାଟି ହୋଇଥାଏ। ପିଏଚ୍‌ ସ୍ତର ୭.୫ରୁ ଅଧିକ ରହିଲେ ତାହା ଖାରି ବୋଲି କୁହାଯାଇଥାଏ। ମୋଟ ସଂଗ୍ରହ ହୋଇଥିବା ନମୁନାରୁ ପ୍ରାୟ ୭୮ ପ୍ରତିଶତ ନମୁନା ଅମ୍ଳଯୁକ୍ତ ହୋଇଥିବା ବେଳେ ୩ ପ୍ରତିଶତ ଖାରି ରହିଛି। 
ଖଲ୍ଲିକୋଟ ବ୍ଲକ୍‌ର ୨୩ ଶହ ନମୁନା ମଧ୍ୟରୁ ୧୭୮୩ ନମୁନାରେ ଅମ୍ଳ ଅଂଶ ରହିଥିବା ବେ‌ଳେ ୨୬ଟି ନମୁନା ଖାରି ରହିଛି। ଧରାକୋଟ ବ୍ଲକ୍‌ର ୨୧ଶହ ନମୁନା ମଧ୍ୟରୁ ୧୭୮୨ ନମୁନାରେ ଅମ୍ଳଯୁକ୍ତ ଓ ୩୯ ନମୁନା ଖାରି ରହିଛି। ଦିଗପହଣ୍ଡି ବ୍ଲକ୍‌ର ୨୨ଶହ ନମୁନା ମଧ୍ୟରୁ ୧୭୬୦ ନମୁନାରେ ଅମ୍ଳ, ଛତ୍ରପୁରର ୧୮ଶହ ନମୁନାରୁ ୧୩୯୨ ନମୁନାରେ ଅମ୍ଳ, ଚିକିଟିର ୧୬ଶହ ନମୁନାରୁ ୯୧୦ରେ ଅମ୍ଳ, ରଂଗେଇଲୁଣ୍ଡାର ୨୨ଶହ ନମୁନାରୁ ୧୫୩୬ରେ ଅମ୍ଳ ଓ ୮୭ ନମୁନାରେ ଖାରି ଅଂଶ ରହିଥିବା ପରୀକ୍ଷାରେ ଜଣାପଡ଼ିଛି। ଏହା ସହିତ ଶେରଗଡ଼ର ୧୭୧୪ ନମୁନାରେ ଅମ୍ଳ ଅଂଶ ରହିଥିବା ବେଳେ ବୁଗୁଡ଼ାର ୧୫୨୭ ଓ ଭଞ୍ଜନଗରର ୧୪୫୧ ନମୁନାରେ ଅମ୍ଳ ଅଂଶ ରହିଛି।