ଛତ୍ରପୁର/ହିଞ୍ଜିଳିକାଟୁ/ନୂଆଦିଲ୍ଲୀ : ‘ ଜାତୀୟ ପଞ୍ଚାୟତ ପୁରସ୍କାର-୨୦୨୩’ରେ ଓଡ଼ିଶାର ଗଞ୍ଜାମ ଜିଲ୍ଲା ଗୌରବ ଅର୍ଜନ କରିଛି। ଭାରତ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରାଳୟ ପକ୍ଷରୁ ଗଞ୍ଜାମ ଜିଲ୍ଲାକୁ ‌ଦେଶର ଶ୍ରେଷ୍ଠ ଜିଲ୍ଲା ଭାବେ ‘ନ୍ୟାସନାଲ୍ ପଞ୍ଚାୟତ ଆୱାର୍ଡ଼-୨୦୨୩’ ପ୍ରଦାନ କରାଯାଇଛି। ସେହିପରି, ହିଞ୍ଜିଳିକାଟୁକୁ ‘ବେଷ୍ଟ୍ ବ୍ଲକ୍ ପଞ୍ଚାୟତ ଆୱାର୍ଡ଼ ଇନ୍ ଇଣ୍ଡିଆ’ ପୁରସ୍କାର ପ୍ରଦାନ କରାଯାଇଛି। ଏହାସହ ଆଉ ୪ଟି ପଞ୍ଚାୟତ ମଧ୍ୟ ଜାତୀୟସ୍ତରରେ ପୁରସ୍କୃତ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଆଜି ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ଭବ୍ୟ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସି˚ହ ଉପସ୍ଥିତ ଥିଲେ।

Advertisment

ସୂଚନା ଅନୁସାରେ, ଶ୍ରେଷ୍ଠ ଜିଲ୍ଲା ଭାବେ ଗଞ୍ଜାମ ଜିଲ୍ଲାକୁ ୫ କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି। ଜିଲ୍ଲା ପରିଷଦ ସଭାପତି ଅଞ୍ଜଳି ସ୍ବାଇଁ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଭି.କୀର୍ତ୍ତିଭାସନ୍‌ ରାଷ୍ଟ୍ରପତିଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ। ସେହିପରି ଶ୍ରେଷ୍ଠ ବ୍ଲକ୍ ଭାବେ ହିଞ୍ଜିଳିକାଟୁକୁ ୨ କୋଟି ଟଙ୍କା ପୁରସ୍କାର ରାଶି ମିଳିଥିବା ବେଳେ ଜିଲ୍ଲାପାଳ ଶ୍ରୀ ପରିଡ଼ା, ହିଞ୍ଜିଳିକାଟୁ ବ୍ଲକ୍ ଅଧ୍ୟକ୍ଷା ସରସ୍ବତୀ ସେଠୀ ଓ ବିଡିଓ ସୁବ୍ରତ କୁମାର ଜେନା ଏହାକୁ ଗ୍ରହଣ କରିଥିଲେ।

ସେହିପରି ଦ୍ବିତୀୟ ଶ୍ରେଷ୍ଠ ସୁସ୍ଥ ପଞ୍ଚାୟତ ଭାବେ ହିଞ୍ଜିଳିକାଟୁ ବ୍ଲକ୍‌ର କଞ୍ଚୁରୁ ପଞ୍ଚାୟତକୁ ‘ସେକେଣ୍ତ୍‌ ହେଲ୍‌ଦି ପଞ୍ଚାୟତ ଆୱାର୍ଡ଼ ଇନ୍‌ ଇଣ୍ତିଆ’, ଦ୍ବିତୀୟ ଶ୍ରେଷ୍ଠ ସବୁଜ ଓ ସ୍ବଚ୍ଛ ପଞ୍ଚାୟତ ଭାବେ ଉକ୍ତ ବ୍ଲକ୍‌ର ଶାସନ ଆମ୍ବଗାଁ ପଞ୍ଚାୟତକୁ ‘ସେକେଣ୍ତ୍‌ ବେଷ୍ଟ୍‌ କ୍ଲିନ୍‌ ଆଣ୍ତ୍‌ ଗ୍ରିନ୍‌ ପଞ୍ଚାୟତ ଇନ୍‌ ଇଣ୍ତିଆ’, ଭଞ୍ଜନଗର ବ୍ଲକ୍ କୁଲାଡ଼ ପଞ୍ଚାୟତ (ସାମାଜିକ ସୁରକ୍ଷା)କୁ ‘ସେକେଣ୍ଡ୍ ବେଷ୍ଟ୍ ସ୍ପେସିଆଲି ସେକ୍ୟୁର୍‌ଡ ପଞ୍ଚାୟତ ଇନ୍ ଇଣ୍ଡିଆ’ ଓ ପାତ୍ରପୁର ବ୍ଲକ୍ ଆଙ୍କୁଲି ପଞ୍ଚାୟତକୁ ‘ସେକେଣ୍ଡ୍ ବେଷ୍ଟ୍ ଗ୍ରାମ ଉର୍ଜା ସ୍ୱରାଜ ବିଶେଷ ପଞ୍ଚାୟତ’ ପୁରସ୍କାର ପ୍ରଦାନ କରାଯାଇଛି। ଉପରୋକ୍ତ ସମସ୍ତ ପୁରସ୍କାରର ନଗଦ ରାଶି ୭୫ ଲକ୍ଷ ଟଙ୍କା ରହିଥିଲା।

ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି, କଞ୍ଚୁରୁ ପଞ୍ଚାୟତ ସରପଞ୍ଚ ମଦନମୋହନ ସେଠୀ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁ, ଶାସନ ଆମ୍ବଗାଁ ପଞ୍ଚାୟତ ସରପଞ୍ଚ ଜନାର୍ଦ୍ଦନ ସେଠୀ, କାର୍ଯ୍ୟନିର୍ବାହୀ ଅଧିକାରୀ ବାସୁଦେବ ବେହେରା, କୁଲାଡ଼ ପଞ୍ଚାୟତ ସରପଞ୍ଚ ଭି.ସଂଯୁକ୍ତା ରାଜୁ, କାର୍ଯ୍ୟନିର୍ବାହୀ ଅଧିକାରୀ ଶଶିଭୂଷଣ ମହାପାତ୍ର, ଆଙ୍କୁଲି ପଞ୍ଚାୟତ କମ୍ୟୁଟର ପ୍ରୋଗ୍ରାମର ଦେବାଶିଷ ପ୍ରଧାନଙ୍କ ସମେତ ଜିଲ୍ଲା ପରିଷଦର ଡିପିଏମ୍‌ ଦୀପକ କୁମାର ପାତ୍ର ଓ ଜିଲ୍ଲା ପରିଷଦର ସମସ୍ତ ଟିମ୍‌ ପୁରସ୍କାର ଗ୍ରହଣ କରିଥିଲେ।

ସେହିଭଳି, ସୁନ୍ଦରଗଡ଼ ଜିଲ୍ଲାର ବଣାଇଗଡ଼ ବ୍ଲକ୍‌ର ବଣାଇଗଡ ପଞ୍ଚାୟତକୁ ‘କାର୍ବନ ନାଚୁରାଲ ବିଶେଷ ପଞ୍ଚାୟତ ଓ ଶକ୍ତି ସ୍ବରାଜ ବିଶେଷ ପଂଚାୟତ’ ଭାବେ ରାଷ୍ଟ୍ରପତି ସମ୍ମାନିତ କରିଛନ୍ତି ଏବଂ ଏଥିପାଇଁ ପଞ୍ଚାୟତକୁ ୫୦ଲକ୍ଷ ଅର୍ଥରାଶି ପ୍ରଦାନ କରାଯାଇଛି। ଏ ସମସ୍ତ ପୁରସ୍କାର ପାଇଁ ୯ଟି ବିଷୟ ଅଧୀନ ୧୧୩ଟି ମାପଦଣ୍ଡକୁ ବିଚାରରେ ନିଆଯାଇଥିଲା। ଯେଉଁଥିରେ ଗଞ୍ଜାମ ଜିଲ୍ଲା ଦେଶରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି।