ଦିଲ୍ଲୀରେ ଗଣପତି ମହୋତ୍ସବ ସମାପନ

ନୂଆଦିଲ୍ଲୀ : ପଶ୍ଚିମ ଦିଲ୍ଲୀର ବିକାଶପୁରୀଠାରେ ୨୨ତମ ବାର୍ଷିକ ଶ୍ରୀଗଣେଶ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀଗଣେଶ ପୂଜା କମିଟି ଓଡ଼ିଆ ସମାଜ ଦ୍ୱାରା ଆୟୋଜିତ ଏହି ଉତ୍ସବରେ ବହୁ ବିଶିଷ୍ଟ ଓଡ଼ିଆ ଓ ଅଣଓଡ଼ିଆ ନେତୃବର୍ଗ ଯୋଗଦେଇଥିଲେ। ସମାରୋହର ମଧ୍ୟାହ୍ନ ଅଧୀବେଶନରେ ସ୍ଥଳସେନାର ଅବସରପ୍ରାପ୍ତ ଉପମୁଖ୍ୟ ଚଣ୍ଡି ପ୍ରସାଦ ମହାନ୍ତି ଏବଂ ସନ୍ଧ୍ୟା ଅଧୀବେଶନରେ ବରିଷ୍ଠ ପ୍ରଶାସକ ଡଃ ଦେବେନ୍ଦ୍ର ମାଝି ଓ ୱାର୍ଲଡ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ ଅତିଥି ଭାବରେ ଯୋଗଦେଇଥିଲେ ।

ଏହି ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ ଓଡ଼ିଶାର ତାରକା ଗାୟକ ପ୍ରଭୁପାଦ ମହାନ୍ତି। ସେହିପରି କଳାକଳ୍ପ ସାଂସ୍କୃତିକ ସଂଗଠନର ବାଳୁତ କଳାକାରମାନଙ୍କ ମନଲୋଭା ନୃତ୍ୟ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଉପସ୍ଥାପିକା ଇପ୍‌ସା ପ୍ରତିବିମ୍ବିତା ଷଡ଼ଙ୍ଗୀ ସାଂସ୍କୃତିକ କାର୍ଯ୍ୟକ୍ରମଗୁଡ଼ିକୁ ସଞ୍ଚାଳନା କରିଥିଲେ।
କାର୍ଯ୍ୟକ୍ରମରେ କଳିଙ୍ଗ ଭାରତୀ ଫାଉଣ୍ଡେସନର ସଭାପତି ଇଞ୍ଜିନିୟର ଅକ୍ଷୟ ସାମଲ, ସଞ୍ଜୟ ଦାସ, ଯୁବ ଶିଳ୍ପୋଦ୍ୟୋଗୀ ସୁମନ୍ତ ବିଶ୍ୱାଳ, ସମାଜସେବୀ ପ୍ରୀତମ ନାୟକ, ଟେନିସ୍ ତାରକା ଦିଲ୍ଳୀପ ମହାନ୍ତି, ଜୀବନଜ୍ୟୋତି ଡାକ୍ତରଖାନାର ମୁଖ୍ୟ ଡଃ ବିନାୟକ ପ୍ରସାଦ, ରୋହିଣୀ ଜଗନ୍ନାଥ ମନ୍ଦିରର ସଦସ୍ୟ ଶରତ ଶର୍ମା, ମହାନ୍ତି ଡାକ୍ତରଖାନାର ଅଧ୍ୟକ୍ଷ ଡଃ ଆର୍‌.ଆର୍‌. ମହାନ୍ତି, ପ୍ରତିଷ୍ଠିତ କଣ୍ଠଶିଳ୍ପୀ ସନ୍ତୋଷ ରାଉତ, କ୍ଷାତନାମା ଯନ୍ତ୍ର ସଂଗୀତଜ୍ଞ ସୁବୋଧ ପାଢ଼ୀ, ପୂର୍ବତନ ନିଗମ ପାର୍ଷଦ ସରିତା ଜୀନ୍ଦଲ ଓ ସୁନୀଲ ଜିନ୍ଦଲ ପ୍ରମୁଖ ଯୋଗ ଦେଇଥିଲେ। ଗୁରୁବାର ଦିନ ଶ୍ରୀଗଣେଶଙ୍କର ପ୍ରତିମାକୁ ୱାଜିରପୁରସ୍ଥିତ ଯମୁନା ନଦୀର ଘାଟରେ ବିସର୍ଜନ କରାଯାଇଥିଲା। ଶ୍ରୀଗଣେଶ ପୂଜା କମିଟି ଓଡ଼ିଆ ସମାଜର ପ୍ରଧାନ ପୁରୋଧା ସଭାପତି ବିମଳ ଭଲ ଏବଂ ତାଙ୍କର ସହଧର୍ମିଣୀ ପୁଷ୍ପାଞ୍ଜଳି ବାରିକ ସମଗ୍ର ମହୋତ୍ସବକୁ ସୂଚାରୁ ରୂପେ ଆୟୋଜନ କରିଥିଲେ।

ସମ୍ବନ୍ଧିତ ଖବର