ଗଞ୍ଜେଇ ବିପଦଜନକ ନିଶାଦ୍ରବ୍ୟ ନୁହେଁ ବୋଲି ଘୋଷଣା କଲା ମିଳିତ ଜାତିସଂଘ, ସମର୍ଥନ କଲା ଭାରତ

ନୂଆଦିଲ୍ଲୀ: ବିପଦଜନକ ନିଶା ଦ୍ରବ୍ୟ ତାଲିକାରୁ ହଟିଲା ଗଞ୍ଜେଇ । ମିଳିତ ଜାତିସଂଘରେ ହୋଇଥିବା ଐତିହାସିକ ମତଦାନ ପରେ ଗଞ୍ଜେଇକୁ ବିପଦଜନକ ମାଦକଦ୍ରବ୍ୟ ତାଲିକାରୁ ହଟାଇ ଦିଆଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସୁପାରିସ ପରେ ୟୁଏନ କମିସନ ଅଫ ନାରକୋଟିକ ଡ୍ରଗ୍ସ ଗଞ୍ଜେଇକୁ ବିପଦଜନକ ନିଶା ତାଲିକାରୁ ବାଦ ଦେଇଛନ୍ତି । ବୁଧବାର ଜାତିସଂଘର ମାଦକଦ୍ରବ୍ୟକୁ ନେଇ ହୋଇଥିବା ଅନ୍ତର୍ଜାତୀୟ ବୈଠକରେ ସଦସ୍ୟ ରାଷ୍ଟ୍ରଙ୍କ ମତଦାନ ଭିତ୍ତିରେ ଏହି ନିଷ୍ପତ୍ତି ହୋଇଛି।

ଗଞ୍ଜେଇକୁ ବିପଦଜନକ ତାଲିକାରୁ ହଟାଇବା ସପକ୍ଷରେ ୨୭ଟି ଦେଶ ଭୋଟ କରିଥିବା ବେଳେ ବିପକ୍ଷରେ ଭୋଟ କରିଥିଲେ ୨୫ଟି ରାଷ୍ଟ୍ର । ଆମେରିକା, ଭାରତ ସମେତ ୟୁରେପୀୟ ରାଷ୍ଟ୍ର ସପକ୍ଷରେ ଭୋଟ କରିଥିବା ବେଳେ ଚୀନ, ପାକିସ୍ତାନ, ଋୁଷ ବିପକ୍ଷରେ ଭୋଟ ଦେଇଥିଲେ । ଏହି ଐତିହାସିକ ମତଦାନ ପରେ ଜାତିସଂଘ ପକ୍ଷରୁ କୁହାଯାଇଛି ଯେ, ପ୍ରତିବନ୍ଧକ ଯୋଗୁଁ ଗଞ୍ଜେଇର ଔଷଧୀୟ ଗୁଣ ଉପରେ ବ୍ୟାପକ ଗବେଷଣା ହୋଇପାରି ନାହିଁ ।

ଏବେ ବିପଦଜନକ ଡ୍ରଗ୍ସ ତାଲିକାରୁ ଗଞ୍ଜେଇ ହଟିଥିବାରୁ ଏହାର ଚିକିତ୍ସା ଉଦ୍ଦେଶ୍ୟରେ ବ୍ୟବହାର ବଢିବ ବୋଲି ଆଶା ପ୍ରକାଶ କରିଛି ଜାତିସଂଘ । ଭାରତରେ ଏନଡିପିଏସ ୧୯୮୫ ଅନୁସାରେ ଗଞ୍ଜେଇର ଉତ୍ପାଦନ, ବିକ୍ରି ଓ କିଣିବା ଦଣ୍ଡନୀୟ ଅପରାଧ ।

ସମ୍ବନ୍ଧିତ ଖବର