ନୂଆଦିଲ୍ଲୀ: ପ୍ଲାଷ୍ଟିକ ଆବର୍ଜନା ଦିଅନ୍ତୁ ଆଉ ଗୁଲାବଜାମୁନ ସହ ସିଙ୍ଗଡ଼ା ଖାଆନ୍ତୁ | ଦିଲ୍ଲୀର କରୋଲବାଗ ଅଂଚଳରେ କିଛି ଏଭଳି ବ୍ୟବସ୍ଥା ଏବେ ଆରମ୍ଭ କରାଯାଇଛି | ଆଉ ପ୍ଲାଷ୍ଟିକ ଆବର୍ଜନା ସଂଗ୍ରହ କରି ନିର୍ଦ୍ଦିଷ୍ଟ ହୋଟେଲରେ ଦେଇ ଏବେ ସ୍ଥାନୀୟ ଲୋକ ଗୁଲାବଜାମୁନ୍, ଚୋଲେ ଭଟୁରେ, ସିଙ୍ଗଡ଼ା ଖାଉଛନ୍ତି | ଲୋକଙ୍କ ମଧ୍ୟରେ ବର୍ଜ୍ୟବସ୍ତୁ କାଫେ(ଗାରବେଜ କାଫେ) ପ୍ରତି ଆଗ୍ରହ ବଢ଼ୁଥିବାର ଦେଖିବାକୁ ମିଳିଛି | ଆଉ କରୋଲବାଗ ଅଞ୍ଚଳରେ କେବଳ ୨୪ଟି ବର୍ଜ୍ୟବସ୍ତୁ କାଫେ ଏପର୍ଯ୍ୟନ୍ତ ୪୦୦ କିଲୋଗ୍ରାମରୁ ଅଧିକ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସଂଗ୍ରହ କରିଛନ୍ତି। ମିଳିଥିବା ସୂଚନା ମୁତାବକ ସଫେଇ ର଼୍ୟାଙ୍କିଙ୍ଗରେ ଉନ୍ନତି ଆଣିବା ଏବଂ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁକୁ ସଠିକ୍ ଭାବରେ ନଷ୍ଟ କରିବା ପାଇଁ କରୋଲବାଗର ଡେପୁଟି କମିଶନର ହିମାଂଶୁ ଗୁପ୍ତା ଏକ ଅଳିଆ କାଫେ ଆରମ୍ଭ କରିଛନ୍ତି।

Advertisment

ଆଉ ଲୋକ ନିଜେ ପ୍ଲାଷ୍ଟିକ ଆବର୍ଜନା ଆଣି ଦେଉଥିବାରୁ କରୋଲବାଗ ପୌର ନିଗମକୁ ପ୍ଲାଷ୍ଟିକ ବୋତଲଗୁଡ଼ିକୁ ଆବର୍ଜନାରୁ ଅଲଗା କରିବାକୁ ପଡୁନାହିଁ | ଡେପୁଟି କମିଶନର ହିମାଂଶୁ ଗୁପ୍ତା କହିଛନ୍ତି ଯେ କରୋଲବାଗ ଅଂଚଳରେ କିଛି ବଛାବଛା ମିଠା ଦୋକାନକୁ ଚୟନ କରାଯାଇଛି | ଯେତେବେଳେ ଜଣେ ଏକ କିଲୋ ପ୍ଲାଷ୍ଟିକ ଆବର୍ଜନା ନେଇ ହୋଟେଲକୁ ଯାଉଛନ୍ତି ସେତେବେଳେ ତାଙ୍କୁ ପେଟପୁରା ଖାଦ୍ୟ ମିଳିପାରୁଛି | ଫେବୃଆରୀ ମାସରେ ଏହି କାଫେଗୁଡିକ ଆରମ୍ଭ ହୋଇଥିଲା |

ଏହି ସବୁ କାଫେରେ ପ୍ଲାଷ୍ଟିକ କୋଲଡ୍ରିଙ୍କସ ବୋତଲ ଏବଂ ଅନ୍ୟାନ୍ୟ ପ୍ରକାରର ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ନିଆଯାଉଥିବାବେଳେ ଉତ୍ତର ଦିଲ୍ଲୀର ମେୟର ଜୟ ପ୍ରକାଶ କହିଛନ୍ତି ଯେ ଅଳିଆ କାଫେର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ସ୍ୱଚ୍ଛତା ବିଷୟରେ ଅବଗତ କରାଇବା। ଏଥି ସହିତ, ସେହି ଅଳିଆ ଆଣୁଥିବା ବ୍ୟକ୍ତିମାନେ ମଧ୍ୟ ଏଠାରୁ ଖାଦ୍ୟ ନେଇପାରିବେ |