ମୁମ୍ବାଇ: ମହାରାଷ୍ଟ୍ରର ରାଜନୈତିକ ପରିସ୍ଥିତିକୁ ଚାହିଁ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ଏକ ରୋଚକ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ମନ୍ତ୍ରୀ ହେବା ପାଇଁ ନୂଆ ଜାମାପଟା ସିଲେଇ କରି ପ୍ରସ୍ତୁତ ହୋଇଥିବା ଆସିଥିବା ଲୋକଙ୍କ ମୁହଁ ଏବେ ଶୁଖିଯାଇଛି, କାରଣ ଆଶାୟୀମାନଙ୍କ ସଂଖ୍ୟା ବଢ଼ିଯାଇଛି। ତେଣୁ ସେମାନେ ଏବେ ସିଲେଇ କରି ଆଣିଥିବା ନୂଆ ସୁଟ୍‌କୁ ନେଇ କ’ଣ କରିବେ ଜାଣିପାରୁ ନାହାନ୍ତି।
ନାଗପୁର ବିଦ୍ୟାପୀଠ ଶିକ୍ଷଣ ମଞ୍ଚ ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତା ଭୁଟାନ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବିତ ‘ଡୋମେଷ୍ଟିକ୍ ହାପି ହ୍ୟୁମ୍ୟାନ ଇଣ୍ଡେକ୍ସ’ ଉପରେ ଭାଷଣ ଦେଇ କହିଲେ ଯେ ଅଧିକାଂଶ ଲୋକ କେବେହେଲେ ସୁଖୀ ହୋଇପାରନ୍ତି ନାହିଁ। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀଙ୍କ କହିବା ଅନୁସାରେ, ମଣିଷ ଯଦି ଏଇଆ ଭାବିବ ଯେ ସେ ଯେତିକି ପାଇବାକୁ ହକ୍‌ଦାର ତା’ଠୁ ଅଧିକ ପାଇଛି ତେବେ ସେ ସୁଖୀ ହୋଇପାରିବ। ଆଜିକାଲି ଦେଖିବାକୁ ମିଳୁଛି ଯେ କର୍ପୋରେଟରମାନେ ଦୁଃଖୀ କାରଣ ସେମାନେ ବିଧାୟକ ହୋଇପାରିଲେ ନାହିଁ। ବିଧାୟକମାନେ ଦୁଃଖୀ କାରଣ ସେମାନେ ମନ୍ତ୍ରୀ ହୋଇପାରିଲେ ନାହିଁ। ମନ୍ତ୍ରୀମାନେ ବି ଦୁଃଖୀ କାରଣ ସେମାନଙ୍କୁ ଭଲ ବିଭାଗ ମିଳିଲା ନାହିଁ।

Advertisment

ଏହାପରେ ଗଡ଼କରୀ ମହାରାଷ୍ଟ୍ର ଘଟଣାକୁ ନେଇ କଟାକ୍ଷ କରି କହିଲେ ଯେ ବର୍ତ୍ତମାନ ମନ୍ତ୍ରୀ ହେବାକୁ ଯାଉଥିବା ଲୋକମାନେ ବି ଦୁଃଖୀ କାରଣ ଆଶାୟୀଙ୍କ ଭିଡ଼ ଅଧିକ ହୋଇଯାଇଥିବାରୁ ସେମାନଙ୍କ ପାଳି କେତେବେଳେ ଆସିବ ସେ ନେଇ ସେମାନେ ଚିନ୍ତିତ। ଗଡ଼କରୀଙ୍କ ଏହି କଥା ଶୁଣି ଉପସ୍ଥିତ ଶ୍ରୋତୃମଣ୍ଡଳୀରେ ହାସ୍ୟରୋଳ ଉଠିଥିଲା ଓ ଲୋକମାନେ କରତାଳି ଦେଇଥିଲେ। ଗଡ଼କରୀ ପୁଣି କହିଥିଲେ, ସେମାନେ ମନ୍ତ୍ରୀ ଭାବେ ଶପଥଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ନୂଆ ସୁଟ୍ ସିଲେଇ କରି ଆସିଥିଲେ। ବର୍ତ୍ତମାନ ଆଶାୟୀଙ୍କ ସଂଖ୍ୟା ଅଧିକ ହୋଇଯିବାରୁ ଏବେ ସେ ସୁଟ୍‌କୁ କରିବେ କ’ଣ? ଗଡ଼କରୀ କହିଚାଲିଲେ, ହଲ୍‌ର କ୍ଷମତା ୨୨୦୦ ଏବଂ ସେଠାରେ ଅଧିକ ଲୋକଙ୍କୁ ଜାଗା ଦେଇହେବ କିନ୍ତୁ ଏକ ମନ୍ତ୍ରିମଣ୍ଡଳର ଆକାର ଆଉ ବଢ଼ିପାରିବ ନାହିଁ।

ବର୍ତ୍ତମାନ ଅଜିତ ପାୱାରଙ୍କ ଗୋଷ୍ଠୀର ଲୋକେ ମନ୍ତ୍ରୀ ହେବା ପରେ ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ଶିବସେନ‌ା ଓ ବିଜେପି ନେତାଙ୍କ ଭିତରେ ଅସନ୍ତୋଷ ବଢ଼ିବା ସ୍ବାଭାବିକ କାରଣ ସେମାନଙ୍କ ମନ୍ତ୍ରୀ ହେବାର ଆଶା ମଉଳି ଯାଇପାରେ।