ଆନନ୍ଦ(ଗୁଜରାଟ): ସରୋଗେସି (ଗର୍ଭଭଡ଼ା) ବିଲ୍‌ ଲୋକସଭାରେ ମଞ୍ଜୁରି ହେବା ପରେ ଦେଶର ପ୍ରାୟ ୧,୩୦୦ କୋଟି ଟଙ୍କାର କାରବାର ଉପରେ ସଂକଟ ଦେଖାଦେଇଛି। ଏହା ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଥିବା ସଂସ୍ଥା ଓ ବ୍ୟକ୍ତିବିଶେଷ ଏବେ ପ୍ରମାଦ ଗଣିବା ଆରମ୍ଭ କରିଦେଲେଣି। ଗର୍ଭଭଡ଼ା କାରବାର କ୍ଷେତ୍ରରେ ଏକ ପରିସଂସ୍ଥା (ଇକୋସିଷ୍ଟମ୍‌) କାର୍ଯ୍ୟ କରୁଛି, ଯେଉଁଥିରେ ଡାକ୍ତର, ସେବିକା, ଟ୍ରାଭେଲ୍‌ ଏଜେଣ୍ଟ, ହୋଟେଲ୍‌ ଓ ରେସୋରାଁ ଏବଂ ସେଲିବ୍ରିଟି ଆଦି ସାମିଲ ଅଛନ୍ତି। ସରୋ‌ଗେସି ବିଲ୍‌ ଆଇନରେ ପରିଣତ ହେବା ପରେ ଏମାନେ ସମସ୍ତେ ପ୍ରଭା‌ବିତ ହେ‌ବେ ବୋଲି ଆଶଙ୍କା କରାଯାଉଛି। ‘ଭାରତର ଗର୍ଭଭଡ଼ା ରାଜଧାନୀ’ ବୋଲାଉଥିବା ଗୁଜରାଟର ଆନନ୍ଦ ଜିଲ୍ଲାରେ ଏବେ ଏହି କାରବାର ବନ୍ଦ ହେବା ନେଇ ଆଶଙ୍କା ଦେଖାଦେଲାଣି। ଗୁଜରାଟର ଆନନ୍ଦ ଜିଲ୍ଲାରେ ପ୍ରାୟ ୩,୦୦୦ ଲୋକ ଗର୍ଭଭଡ଼ା କାରବାର ଉପରେ ନିର୍ଭର କରି ନିଜ ଗୁଜୁରାଣ ମେଣ୍ଟାଉଛନ୍ତି। ବିଶେଷକରି ନିଜ ଗର୍ଭ ଭଡ଼ାରେ ଦେଇ ଅନେକ ମହିଳା ଜୀବିକା ନିର୍ବାହ କରୁଛନ୍ତି। ସରୋଗେସି ବିଲ୍‌ରେ ଦେଶରେ ବାଣିଜ୍ୟିକ ଗର୍ଭଭଡ଼ାକୁ ବନ୍ଦ କରିବା ପାଇଁ ପ୍ରସ୍ତାବ ରହିଛି। ବିବାହର ୫ ବର୍ଷ ପୂରଣ କରିଥିବା ଦମ୍ପତିମାନେ ଏଥିପାଇଁ ଅନୁମତି ପାଇବେ।
ରିପୋର୍ଟ ମୁତାବକ ଦେଶରେ ଏବେ ୭,୦୦୦ରୁ ୮,୦୦୦ କ୍ଲିନିକ୍‌ ଗର୍ଭଭଡ଼ା କାରବାର କରୁଛନ୍ତି। ସେହିଭଳି ଅନ୍ୟ ପିଲା ପାଇଁ ନିଜ ଗର୍ଭ ଭଡ଼ାରେ ଦେଉଥିବା ମହିଳା ବା ‌ସରୋଗେଟ୍‌ ମଦରଙ୍କୁ ୧ ଲକ୍ଷରୁ ୪ ଲକ୍ଷ ଟଙ୍କା ପାରିଶ୍ରମିକ ମିଳିଥାଏ। ବର୍ଷକୁ ୨,୦୦୦ରୁ ଅଧିକ ପିଲା ସରୋଗେସି ବା ଗର୍ଭଭଡ଼ା ବ୍ୟବସ୍ଥା ଦ୍ବାରା ଦେଶରେ ଜନ୍ମଲାଭ କରୁଛନ୍ତି।