ଅଙ୍ଗାରକାମ୍ଳ ମାତ୍ରା ୪୬% ବଢ଼ିଛି

ନୂଆଦିଲ୍ଲୀ: ଜାତିସଂଘର ବାରମ୍ବାର ପରାମର୍ଶ ସତ୍ତ୍ବେ ରାଷ୍ଟ୍ରଗୁଡ଼ିକ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବା ଉପରେ ଯଥାବିଧି ପଦକ୍ଷେପ ନେଉନାହାନ୍ତି। ଫଳରେ ଏହି ସ୍ତର ବଢ଼ିବାରେ ଲାଗିଛି। ଗତବର୍ଷ ଏହା ସମସ୍ତ ପୂର୍ବ ରେକର୍ଡ ଭାଙ୍ଗି ଜୀବଜଗତ ପାଇଁ ବିପଦ ସୃଷ୍ଟି କରିଛି। ସେହିଭଳି ୨୫୦ ବର୍ଷ ମଧ୍ୟରେ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ମାତ୍ରା ୪୬ ପ୍ରତିଶତ ବୃଦ୍ଧି ପାଇଛି। ଜାତିସଂଘର ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥା ଗୁରୁବାର ଏଭଳି ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟ ଦର୍ଶାଇଛି ଯେ ଅଙ୍ଗାରକାମ୍ଳ ଓ ସବୁଜଘର ବାଷ୍ପ ଦ୍ରୁତ ବେଗରେ ହ୍ରାସ ନହେଲେ ଜଳବାୟୁ ପରିବର୍ତ୍ତନ ଅଧିକ ବିଧ୍ବଂସୀ ପାଲଟିବ। ଏହାଦ୍ବାରା ବିଶ୍ବତାପନ ଅଧିକ ଚିନ୍ତାର କାରଣ ସାଜିବ। ରିପୋର୍ଟ ମୁତାବକ ୨୦୧୬ରେ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ସ୍ତର ୪୦୩.୩ ପିପିଏମ୍‌ (ପାର୍ଟସ ପର୍‌ ମିଲିୟନ୍‌) ଥିଲା ବେଳେ ୨୦୧୭‌ରେ ଏହା ୪୦୫.୫ ପିପିଏମ୍‌କୁ ବୃଦ୍ଧି ପାଇଛି। ବିଗତ ୩୦ ବର୍ଷ ମଧ୍ୟରେ ଅଙ୍ଗାରକାମ୍ଳ ସ୍ତର ମାତ୍ରାଧିକ ଭାବେ ବୃଦ୍ଧି ପାଇଛି। ଏଥି‌ଯୋଗୁ ୨୦୧୭ରେ ଏଲ୍‌ନିନୋ ଭଳି ସମସ୍ୟା ଉପୁଜିଥିଲା। ତେଣୁ ଆଗାମୀ ଦିନରେ ଏଲ୍‌ନିନୋ ସମସ୍ୟା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଇଛି। ରିପୋର୍ଟ ମୁତାବକ, ପ୍ରାକ୍‌ ଶିଳ୍ପାୟନ ଯୁଗ ଅର୍ଥାତ୍ ୧୭୫୦ ପରଠାରୁ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ସ୍ତର ବୃଦ୍ଧି ପାଇଛି। ଦ୍ରୁତ ଶିଳ୍ପାୟନ ‌େଯାଗୁ ଏଭଳି ପରିସ୍ଥିତି ଉପୁଜିଛି। ଏହି ଘଟଣାକ୍ରମେ ଜାତିସଂଘ ମାନବାଧିକାର ମୁଖ୍ୟ ମିସେଲ୍‌ ବେସ୍‌ଲେଟ୍‌ ସମସ୍ତ ରାଷ୍ଟ୍ରକୁ ସତର୍କ କରାଇ ଦେଇଛନ୍ତି। ଅନ୍ତର୍ଜାତୀୟ ମାନବାଧିକାର ଆଇନ ଅନୁସାରେ ରାଷ୍ଟ୍ରଗୁଡ଼ିକ ଜଳବାୟୁ ପରିବର୍ତ୍ତନ ଦିଗରେ ସଜାଗ ରହି ଏହାର ପ୍ରଭାବକୁ ସଙ୍କୁଚିତ କରିବା ସକାଶେ ଅଙ୍ଗାରକାମ୍ଳ ମାତ୍ରା ହ୍ରାସ ପାଇଁ ପଦକ୍ଷେପ ନେବା ଦରକାର ବୋଲି ସେ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର