ଯୁଦ୍ଧ ଜାହାଜରେ ବିସ୍ଫୋରଣ ଘଟଣା : ଏସି କମ୍ପାର୍ଟମେଣ୍ଟରୁ ଗ୍ୟାସ ନିର୍ଗତ ହେବାରୁ ବିସ୍ଫୋରଣ ହୋଇଥିବା ସଂଦେହ

ମୁମ୍ବାଇ : ଗତ ମଙ୍ଗଳବାରଦିନ ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ଆଇଏନଏସ ରଣବୀରରେ ହୋଇଥିବା ବିସ୍ଫୋରଣର କାରଣ ସମ୍ପର୍କରେ ସୂଚନା ମିଳିଛି । ଜାହାଜର ଏୟାର କଣ୍ଡିସନିଙ୍ଗ୍ କମ୍ପାର୍ଟମେଣ୍ଟରେ ଗ୍ୟାସ ଲିକ ହେବା ଯୋଗୁଁ ଏହି ବିସ୍ଫୋରଣ ହୋଇଥିବା ଅନୁମାନ କରାଯାଉଛି ବୋଲି ଜଣେ ଅଧିକାରୀ କହିଛନ୍ତି ।

ତେବେ ଦୁର୍ଘଟଣାର ପ୍ରକୃତ କାରଣ ତଦନ୍ତ ଶେଷ ହେବା ପରେ ଜଣାପଡିବ । କିନ୍ତୁ ପ୍ରାରମ୍ଭିକ ଅନୁସଂଧାନ ଓ ପାରିପାର୍ଶ୍ବିକ ସ୍ଥିତିରୁ ଜଣାପଡୁଛି ଯେ ଏୟାର କଣ୍ଡିସନିଂ କମ୍ପାର୍ଟମେଣ୍ଟରେ ଗ୍ୟାସ ନିର୍ଗତ ହେବା ଯୋଗୁଁ ବିସ୍ଫୋରଣ ହୋଇଥିଲା ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାରଦିନ ମୁମ୍ବାଇର ନାଭାଲ ଡକୟାର୍ଡରେ ଥିବାବେଳେ ଆଇଏନଏସ ରଣବୀର ଭିତରେ ଏହି ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ୩ ଜଣ ନୌସେନା କର୍ମଚାରୀ ପ୍ରାଣ ହରାଇଥିଲେ । ମୃତକମାନେ ହେଉଛନ୍ତି କୃଷ୍ଣନ୍ କୁମାର, ସୁରିନ୍ଦର କୁମାର ଓ ଏକେ ସିଂ । ସେମାନଙ୍କ ଛଡ଼ା ଆଉ ୧୧ ଜଣ ନୌସେନା କର୍ମଚାରୀ ଆହତ ହୋଇ ନୌସେନା ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଜାହାଜର ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ ଯେପରିକି ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଆଦି ସୁରକ୍ଷିତ ବର୍ତ୍ତିଯାଇଥିଲା । ଏହା ପରେ ଘଟଣାର ତଦନ୍ତ ପାଇଁ ନୌସେନା ପକ୍ଷରୁ ଏକ ବୋର୍ଡ ଅଫ ଇନକ୍ବାରୀ ନିର୍ଦେଶ ଦିଆଯାଇଥିଲା । ଗତ ମାସରେ ଆଇଏନଏସ ରଣବୀର ପୂର୍ବାଞ୍ଚଳ କମାଣ୍ଡରେ ମୁତୟନ ଥିଲା । ନିକଟରେ ଏହା ନିଜର ମୂଳ ବେସ- ପଶ୍ଚିମାଞ୍ଚଳ ନୌସେନା କମାଣ୍ଡକୁ ଫେରିଥିଲା ।

ସମ୍ବନ୍ଧିତ ଖବର