ବିଶାଖାପାଟଣା : ବିଶାଖାପାଟଣାରେ ପୁଣି ରାସାୟନିକ ଗ୍ୟାସ ଲିକ ମାମଲା ସାମନାକୁ ଆସିଛି । ସହରର ପରଓ୍ଵାଡ଼ା ଫାର୍ମା ସିଟିରେ ଥିବା ସାଇନର ଲାଇଫସାଇନ୍ସେସ କାରଖାନାରେ ବିଷାକ୍ତ ବେଜିମିଡାଜୋଲ ଗ୍ୟାସ ଲିକ ହେବାରୁ ୨ ଜଣ ଲୋକ ମୃତ୍ୟୁବରଣ କରିବା ସହ ୪ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି । ଅସୁସ୍ଥମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି ।

Advertisment

ମୃତ୍ୟୁବରଣ କରିଥିବା ଦୁଇଜଣ ଉକ୍ତ କମ୍ପାନିରେ କାର୍ଯ୍ୟକରୁଥିଲେ ଓ ସେମାନଙ୍କ ନାଁ ନରେନ୍ଦ୍ର ଓ ଗୌରୀ ଶଙ୍କର ବୋଲି ଜଣାପଡ଼ିଛି । ଗ୍ୟାସ ଲିକ ହେବାବେଳେ ଉକ୍ତ ଦୁଇଜଣ ଘଟଣାସ୍ଥଳରେ ଉପସ୍ଥିତ ଥିଲେ । ଫଳରେ ହଠାତ ବିଷାକ୍ତ ଗ୍ୟାସ ସଂସ୍ପର୍ଶରେ ଆସିବାରୁ ସେମାନଙ୍କ ମୃତ୍ୟୁ ହୋଇଥିଲା । ଆହତମାନଙ୍କ ମଧ୍ୟରୁ ଜଣକର ଅବସ୍ଥା ଗୁରୁତର ଥିବା ଜଣାଯାଇଛି ।

ତେବେ ଏବେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ଓ ଗ୍ୟାସ ନିର୍ଗତକୁ ବନ୍ଦ କରାଯାଇଛି । ଗ୍ୟାସ ନିର୍ଗତ ହେବାବେଳେ କାରଖାନାରେ ୩୦ କର୍ମଚାରୀ ଥିଲେ । ଘଟଣାସ୍ଥଳରେ ଜିଲ୍ଲାପାଳ ଓ ପୁଲିସ ଏସପି ପହଞ୍ଚି ତଦନ୍ତ କରୁଛନ୍ତି ।

ଗତ ମେ ୭ରେ ବିଶାଖାପାଟଣାରେ ଏଲଜି ପଲିମର୍ସ କାରଖାନାରେ ବିଷାକ୍ତ ଗ୍ୟାସ ଲିକ ହୋଇ ଅତିକମରେ ୧୨ ଜଣ ଲୋକ ପ୍ରାଣ ହରାଇବା ସହ ଶତାଧିକ ଅସୁସ୍ଥ ହୋଇପଡ଼ିଥିଲେ । ସେହି ମେ ମାସରେ ଛତିଶଗଡ଼ର ଏକ କାଗଜ କାରଖାନାରେ ଗ୍ୟାସ ଲିକ ହୋଇଥିଲାବେଳେ ତାମିଲନାଡ଼ୁରେ ଏକ ବଏଲର ବିସ୍ଫୋରଣ ହୋଇଥିଲା ।