ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଓ କଂଗ୍ରେସ ଦଳର ଉଦ୍ୟମରେ ଆଜି ବିରୋଧୀ ଦଳ ନେତାମାନଙ୍କର ଏକ ବୈଠକ ଏଠାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ୨୧ଟି ଦଳର ନେତୃବୃନ୍ଦ ସାମିଲ ହୋଇଥିଲେ। ଏହି ବୈଠକରେ ଗୋଟିଏ ପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ଅରବିନ୍ଦ କେଜରିୱାଲ ଯୋଗ ଦେଇଥିବାବେଳେ ଅନ୍ୟପଟେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଓ ବହୁଜନ ସମାଜ ପାର୍ଟି ନେତ୍ରୀ ମାୟାବତୀ ଯୋଗ ଦେଇ ନାହାନ୍ତି। ବୈଠକରେ ଫଳାଫଳ ଭଲ ରହିଛି ଏବଂ ଅଖିଳେଶ ଓ ମାୟାବତୀଙ୍କୁ ବିରୋଧୀ ଦଳ ଗୁଡ଼ିକ ସହିତ ଏକତ୍ର କରିବାକୁ ପ୍ରଚେଷ୍ଟା କରାଯାଉଛି। ନିକଟରେ ଅନୁଷ୍ଠିତ ନିର୍ବାଚନରେ ଏହି ଦୁଇ ଦଳ ସହିତ କଂଗ୍ରେସର ମେଣ୍ଟ ଯୋଜନା ବିଫଳ ହୋଇଥିଲା।
ବୈଠକ ପରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ କହିଥିଲେ, ଛୋଟ ଓ ବଡ଼ ସବୁ ଦଳକୁ ଆମେ ସମ୍ମାନ ଦେଉ। ସବୁ ଦଳ ଏକାଠି ହୋଇ ବିଜେପି ଓ ଆରଏସ୍ଏସ୍କୁ ପ୍ରତିରୋଧ କରନ୍ତୁ ଏବଂ ଦେଶର ଓ ଅନୁଷ୍ଠାନ ଗୁଡ଼ିକୁ ବଞ୍ଚାନ୍ତୁ ବୋଲି ସେ କହିଛନ୍ତି। ଆଜିର ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ,ଡିଏମକେ ମୁଖ୍ୟ ଏମ୍. କେ. ଷ୍ଟାଲିନ୍, କଂଗ୍ରେସ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ନ୍ୟାସନାଲ କନଫେରେନ୍ସ ମୁଖ୍ୟ ଫାରୁକ୍ ଅବଦୁଲ୍ଲା, ସିପିଏମ୍ ନେତା ସୀତାରାମ ୟେଚୁରୀ, ରାଷ୍ଟ୍ରୀୟ ଲୋକ ଦଳର ଅଜିତ ସିଂହ, ଏନ୍ସିପି ମୁଖ୍ୟ ଶରଦ ପାୱାର ଏବଂ ଜେଡି(ଏସ୍) ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ ଡି ଦେବେଗୌଡ଼ା ପ୍ରମୁଖ ଯୋଗଦେଇଥିଲେ।
ନୂଆଦିଲ୍ଲୀ: ବିରୋଧୀ ଦଳ ବୈଠକରେ ସାମିଲ ହେଲାନି ବିଜେଡି। ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ବିରୋଧରେ ମହାମେଣ୍ଟ ସମ୍ପର୍କରେ ଆଲୋଚନା ଲାଗି ଆଜି ବସିଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ୨୧ଟି ରାଜନୈତିକ ଦଳ ଯୋଗ ଦେଇଥିଲେ। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କ ଦ୍ବାରା ଡକାଯାଇଥିବା ଏହି ବୈଠକରେ ୨୦୧୯ ନିର୍ବାଚନ ପାଇଁ ରଣନୀତି ସ୍ଥିର ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି। ବିଏସ୍ପି ସୁପ୍ରିମୋ ମାୟାବାତୀ ଓ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ବୈଠକରେ ଯୋଗ ଦେବାପାଇଁ ନିମନ୍ତ୍ରଣ କରାଯାଇଥିବାବେଳେ ବିଜେଡିକୁ ବୈଠକରେ ଯୋଗ ଦେବାପାଇଁ ଡକାଯାଇ ନଥିବା ଜଣାପଡ଼ିଛି। କଂଗ୍ରେସ ଓ ବିଜେପିଠାରୁ ବିଜେଡି ସମଦୂର ନୀତି ଅବଲମ୍ବନ କରୁଥିବାରୁ ବିଜେଡିକୁ ବୈଠକରେ ଯୋଗ ଦେବାପାଇଁ ନିମନ୍ତ୍ରଣ କରାଯାଇନଥିବା କୁହାଯାଉଛି।
ନୂଆଦିଲ୍ଲୀ: ଆସନ୍ତାକାଲି ୫ରାଜ୍ୟରେ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଉଥିବାବେଳେ ଏହା ପୂର୍ବରୁ ଆଜି ସମସ୍ତ ବିରୋଧୀ ଦଳ ଗୁଡ଼ିକ ୨୦୧୯ ଲୋକସଭା ନିର୍ବାଚନ ପାଇଁ ମୋଦୀ ବିରୋଧୀ ମହାମେଣ୍ଟ ଗଠନ ପାଇଁ ବୈଠକ କରିଛନ୍ତି। ତେବେ ବିରୋଧୀ ବୈଠକରେ କେଜ୍ରିୱାଲ୍ ଯୋଗ ଦେବାକୁ ନେଇ ଦ୍ବନ୍ଦ୍ବ ଥିଲା। କଂଗ୍ରେସ ବିରୋଧୀ ମନୋଭାବ ପାଇଁ ସେ ରାହୁଲ୍ଙ୍କ ସହ ବିରୋଧୀ ବୈଠକରେ ବସିବେନି ବୋଲି ସୂଚନା ମିଳିଥିଲା। କିନ୍ତୁ କେଜ୍ରିୱାଲ୍ ଆଜି ତାଙ୍କ କଂଗ୍ରେସ ବିରୋଧୀ ମନୋଭାବ ହଟାଇ ବିରୋଧୀ ବୈଠକରେ ବସିଛନ୍ତି। ତେବେ ଏହା ପଛରେ ଡିଏମ୍କେ ନେତା ଷ୍ଟାଲିନ୍ଙ୍କ ଭୂମିକା ଅଛି। ଷ୍ଟାଲିନଙ୍କ ଅନୁରୋଧ ଏବଂ ଉପଦେଶ କ୍ରମେ କେଜ୍ରିୱାଲ୍ ବିରୋଧୀ ବୈଠକରେ ଯୋଗ ଦେଇଥିବା ଜଣାପଡ଼ିଛି।
ସୂଚନାନୁଯାୟୀ ଷ୍ଟାଲିନ୍ ଗତକାଲି ରାହୁଲଙ୍କ ସହ ଆଲୋଚନା କରିବାପରେ ଆଜି ସକାଳେ କେଜ୍ରିୱାଲ୍ଙ୍କୁ ଭେଟିଥିଲେ। ଷ୍ଟାଲିନ୍ କେଜ୍ରିୱାଲ୍ଙ୍କୁ ବୁଝାଇ କହିଥିଲେ ଯେ କଂଗ୍ରେସ ବିରୋଧରେ ଥିବା ନକାରାତ୍ମକ ଭାବନା ହଟାଇଦିଅ। ଦେଶରେ ଏବେ ଏକ ମହାଗଠବନ୍ଧନର ଆବଶ୍ୟକତା ରହିଛି ଏବଂ ଏଥିରେ ତୁମର ଭୂମିକା ଖୁବ୍ ଗୁରୁତ୍ବପୂର୍ଣ୍ଣ। ତେଣୁ ଷ୍ଟାଲିନ୍ଙ୍କ ନିର୍ଦ୍ଦେଶ କ୍ରମେ ହିଁ କେଜ୍ରିୱାଲ୍ ଆଜି ବିରୋଧୀ ବୈଠକରେ ଯୋଗ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଗତ ନଭେମ୍ବର ୩୦ ତାରିଖରେ ପ୍ରଥମ ଥର ପାଇଁ କେଜ୍ରିୱାଲ୍ ଏବଂ ରାହୁଲ୍ଙ୍କୁ ଦିଲ୍ଲୀରେ କୃଷକ ଆନ୍ଦୋଳନ ସମୟରେ ଏକାଠି ଗୋଟିଏ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/sonia-rahulfb_647_031617035140-1.jpg)